ସଚ୍ଚୋଟ କରଦାତାଙ୍କୁ ସମ୍ମାନ, ମୁହାଁମୁହିଁ ହେବେନି କରଦାତା ଓ ଅଧିକାରୀ

ଆୟକର ବିଭାଗ ପକ୍ଷରୁ ଶୁକ୍ରବାରଠାରୁ ଫେସ୍‌ଲେସ୍‌ ଟିକସ ଅପିଲ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଣିକି ସମସ୍ତ ପ୍ରକାର ଆୟକର ଅପିଲ ଫେସ୍‌ଲେସ ବ୍ୟବସ୍ଥାରେ ଶୁଣାଣି ହୋଇ ଚୂଡାନ୍ତ ହେବ। କେବଳ ଅତି ଗୁରୁତର ଠକେଇ, ବଡ଼ ଧରଣର ଟିକସ ଫାଙ୍କି, ଆନ୍ତର୍ଜାତିକ ଟିକସ ପ୍ରସଙ୍ଗ, କଳାଟଙ୍କା ମାମଲା ଏବଂ ଟିକସ ସଂକ୍ରାନ୍ତ ସମ୍ବେଦନଶୀଳ ଘଟଣାରେ ଆୟକର ଅଧିକାରୀମାନେ ସଂପୃକ୍ତ ଟିକସଦାତାଙ୍କୁ ଡାକି ମୁହାଁମୁହିଁ ପଚରାଉଚୁରା କରିପାରିବେ। ଫେସଲେସ୍‌ ଅପିଲ ବ୍ୟବସ୍ଥା ସଂପର୍କରେ ଶୁକ୍ରବାର ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ଫେସ୍‌ଲେସ ବ୍ୟବସ୍ଥାରେ ଟିକସ ପ୍ରସଙ୍ଗରେ ଟିକସଦାତା ଏବଂ ଆୟକର ଅଧିକାରୀମାନଙ୍କ ମଧ୍ୟରେ ଏଣିକି ମୁହାଁମୁହିଁ ବା ପ୍ରତ୍ୟକ୍ଷ ସଂପର୍କ ରହିବ ନାହିଁ।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ୧୩ରେ ପ୍ରଧାନମନ୍ତ୍ରୀ ଫେସ୍‌ଲେସ୍‌ ଆସେସମେଣ୍ଟ ଓ ଟିକସଦାତା ଚାର୍ଟରକୁ ଉଦ୍‌ଘାଟନ କରିଥିଲେ। ଟିକସ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ଏବଂ ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନିତ କରିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହା ଟ୍ରାନ୍ସପରେନ୍ସ ଟାକ୍ସେସନ-ଅନରିଂ ଦି ଅନେଷ୍ଟ କାର୍ଯ୍ୟକ୍ରମ ନାମରେ ପରିଚିତ। ଏହି କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଣିକି ଆଉ ଟିକସ ପ୍ରସଙ୍ଗରେ ଟିକସଦାତା ଓ ଅଧିକାରୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସଂପର୍କ ରହିବ ନାହିଁ। ସବୁକାର୍ଯ୍ୟ ଫେସ୍‌ଲେସ ବ୍ୟବସ୍ଥାରେ କରାଯିବ। ଏହାଛଡା ସେତେବେଳେ ସେ କହିଥିଲେ ଯେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ସେପ୍ଟେମ୍ବର ୨୫ରୁ ଫେସ୍‌ଲେସ ଅପିଲ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ତଦନୁସାରେ ଆଜିଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଆହୁରି ମଧ୍ୟ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ସଂସ୍କାରବାଦୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି। ଟିକସ ବ୍ୟବସ୍ଥାକୁ ସରଳ କରିବା ସହ ଟିକସଦାତାମାନେ ଯେପରି ସୁବିଧାରେ ଟିକସ ପୈଠ କରିପାରିବେ ସେ ବ୍ୟବସ୍ଥାକୁ ମଧ୍ୟ ଆହୁରି ସହଜ କରାଯାଉଛି।

ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥାରେ ଏଣିକି ଆୟକର ସଂକ୍ରାନ୍ତ ସମସ୍ତ ଆବେଦନ ଅନ୍‌ଲାଇନ ବ୍ୟବସ୍ଥାରେ ହେବ। ଏଥିପାଇଁ ଇ-ଆଲୋକେସନ ବ୍ୟବସ୍ଥା, ବିଜ୍ଞପ୍ତିର ଇ-କମ୍ୟୁନିକେସନ, ପଚରା ଯିବାକୁ ଥିବା ପ୍ରଶ୍ନର ଇ-ଫର୍ମାଟ, ଇ-ଭେରିଫିକେସନ, ଇ-ଶୁଣାଣି ଏବଂ ଶେଷରେ ଇ-ଯୋଗାଯୋଗ ସବୁକଥା ଅନ୍‌ଲାଇନ ଇଲେକ୍ଟ୍ରୋନିକ ବ୍ୟବସ୍ଥାରେ କରାଯିବ। ସରଳ ଭାବରେ କହିଲେ ଆବେଦନଠାରୁ ଆରମ୍ଭ କରି ବିଚାର ଓ ରାୟ ପ୍ରକାଶ ପର୍ଯ୍ୟନ୍ତ ସବୁକଥା ଅନ୍‌ଲାଇନରେ ହେବ ଏବଂ ଏଥିରେ ସଂପୃକ୍ତ ପକ୍ଷ ଏବଂ ଆୟକର ବିଭାଗ ଅଧିକାରୀ କେହି କାହାରିକୁ ଭେଟିବାର ଅବକାଶ ରହିବ ନାହିଁ। ଆବେଦନକାରୀ ଓ ଟିକସଦାତା ଘରେ ବସି ସେମାନଙ୍କର ଆପତ୍ତି ଅଭିଯୋଗ ଓ ଆବେଦନ ସହଜରେ ଅନ୍‌ଲାଇନରେ କରିପାରିବେ। ଏହା ଫଳରେ ସେମାନଙ୍କର ସମୟ ଓ ଅର୍ଥ ସଂଚୟ ହେବା ସହିତ ସେମାନେ ଜଞ୍ଜାଳରୁ ରକ୍ଷା ପାଇବେ।

ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥାରେ ଡାଟା ଆନାଲିଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଉପଯୋଗ କରାଯାଇ ମାମଲାଗୁଡିକ ବିଚାର ପାଇଁ ଉପସ୍ଥାପିତ କରାଯିବ। ଡକ୍ୟୁମେଣ୍ଟ ଆଇଡିଣ୍ଟିଫିକେସନ ଆଧାରରେ ଅପିଲଗୁଡିକୁ ଶୁଣାଣି ପାଇଁ ଉପସ୍ଥାପିତ କରାଯିବ ଏବଂ ଏହା ଡାଇନାମିକ୍‌ ଜୁରିସଡିକ୍ସନ ବ୍ୟବସ୍ଥାରେ କାର୍ଯ୍ୟ କରିବ। ଏହି ବ୍ୟବସ୍ଥାରେ ଗୋଟିଏ ସହରରେ ଆବେଦନ ଆପିଲେଟ ଅର୍ଡରର ଚିଠା ପ୍ରସ୍ତୁତ ହେବ ଏବଂ ତାହାର ସମୀକ୍ଷା ଓ ବିଚାର ଅନ୍ୟ ସହରରେ କରାଯିବ। ଏହା ଫଳରେ ସମଗ୍ର ପ୍ରକ୍ରିୟାଟି ନ୍ୟାୟୋଚିତ, ନିରପେକ୍ଷ ଏବଂ ସ୍ୱଚ୍ଛ ହୋଇପାରିବ। ଏହାଦ୍ୱାରା ଟିକସଦାତା ବିଶେଷ ଉପକୃତ ହେବା ସହିତ ସେମାନଙ୍କ ଅପିଲ ଉପରେ ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ବିଶେଷ ଅସୁବିଧା ବିନା ଉଚିତ ନ୍ୟାୟ ମିଳିବ। ନୂଆ ବ୍ୟବସ୍ଥା ମଧ୍ୟ ଆୟକର ବିଭାଗର ଦକ୍ଷତା ବଢାଇବ ଏବଂ ଏହାର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ମଧ୍ୟ ଅଧିକ ମଜଭୁତ କରିବ।

ସିବିଡିଟି ଡାଟା ଅନୁସାରେ ଆଜି ସୁଦ୍ଧା ଆୟକର ସଂକ୍ରାନ୍ତ ୪.୬ ଲକ୍ଷ ମାମଲା କମିସନରଙ୍କ ବିଭିନ୍ନ ପର୍ଯ୍ୟାୟରେ ବିଚାରାଧୀନ ରହିଛି। ସେଥିମଧ୍ୟରୁ ୪.୫ ଲକ୍ଷ ଅପିଲ, ଯାହା ମୋଟ ଅପିଲର ୮୮ ଭାଗ, ତାହା ଏଣିକି ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥାରେ ଶୁଣାଣି ହୋଇ ସମାଧାନ ହେବ। ସେହିଭଳି ଏବେ ଆୟକର ଅପିଲ କମିସନମାନଙ୍କର ଯେଉଁ ସାମର୍ଥ୍ୟ ରହିଛି ନୂଆ ବ୍ୟବସ୍ଥାରେ ତାହାର ପ୍ରାୟ ୮୫ ଶତାଂଶ ବିନିଯୋଗ ହୋଇ ଫେସ୍‌ଲେସ୍‌ ଅପିଲ ବ୍ୟବସ୍ଥାରେ ମାମଲାଗୁଡିକର ସମାଧାନ କରାଯାଇପାରିବ।

Comments
Loading...