ମିଛ ପ୍ରମାଣପତ୍ର ଦେଇ ‘ହିନ୍ଦୀ’ ଶିକ୍ଷକ ଚାକିରି: ଏତଲା ଦେଉଛନ୍ତି ଜିଲା ଶିକ୍ଷା ଅଧିକାରୀ, ହେଉନି କାର୍ଯ୍ୟାନୁଷ୍ଠାନ

ବଲାଙ୍ଗିର:ଦୁର୍ନୀତି, ଜାଲିଆତି, ହେରଫେର ହେଉକି ଦାଦନ ଆଉ ଦାରିଦ୍ର୍ୟତା; ଏମିତି ଅନେକ ପ୍ରସଙ୍ଗ ପାଇଁ ଅପନିନ୍ଦିତ ବଲାଙ୍ଗିର ଜିଲା। ଏହି ଜିଲାର ଅପନିନ୍ଦା ତାଲିକାରେ ଯୋଡି ହୋଇଯାଇଛି ନକଲି ଶିକ୍ଷକ ମାମଲା। ପୁରୁଣା ହେଲେ ବି ମନରୁ ଲିଭିନି। କାରଣ ନକଲିଙ୍କ ପ୍ରାଦୁର୍ଭାବ ବଢୁଥିବା ବେଳେ ଆକ୍ସନ ନାହିଁ। ଯାଞ୍ଚ ପରେ ଧରାପଡିବା ଭୟରେ କିଏ ଇସ୍ତଫା ଦେଇଛି ତ ପୁଣି କିଏ ଲୁଚିଛି। ଆଉ ଧରାପଡିବା ପରେ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟରୁ କେବଳ ଏତଲା ଦେଇ ହାତ ଝାଡି ଦିଆଯାଇଛି। ବଲାଙ୍ଗିର ଜିଲାରେ ‘ହିନ୍ଦୀ’ ଶିକ୍ଷକ ଚାକିରୀରେ ନକଲିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳୁଛି।

