କରୋନାକୁ ନେଇ ଗୁଜବ ସୃଷ୍ଟି ଅଭିଯୋଗରେ ଜଣେ ଅଟକ

ସମ୍ବଲପୁର: କରୋନାକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଏହାକୁ ନେଇ ବ୍ୟାପକ ଗୁଜବ ମଧ୍ୟ ହେଉଛି। ଏଣୁ ଗୁଜବକୁ ରୋକିବା ପାଇଁ ସରକାର କଡା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଏହି କ୍ରମରେ ସମ୍ବଲପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ଜଣେ ୨୫ ବର୍ଷିୟ ଯୁବକଙ୍କୁ ସାମାଜିକ ଗଣମାଧ୍ୟମରେ ଗୁଜବ ସୃଷ୍ଟି କରିବା ଅଭିଯୋଗରେ ଟାଉନ ଥାନା ମାମଲା ରୁଜୁ କରି ଅଟକ ରଖିଛି। ଚନାନୁଯାୟୀ, ଭୁବନେଶ୍ୱରରେ ସୋମବାର ଜଣେ କରୋନା ରୋଗରେ ପିଡିତ ଥିବାର ଜଣା ପଡିଥିବା ବେଳେ ସମ୍ବଲପୁରର ଏହି ଯୁବକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କରୋନାରେ ପିଡିତ ଥିବା ଦର୍ଶାଇ ବଦନାମ କରିବା ଓ ଗୁଜବ ସୃଷ୍ଟିର ଅଭିପ୍ରାୟରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ରୋଗୀ ଜଣକ ଯେଉଁ ଟ୍ରେନ ବଗିରେ ଯାତ୍ରା କରୁଥିଲେ, ସମ୍ବଲପୁରର ବ୍ୟକ୍ତି ଜଣକ ମଧ୍ୟ ସେହି ବଗିରେ ଯାତ୍ରା କରୁଥିଲେ ଏବଂ ଖବର ପାଇବା ପରେ ପ୍ରଶାସନ ଓ ପୁଲିସ ତାଙ୍କୁ ଧରି ଭୁବନେଶ୍ୱର ଯାଞ୍ଚ ପାଇଁ ନେଇଛନ୍ତି ବୋଲି ଅଟକ ଥିବା ଯୁବକ ଜଣକ ପୋଷ୍ଟ କରିଥିଲେ ବୋଲି ସଦର ଏସଡିପିଓ ତପନ ମହାନ୍ତି କହିଛନ୍ତି।

ଏଣୁ ପୁଲିସ ଟାଉନ ଥାନାରେ ମାମଲା ନଂ ୧୦୪/୨୦୨୦ ରୁଜୁ କରି ତାଙ୍କୁ ଅଟକ ରଖି ତଦନ୍ତ କରୁଛି। ଏହି ମାମଲାରେ ଅନ୍ୟ କେହି ସଂପୃକ ରହିଛନ୍ତି କି ନାହିଁ ତାର ମଧ୍ୟ ପୁଲିସ ଯାଞ୍ଚ କରୁଛି ବୋଲି ଏସଡିପିଓ ମହାନ୍ତି କହିଛନ୍ତି। ସମ୍ବଲପୁର ପୁଲିସ ପକ୍ଷରୁ କୌଣସି ପ୍ରକାର ଗୁଜବକୁ ପ୍ରଶ୍ରୟ ତଥା ପ୍ରଚାରରେ ସାମିଲ ନ ହେବାକୁ ସମ୍ବଲପୁର ପୁଲିସ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ଏହି କରୋନା ପାଇଁ ଗୁଜବ ସୃଷ୍ଟି ଘଟଣାରେ ଜଣକୁ ଅଟକ ରଖିବା ବିଷୟ ଜଣାପଡିବା ପରେ ସାରା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Comments are closed.