ନକଲି ଔଷଧ ପ୍ରସଙ୍ଗ – ୩ ଜଣଙ୍କୁ କୋର୍ଟ ଚାଲାଣ କଲା ଏସ୍‍ଟିଏଫ୍‍

ନକଲି ଔଷଧ ବିକ୍ରି କରୁଥିବା ମେଡିଲୋୟଡ୍‍ ମେଡିକମେଂଟ ପ୍ରାଇଭେଟ୍‍ ଲିମିଟେଡ୍‍’ର ୩ ଜଣଙ୍କୁ ଗିରଫ ଏବଂ କୋର୍ଟ ଚାଲାଣ କରାଯାଇଛି। ବର୍ତମାନ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଆକାଉଂଟରୁ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ବୋଲି କ୍ରାଇମ୍‍ବ୍ରାଂଚ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶୋୱନ୍ତ ଜେଠୱା ସୂଚନା ଦେଇଛନ୍ତି।

କ୍ରାଇମ୍‍ବ୍ରାଂଚ ଏଡିଜି ଶ୍ରୀ ଜେଠୱାଙ୍କ ସୁଚନା ମୁତାବକ, ଓଡ଼ିଶାରେ ନକଲି ଔଷଧ ବିକ୍ରି ହେଉଥିବା ନେଇ ଡ୍ରଗ୍‍ କର୍ତୃପକ୍ଷ ଏସ୍‍ଟିଏଫ୍‍ରେ ଏକ ରିପୋର୍ଟ ଦାଖଲ କରିଥିଲେ। ନକଲି ଔଷଧ ବିଶେଷତଃ କୋଭିଡ୍‍-୧୯ ରୋଗୀଙ୍କ ଚିକିତ୍ସା ନିମନ୍ତେ ଉଦ୍ଦିଷ୍ଟ ଥିବା ଔଷଧ ଫାଭିମାକ୍ସ-୨୦୦ ଏବଂ ଫ୍ୟାଭିମାକ୍ସ-୪୦୦ (ଫାଭିପିରାଭିର୍‍) ବିକ୍ରି ହେଉଥିବା ସୂଚନା ମିଳିଥିଲା। ସେହି ଅନୁଯାୟୀ ଡ୍ରଗ୍‍ସ ଏବଂ କସ୍‍ମେଟିକ୍‍ ଆକ୍ଟ ୧୯୪୦ ଅନୁଯାୟୀ ନକଲି ଔଷଧ ବିକ୍ରି, ଜାଲିଆତି, ଠକେଇ ଓ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇଥିଲା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ପାଇଁଏସ୍‍ଟିଏଫ୍‍ ପକ୍ଷରୁ ୩ଟି ସ୍ୱତନ୍ତ୍ର ଟିମ୍‍ ଗଠନ କରାଯାଇଥିଲା। ଓଡ଼ିଶା, ମହାରାଷ୍ଟ୍ରଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢଉ କରି ଟିମ୍‍ ତଥ୍ୟ ଏବଂ ପ୍ରମାଣ ସଂଗ୍ରହ କରିଥିଲେ।

ଏଡିଜି ଶ୍ରୀ ଜେଠୱାଙ୍କ ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶସ୍ଥିତ ସୋଲାନ୍‍ ନାମକ ସ୍ଥାନରେ ମ୍ୟାକ୍ସ ରିଲିଫ ହେଲ୍ଥ କେୟାର ନାମକ ଏକ କମ୍ପାନୀ ଫାଭିମାକ୍ସ ଟାବ୍‍ଲେଟ୍‍ ପ୍ରସ୍ତୁତ କରି ମାର୍କେଟିଂ କରୁଥିଲା। ଏହି କମ୍ପାନୀକୁ ଦୁଇ ଜଣ ବ୍ୟକ୍ତି ଚଳାଉଥିବା ବେଳେ ଦୁହିଁଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଏହା ବ୍ୟତୀତ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ମାମଲା ରହିଥିବା ଏସ୍‍ଟିଏଫ୍‍ ଜାଣିବାକୁ ପାଇଥିଲା। ଓଡ଼ିଶାରେ ଥିବା ମେଡିଲୋୟଡ୍‍ ମେଡିକମେଂଟ ପ୍ରାଇଭେଟ୍‍ ଲିମିଟେଡ୍‍ କମ୍ପାନୀ ମ୍ୟାକ୍ସ ରିଲିଫ୍‍ ହେଲ୍ଥ କେୟାର ସହ ଷଡଯନ୍ତ୍ର କରି ଫାଭିମାକ୍ସ ଟାବ୍‍ଲେଟ୍‍ ବହୁତ କମ୍‍ ଦାମରେ ହାସଲ କରିଥିଲା। ପ୍ରତି ଷ୍ଟ୍ରିପ୍‍ ଟାବ୍‍ଲେଟ୍‍ର ମୂଲ୍ୟ ମାତ୍ର ୬୫ଟଙ୍କା ହୋଇଥିବା ବେଳେ ମେଡିଲୋୟଡ୍‍ ମେଡିକମେଂଟ ପ୍ରାଇଭେଟ୍‍ ଲିମିଟେଡ୍‍ କମ୍ପାନୀ ପ୍ରତି ଷ୍ଟ୍ରିପ୍‍ ପିଛା ୧୨୯୦ ଟଙ୍କାରେ ବିକ୍ରି କରିବାକୁ ଯୋଜନା କରୁଥିଲା। ଏଭଳି ତଥ୍ୟ ଏବଂ ପ୍ରମାଣ ଏସ୍‍ଟିଏଫ୍‍ ହାତରେ ଲାଗିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ସେହି ଅନୁଯାୟୀ ଆଜି ମେଡିଲୋୟଡ୍‍ ମେଡିକମେଂଟ ପ୍ରାଇଭେଟ୍‍ ଲିମିଟେଡ୍‍ କମ୍ପାନୀର ନିର୍ଦ୍ଦେଶକଏବଂ ଅନ୍ୟ ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି। ବର୍ତମାନ ସୁଦ୍ଧା ସେମାନଙ୍କ ବ୍ୟାଙ୍କ ଆକାଉଂଟରୁ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଜବତ କରାଯାଇଥିବା ବେଳେ ତଦନ୍ତ ଜାରି ରହିଛି ବୋଲି ଏଡିଜି ଶ୍ରୀ ଜେଠୱା ସୂଚନା ଦେଇଛନ୍ତି।

Comments are closed.