ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ନେଇପାରନ୍ତି ଫଡନବୀସ

ମୁମ୍ବଇ: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ବିଜେପି ଏବଂ ଶିବସେନା ମଧ୍ୟରେ ଛକାପଞ୍ଝା ଲାଗିରହିଥିବାବେଳେ ବୁଧବାର ବିଜେପିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବିଧାୟକ ଦଳ ନେତା ନିର୍ବାଚିତ ହେବା ସହିତ ସରକାର ଗଠନ ସମ୍ପର୍କରେ ଆଲୋଚନା ହେବ। ଏହା ପରେ ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବୀସ ଶପଥ ଗ୍ରହଣ କରିପାରନ୍ତି। ସହଯୋଗୀ ଶିବସେନା ୫୦-୫୦ ଫର୍ମୁଲାକୁ ନେଇ କୌଣସି ଚାପ ପକାଇବ ନାହିଁ ବୋଲି ବିଜେପି ଆଶାବ୍ୟକ୍ତ କରିଛି।

ସୂଚନା ଅନୁସାରେ ଶିବସେନା ବିଜେପିଠାରୁ ଲିଖିତ ଆକାରରେ ମୁଖ୍ୟମନ୍ତ୍ରୀ ପଦବୀକୁ ଅଢ଼େଇ ବର୍ଷ ଲେଖାଏ ଉଭୟ ଦଳ ମଧ୍ୟ​‌ରେ ବଣ୍ଟନ କରିବା ଲାଗି ଚାହୁଁଛି। କିନ୍ତୁ ବିଜେପି ଏଥିପାଇଁ ପ୍ରସ୍ତୁତ ନାହିଁ, ଯାହାକୁ ନେଇ ଦୁଇ ଦଳ ମଧ୍ୟରେ କୌଣସି ନିଷ୍ପତ୍ତି ହୋଇପାରୁ ନାହିଁ। ତେବେ ଦୁଇ ଦଳ ମଧ୍ୟରେ କ୍ଷମତାକୁ ନେଇ ରାଜନୈତିକ ବାକ୍‌ଯୁଦ୍ଧ ଚାଲିଥିଲେ ହେଁ ଶିବସେନା ବିଜେପିକୁ ସମର୍ଥନ କରିବ ବୋଲି ଦଳୀୟ ନେତାମାନେ ଅଶା ରଖିଛନ୍ତି। ଅନ୍ୟପଟେ ଶିବସେନା ସଫା ସଫା କହିଛି ଯେ, ଯଦି ତା’ର ଦାବି ପୂରଣ ନ ହୁଏ, ତେବେ ଦଳ ଅନ୍ୟ ବିକଳ୍ପ ଉପରେ ବିଚାର କରିବାକୁ ଚିନ୍ତା କରିପାରେ। ଏହା ସତ୍ବେ ବିଜେପି ଶିବସେନାର ସହଯୋଗ ଉପରେ ନିଶ୍ଚିତ ରହିଛି। କାରଣ ଉଭୟ ଦଳ ପାଖରେ ସରକାର ଗଢ଼ିବା ଲାଗି ଆବଶ୍ୟକ ବହୁମତ ନାହିଁ।

Comments are closed.