ଫେସବୁକରେ ଆଉ ଦେଖାଯିବନି ‘ଲାଇକ୍ସ’ ଓ ‘କମେଣ୍ଟ’ ସଂଖ୍ୟା

ନୂଆଦିଲ୍ଲୀ : ଅଗ୍ରଣୀ ସାମାଜିକ ଗଣମାଧ୍ୟମ ଫେସବୁକ୍‍ ‘ଲାଇକ୍ସ’ ଓ ‘କମେଣ୍ଟ’ ସଂଖ୍ୟା ଦେଖାଇବା ଫିଚରରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ସଂଖ୍ୟା ଖେଳ’କୁ ବନ୍ଦ କରିବା ପାଇଁ ଫେସବୁକ୍‍ ଲାଇକ୍ସ ଓ କମେଣ୍ଟକୁ ଲୁଚାଇବା ବା ହାଇଡ଼ କରିବାର ନୂଆ ଫିଚର ସଂଯୋଗ କରିଛି। ଏହାଦ୍ୱାରା ଜଣେ ଫେସବୁକ ବ୍ୟବହାରକାରୀ ନିଜ ପୋଷ୍ଟର ଲାଇକ୍ସ ଓ କମେଣ୍ଟ ସଂଖ୍ୟାକୁ ଲୁଚାଇ ପାରିବ। ଅର୍ଥାତ ଆପଣ କାହା ଫେସବୁକ ପୋଷ୍ଟରେ କେତେ ଲାଇକ ହେଲା କି କମେଣ୍ଟ ହୋଇଛି ତାହା ଜାଣି ପାରିବେ ନାହିଁ।

ପ୍ରଥମେ ଅଷ୍ଟେଲିଆର ଫେସବୁକ ବ୍ୟବହାରକାରୀଙ୍କୁ ଏହି ନୂଆ ଫିଚର ଦିଆଯାଇଛି। ପରେ ଏହା ଅନ୍ୟ ଦେଶରେ ଲାଗୁ ହେବ ବୋଲି କୁହାଯାଇଛି। ସେପ୍ଟେମ୍ବର ୨୭ରୁ ଅଷ୍ଟ୍ରେଲିଆର ଫେସବୁକ ବ୍ୟବହରକାରୀ ନିଜ ପୋଷ୍ଟରେ ଲାଇକ୍ସ ଏବଂ କମେଣ୍ଟ ସଂଖ୍ୟାକୁ ଲୁଚାଇ ପାରିବେ। କେବଳ ପୋଷ୍ଟ କରିଥିବା ବ୍ୟବହାରକାରୀ ନିଜ ଲାଇକ ଓ କମେଣ୍ଟ ସଂଖ୍ୟା ଦେଖିପାରିବେ। ତାଙ୍କ ଛଡ଼ା ଅନ୍ୟ ବ୍ୟବହାରକାରୀ ଏହାକୁ ଦେଖିପାରିବେ ନାହିଁ। ସେହିପରି ଭିଡ଼ିଓ ପୋଷ୍ଟରେ ଭ୍ୟୁଜ (କେତେଜଣ ଦେଖିଛନ୍ତି) ତାହା ମଧ୍ୟ ଲୁଚାଇ ହେବ। ଏନେଇ ଫେସବୁକ ପକ୍ଷରୁ କୁହାଯାଇଛି ଯେ ଫେସବୁକ ବ୍ୟବହାରକାରୀଙ୍କ ମଧ୍ୟରେ ଲାଇକ୍ସ ଓ କମେଣ୍ଟକୁ ନେଇ ପ୍ରତିଦ୍ୱନ୍ଦ୍ୱିତା ବନ୍ଦ କରିବା ପାଇଁ ଏହି ନୂଆ ଫିଚର ଅଣାଯାଇଛି। ଯୁବ ବ୍ୟବହାରକାରୀଙ୍କ ଉପରେ ପଡୁଥିବା ସାମାଜିକ ଚାପକୁ ଅନୁଭବ କରି ଏହି ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଫେସବୁକରେ ଲୋକମାନେ ନିଜ ମତ, ବିଚାର, ଫଟୋ ଏବଂ ଭିଡ଼ିଓ ସେୟାର କରିବାରେ ଆଉ ଦ୍ୱିଧା ଅନୁଭବ କରିବେ ନାହିଁ। ଅନୁରୂପ ଭାବେ ଫଟୋ ସେୟାରିଂ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମ ନିଜ ବ୍ୟବହାରକାରୀଙ୍କ ପୋଷ୍ଟରେ ଲାଇକ୍ସ ଲୁଚାଇବା ପାଇଁ ଏପ ପ୍ରୋଟୋଟାଇପ ଡିଜାଇନ ଉପରେ କାର୍ଯ୍ୟ କରୁଛି। ଇନଷ୍ଟାଗ୍ରାମର ପ୍ରୋଟୋଟାଇପ ଡିଜାଇନ ବ୍ୟବହାରକାରୀଙ୍କ ଲାଇକ ଲୁଚାଇ ଦେବ କେବଳ ବ୍ୟବହାରକାରୀ ନିଜ ଲାଇକ ଦେଖିପାରିବେ। ପ୍ରୋଟୋଟାଇପ ପୋଷ୍ଟ ନିକଟରେ ଏକ ‘ଭିଉ ଲାଇକ୍ସ’ ବଟନ ରହିବ ଓ ଏହାର ସୁବିଧା ପୋଷ୍ଟ ସେୟାର କରିଥିବା ବ୍ୟବହାରକାରୀଙ୍କୁ ମିଳିବ।

Comments are closed.