ମାଓବାଦୀ ନାମରେ ଧମକ ଦେଇ ୩ଗିରଫ

ପଦ୍ମପୁର: ପଦ୍ମପୁର ଉପ ଖଣ୍ତ ଜଗଦଲପୁର ଥାନା ଅଂଚଳରେ  କେତେକ ଯୁବକ ମାଓବାଦୀଙ୍କ ନାମରେ ଲୋକଙ୍କଠାରୁ  ମୋଟା ଅଙ୍କର ଟଙ୍କା ଦାବି କରି ଗିରଫ ହୋଇଛନ୍ତି । ଥାନା ଅଧିକାରୀ ଲିଲିମା ଲଳିତା ବାର୍ଲାଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଚଣ୍ତିଭଟାର ଆକାଶ ବାଗ(୨୫),ଜଟେଶିରାର ସାନନ୍ଦ ସାହୁ( ୨୫),ଦୀପେଶ ପ୍ରଧାନ( ୨୦) ମୋବାଇଲ ଫୋନ ଯୋଗେ ଲଉଡିଦର୍ହା ପ୍ୟାକ୍ସର ସଂପାଦକ ରାଧେଶ୍ୟାମ ଖରସେଲଙ୍କୁ ଫୋନ କରି ନିଜକୁ ମାଓବାଦୀ ବୋଲି ପରିଚୟ ଦେଇଥିଲେ ଓ ୫୦ ହଜାର ଟଙ୍କା ଦାବି କରିଥିଲେ । ଟଙ୍କା ନ ଦେଲେ ହତ୍ୟା କରାଯିବ ବୋଲି ମଧ୍ୟ ଧମକ ଦେଇଥିଲେ । ଏ ସମ୍ପର୍କରେ ରାଧେଶ୍ୟାମ ପୁଲିସକୁ ସୂଚନା ଦେବା ପରେ ମୋବାଇଲ କଲକୁଯାଞ୍ଚ କରି ପୁଲିସ ଏକ ସମୟରେ ଜଟାଶିରା ଓ ଜାମପାଲିରେ ଅଭିଯୁକ୍ତଙ୍କ ଘର ଉପରେ ଚଢ଼ଉ କରିଥିଲେ । ସେଠାରୁ ସେମାନଙ୍କୁ ଗିରଫ କରାଯାଇଛି । ଏହି ଚଢ଼ଉରେ ଥାନାଧିକାରୀ ଏଲ.ଏଲ.ବାର୍ଲା,ଏ ଏସ ଆଇ ସତ୍ୟାନନ୍ଦ ଭୋଏ, ହାବିଲଦାର ଜିତେନ୍ଦ୍ରିୟ ଦାଶ, କନଷ୍ଟେବଳ ବ୍ୟାସଦେବ ସାହୁ,ମାଧବୀ ପାଣ୍ତେ ସାମିଲ ହୋଇଥିଲେ । ଏ ସମ୍ପର୍କରେ ଜଗଦଲପୁର ଥାନାରେ ଏକ ମାମଲା ରୁଜୁ ହୋଇଛି ।

Comments are closed.