କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ବଞ୍ଚାଇବା ଲାଗି ଫଡ୍‌ନଭୀସ ମୁଖ୍ୟମନ୍ତ୍ରୀ ହେବାର ନାଟକ କରିଥିଲେ: ବିଜେପି ସାଂସଦ

ବେଙ୍ଗାଲୁରୁ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସଙ୍କୁ ନେଇ ଏକ ନୂଆ ଖୁଲାସା କରିଛନ୍ତି କର୍ଣ୍ଣାଟକର ଉତ୍ତର କନ୍ନଡ଼ ବିଜେପି ସାଂସଦ ଅନନ୍ତ କୁମାର ହେଗ୍‌ଡେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ହେଗ୍‌ଡେ କହିଛନ୍ତି, ବିଜେପି ୪୦ ହଜାର କୋଟି ଟଙ୍କାର ପାଣ୍ଠି ବଞ୍ଚାଇବା ଲାଗି ଫଡ୍‌ନଭୀସଙ୍କୁ ମୁଖ୍ୟମନ୍ତ୍ରୀ କରିବାର ନାଟକ କରିଥିଲା। ସେ କହିଛନ୍ତି, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ, ମହାରାଷ୍ଟ୍ରରେ ଫଡ୍‌ସଭୀସ ୮୦ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ହେଲେ ଏବଂ ପରେ ଇସ୍ତଫା ଦେଲେ। ସେ ଏପରି ନାଟକ କାହିଁକି କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆମକୁ କ’ଣ ଜଣା ନ ଥିଲା ଯେ, ଆମ ନିକଟରେ ବହୁମତ ନାହିଁ, ତଥାପି ସେ ମୁଖ୍ୟମନ୍ତ୍ରୀ ହେଲେ। ଏହା ଏଭଳି ଏକ ପ୍ରଶ୍ନ ଯାହା ସମସ୍ତେ ପଚାରୁଛନ୍ତି। ହେଗ୍‌ଡେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିକଟରେ କେନ୍ଦ୍ରର ୪୦ ହଜାର କୋଟି ଟଙ୍କା ଥିଲା। ଯଦି କଂଗ୍ରେସ, ଏନସିପି ଏବଂ ଶିବସେନା କ୍ଷମତାକୁ ଆସିଥାନ୍ତେ, ତେବେ ସେମାନେ ୪୦ ହଜାର କୋଟି ଟଙ୍କାର ଦୁରୁପୋଯୋଗ କରିଥାନ୍ତେ। ଏହି କାରଣରୁ କେନ୍ଦ୍ର ସରକାର ଉକ୍ତ ଅର୍ଥକୁ କିପରି ବିକାଶ କାର୍ଯ୍ୟରେ ବ୍ୟବହାର କରିପାରିବେ ସେଥିଲାଗି ଏପରି ନାଟକ କରାଗଲା। ବିଜେପି ଏହି ଯୋଜନା ବହୁ ଆଗରୁ କରିଥିଲା। ସେଥିପାଇଁ ଏପରି ନାଟକ କରିବାକୁ ଯୋଜନା କରାଯାଇଥିଲା। ଫଡନଭୀସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ। ଏହାର ୧୫ ଘଣ୍ଟା ମଧ୍ୟରେ ସେ ୪୦ ହଜାର କୋଟି ଟଙ୍କାକୁ ସେହି ସ୍ଥାନରେ ପହଞ୍ଚାଇଦେଲେ ଯେଉଁଠାରୁ​‌ ତାହା ଆସିଥିଲା। ଏଭଳି ଭାବେ ଫଡନଭୀସ ସମସ୍ତ ଟଙ୍କା କେନ୍ଦ୍ର ଫେରାଇ ତାହାକୁ ରକ୍ଷା କଲେ ବୋଲି ହେଗ୍‌ଡେ କହିଛନ୍ତି।

Comments are closed.