ଆରୋଗ୍ୟ ସେତୁ ଆପ୍‌ ଲିଙ୍କ୍‌ ପ୍ରତି ସତର୍କ – ଧରାପଡ଼ିଲା ପାକିସ୍ତାନ ଗୋଷ୍ଠୀର ଚକ୍ରାନ୍ତ

ଭୁବନେଶ୍ବର: ଆପଣଙ୍କ ନିକଟବର୍ତ୍ତୀ କୌଣସି କୋଭିଡ୍‌-୧୯ ରୋଗୀ ଅଛନ୍ତି କି, ସେ ସମ୍ପର୍କରେ ଜାଣିବା ଲାଗି କେନ୍ଦ୍ର ସରକାର ଏକ ଆରୋଗ୍ୟ ସେତୁ ଆପ୍‌ ପ୍ରସ୍ତୁତ କରିଛନ୍ତି। ଏହାକୁ ଅନେକ ମୋବାଇଲ୍‌ ବ୍ୟବହାରକାରୀ ଡାଉନ୍‌ଲୋଡ୍‌ କରିଛନ୍ତି। ଦିନକୁ ଦିନ ଏହି ଆପ୍‌ର ଚାହିଦା ବୃଦ୍ଧି ପାଉଥିବାରୁ ଏହାର ସୁଯୋଗ ନେଇଛନ୍ତି କିଛି ହାକର। ପାକିସ୍ତାନର ଏକ ଗୋଷ୍ଠୀ ଏହାର ସୁଯୋଗ ନେଇ ଏକ ଲିଙ୍କ୍‌ ତିଆରି କରିଛି। ଏହାକୁ ବିଭିନ୍ନ ଉପଭୋକ୍ତାଙ୍କ ନିକଟକୁ ପଠାଇ ତଥ୍ୟ ଚୋରି କରିବା ଆରମ୍ଭ କରି ଦେଇଥିବା ଭଳି କିଛି ଘଟଣା ପଦାକୁ ଆସିଛି। ତେଣୁ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ ଲୋଡ଼ କରିବା ପୂର୍ବରୁ ସତର୍କତା ଅବଲମ୍ବନ କରିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ ଏହି ଲିଙ୍କ୍‌କୁ କ୍ଲିକ୍ ନ କରିବାକୁ ପୁଲିସ କମିସନର ଡ. ସୁଧାଂଶୁ ଷଡଙ୍ଗୀ ଏକ ଟୁଇଟ୍‌ କରି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ଏହାର ଗୁରୁତ୍ବକୁ ଉପଲବ୍‌ଧି କରି ଓଡ଼ିଶା ପୁଲିସ ପକ୍ଷରୁ ମଧ୍ୟ ସାରା ରାଜ୍ୟବାସୀଙ୍କୁ ଏନେଇ ସତର୍କ କରାଯାଇଛି। ତେବେ ଆରୋଗ୍ୟ ସେତୁ ଆପ୍‌ ମାଧ୍ୟମରେ ତଥ୍ୟ ଚୋରି ହେଉ ଥିବା ନେଇ ଘଟଣା ପ୍ରଘଟ ହେବା ପରେ ଏହାକୁ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଆରୋଗ୍ୟସେତୁ ଆପ୍‌କୁ ଏପର୍ୟ୍ୟନ୍ତ ହାକ୍‌ କରାଯାଇନାହିଁ କି ଏହା ମାଧ୍ୟମରେ ତଥ୍ୟ ଚୋରି ହେବାର ଆଶଂକା ସୃଷ୍ଟି ହୋଇନାହିଁ।

କେମିତି ଚୋରି ହେଉଛି ଡାଟା
ଆପଣଙ୍କ ମୋବାଇଲ୍‌ ଫୋନ୍‌କୁ ଏସ୍‌ଏମ୍‌ଏସ୍‌, ହ୍ବାଟ୍‌ସ୍‌ଆପ୍‌ ନଚେତ୍‌ ଆପଣଙ୍କ ବନ୍ଧୁ କିମ୍ବା ସମ୍ପର୍କୀୟଙ୍କଠାରୁ ଏକ ଲିଙ୍କ୍‌ ଆସୁଛି। ଯେଉଁଥିରେ ଆପଣଙ୍କୁ ଆରୋଗ୍ୟସେତୁ ଆପ୍‌ ଡାଉନ୍‌ ଲୋଡ୍‌ କରିବାକୁ ପରାମର୍ଶ ଦିଆଯାଉଛି। ନିକଟ ସମ୍ପର୍କୀୟ ଏକ ଲିଙ୍କ୍‌ ପଠାଇଥିବାରୁ ଏହାକୁ ଆପଣ ଏକ ପରାମର୍ଶ ଭାବି ଏଥିରେ କ୍ଲିକ୍‌ କରି ଦେଉଛନ୍ତି। ଆପଣଙ୍କ ମୋବାଇଲ୍‌ ଫୋନ୍‌ରେ ଆରୋଗ୍ୟ ସେତୁ ଇନ୍‌ଷ୍ଟଲ୍‌ ହେବା ପରିବର୍ତ୍ତେ ଏକ ‘ଚାଟ୍‌ମି’ ସ୍କ୍ରିନ୍‌ରେ ଦର୍ଶାଇବ। ଯାହାକୁ ଆପଣ ଜରୁରୀ ଭାବି ସେଥିରେ ଯାହା କିଛି ତଥ୍ୟ ମାଗୁଥିବ ଦେଇ ଚାଲିଥିବେ। ହେଲେ ଏସବୁ ତଥ୍ୟ ଆପଣଙ୍କର ଚୋରି ହୋଇଯିବ। ପାକିସ୍ଥାନଭିତ୍ତିକ ଏକ ଗୋଷ୍ଠୀ ଆପଣଙ୍କ ମୋବାଇଲ୍‌ ଫୋନ୍‌ ହାକ୍‌ କରି ଏହି ଲିଙ୍କ୍‌ ମାଧ୍ୟମରେ ତଥ୍ୟ ଚୋରି କରିନେବ। ଆପଣ ମୋବାଇଲ୍‌ ଫୋନ୍‌ରେ ଯେଉଁ ସବୁ ସୋସିଆଲ୍‌ ମିଡ଼ିଆ ବ୍ୟବହାର କରୁଥିବେ ସେସବୁକୁ ହାକ୍ କରିବା ସହିତ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ମଧ୍ୟ ଚୋରି କରି ନେବାର ସମ୍ଭାବନା ରହିଛି। ତେଣୁ କୌଣସି ଲିଙ୍କ୍‌ ମାଧ୍ୟମରେ ଆରୋଗ୍ୟସେତୁ ଆପ୍‌ ଡାଉନ୍‌ଲୋଡ ନ କରିବାକୁ ପରାମର୍ଶ ଦିଆଯାଇଛି। କେବଳ ଗୁଗୁଲ୍‌ର ପ୍ଲେ ଷ୍ଟୋର୍‌ ମାଧ୍ୟମରେ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ପରାମର୍ଶ ଦିଆଯାଇଛି।

Comments are closed.