୨୦୦୮ ମସିହାରେ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୦୯ ମସିହାରେ ୩୨ଜଣ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଥିଲେ। ଟିଟିଲାଗଡ ସରକାରୀ ବାଳିକା ହାଇସ୍କୁଲରେ ହିନ୍ଦୀ ଶିକ୍ଷକ ଭାବେ ଚାକିରୀ କରୁଥିବା ସନ୍ତୋଷ ସାହୁ ଜାଲ୍ ପ୍ରମାଣପତ୍ର ଦେଇ ଚାକିରୀ ପାଇଥିବା ଜଣାପଡିବା ପରେ ସେ ଇସ୍ତଫା ଦେଲେ। ସେହିପରି ୨୦୧୩ ମାର୍ଚ୍ଚ ୨ତାରିଖରେ ଚିଠି ସଂଖ୍ୟା-୧୭୭୮(ଏ)ରେ ତତ୍କାଳୀନ ଜିଲା ଶିକ୍ଷାଧିକାରୀ ସଞ୍ଜୀବ କୁମାର ସିଂଙ୍କ ଦସ୍ତଖତ କରିଥିଲେ। ଆଉ ୫୩ଜଣ ହିନ୍ଦୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ନିଯୁକ୍ତି ସୂଚନା ପ୍ରକାଶ ପାଇଥିଲା। ତେବେ ନକଲି ପରଙ୍ଗଦ ହିନ୍ଦୀ ବିଇଡି ପ୍ରମାଣପତ୍ର ଦେଇ ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ହାଇସ୍କୁଲରେ ବନିତା ମିଶ୍ର, ଗଡଶଙ୍କର ଡୁଙ୍ଗରିପାଲି ହାଇସ୍କୁଲରେ ଦିଲୀପ କୁମାର ସରାଫ, ଲାଲ ବାହାଦୁର ହାଇସ୍କୁଲ ସରଗାଡରେ ଆଶିଷ ପ୍ରଧାନ ଚାକିରି କରୁଥିବା ଜଣାପଡିଥିଲା। ରାତାରାତି ଏହି ୩ଜଣ ହିନ୍ଦୀ ଶିକ୍ଷକ-ଶିକ୍ଷୟିତ୍ରୀ ଇସ୍ତଫା ଦେଇଦେଲେ।
ସେହିପରି ୨୦୧୩-୧୪ରେ ନିଯୁକ୍ତି ପାଇଥିବା ୧୧ଜଣ ହିନ୍ଦୀ ଶିକ୍ଷକଙ୍କ ମଧ୍ୟରେ ରାଜୀବ ପୁଟେଲ, ଅରୁଣ ବାଗ, ସନ୍ତୋଷିନୀ ପ୍ରଧାନଙ୍କ ପ୍ରମାଣପତ୍ର ଠିକ୍ ଥିବା ଜଣାପଡିଥିଲା। କାଉନ୍ସିଲିଂ ସମୟରେ ହିଁ ୭ଜଣ ହାତରେ ଧରିଥିବା ନିଯୁକ୍ତି ପତ୍ର ଫେରାଇବା ସହ ଇସ୍ତଫା ଦେଇଥିଲେ। ପ୍ରୀତି ଶର୍ମା ନାମକ ଜଣେ ଆଶାୟୀ ତାଙ୍କ ପ୍ରମାଣପତ୍ର ଠିକ୍ ଥିବା ଦର୍ଶାଇ ନିଯୁକ୍ତି ପତ୍ର ନେଇଥିଲେ। ଚାକିରୀ ବି କରିଥିଲେ। କିନ୍ତୁ ତାଙ୍କ ପ୍ରମାଣପତ୍ର ବି ମିଛ ଓ ଜାଲ୍ ଜଣାପଡିବା ପରେ ସେ ଇସ୍ତଫା ଦେଇ ଚାଲିଗଲେ।
ସୂଚନା ଅନୁସାରେ, ୨୦୧୩ରେ ଚାକିରୀ କରୁଥିବା ଆଶିଷ ପ୍ରଧାନଙ୍କ ଭଳି ଅନ୍ୟମାନେ ବି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କରିଥିବା ଜଣାପଡିଛି। ନକଲି ହିନ୍ଦୀ ଶିକ୍ଷକ-ଶିକ୍ଷୟିତ୍ରୀ ନିଯୁକ୍ତି ପ୍ରସଙ୍ଗରେ ପୂର୍ବତନ ବଲାଙ୍ଗିର ଜିଲା ଶିକ୍ଷାଧିକାରୀମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମାମଲା ବି ରୁଜୁ ହୋଇଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏହି ନକଲିଙ୍କୁ ନିଯୁକ୍ତିରେ ଜିଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ୨ଜଣ କରିତକର୍ମା ବାବୁ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିିବା ଚର୍ଚ୍ଚା ହେଉଛି। ସେହିପରି ଅବସର ନେଇ ସାରିଥିବା ଜଣେ କିରାଣୀଙ୍କ ସଂପର୍କୀୟ ହେଉଛନ୍ତି ନକଲି ଶିକ୍ଷୟିତ୍ରୀ ବନିତା ମିଶ୍ର। ପୂର୍ବରୁ ଏହି କିରାଣୀଙ୍କ ଭୂମିକା ବି ସନ୍ଦେହଘେରରେ ଥିଲା। କିନ୍ତୁ ନିଜ ଅଖଣ୍ଡ କ୍ଷମତାକୁ ଆୟୁଧ କରି ପୂର୍ବତନ କିରାଣୀ ଜଣକ ମାମଲାକୁ ଢାଙ୍କି ଦେବାରେ ସଫଳ ହୋଇଥିଲେ। ଜିଲାରେ ହୋଇଥିବା ନିଯୁକ୍ତି ଦୁର୍ନୀତିରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆଉ ବଲାଙ୍ଗିରର ବ୍ୟଙ୍ଗ କବି ରସରାଜ ଅଚ୍ୟୁତ ପୁରୋହିତଙ୍କ ‘ନକଲି’ କବିତାର ଧାଡି ‘ମାଷ୍ଟର ମାନେ ନକଲି ହେଲେ କାଏଁ କରବେ ଛୁଆ, ଛ୍ରୁଆ ପୁତା ଯଦି ନକଲି ହେବେ କାଏଁ କରବେ ମା-ବୁଆ’ ବି ମେଳ ଖାଇଯାଏ ନକଲି ଶିକ୍ଷକ ଓ ନିଯୁକ୍ତି ପ୍ରସଙ୍ଗରେ ଆଲୋଚନା ହେଉଛି।

Comments are closed.