ଫେସ୍‌ ବୁକ୍‌ ପ୍ରେମ: ୫ ବର୍ଷର ପୁଅ, ସ୍ୱାମୀ-ଶାଶୂଙ୍କୁ ପର କରି ପ୍ରେମିକ ସହ ଛୁ ମାରିଲା ବଲାଙ୍ଗିର ବୋହୁ

ବିତିଲାଣି ଦେଢ଼ ମାସ, ମିଳୁନି ଖୋଜଖବର; ପୁଅ କହୁଛି: ମା’ କେନେ ଅଛ, ଜଲ୍‌ଦି ଆସ

ବଲାଙ୍ଗିର: ୫ ବର୍ଷର ପୁଅ। ମା’କୁ ନପାଇ ଏକୁଟିଆ ହୋଇଯାଇଛି। ମା’ ଗାଁକୁ ଯାଇଛି ବୋଲି ଭୁଲାଉଛନ୍ତି ଜେଜେ ମା’ ଓ ବାପା। ହେଲେ ୨୪ ଘଣ୍ଟା ପୁଅ ଖୋଜୁଛି ମା’କୁ। କହୁଛି ‘ମା’ କେନେ ଅଛ, ଜଲ୍‌ଦି ଆସ’। ଆଉ ସ୍ୱାମୀ କହୁଛନ୍ତି ସ୍ତ୍ରୀ ସବୁବେଳେ ଉଚ୍ଚାଭିଳାଷୀ। ଦିନ ମଜୁରିଆ ଭାବେ କାମ କରୁଥିବା ସ୍ୱାମୀ ସାଧ୍ୟ ଅନୁସାରେ ସ୍ତ୍ରୀଙ୍କ ଇଚ୍ଛା ପୂରଣ କରୁଥିଲେ। ସକାଳେ ମାର୍କେଟିଂ ପାଇଁ ପଇସା ଦେଇଥିଲେ। ରାତି ଆସି ଦେଖିଲା ବେଳକୁ ସ୍ତ୍ରୀ ନାହିଁ। ନିଜେ ଚିରାଫଟା ପିନ୍ଧି ସ୍ତ୍ରୀର ଖୁସିକୁ ପ୍ରାଥମିକତା ଦେଉଥିଲେ। ପୁଅ ଭଳି ସ୍ତ୍ରୀକୁ ବି ସ୍ୱାମୀଙ୍କ ଆକୁଳ ନିବେଦନ ‘ଜୀବନଠୁ ବି ବେଶୀ ଭଲ ପାଏ। ଫେରି ଆସ ତମେ ଫେରି ଆସ….।’ ଆଉ ଶାଶୂ ବି ବୋହୂକୁ ଫେରି ଆସିବାକୁ ଅନୁରୋଧ କରୁଛନ୍ତି। ବୁଢ଼ୀ ଲୋକ ମୁଁ। ଦେହ ଭଲ ରହୁ ନାହିଁ। ବୋହୂ ତୁ ଚାଲି ଗଲା ପରେ ଏବେ ମୋ ଉପରେ ବୋଝ। ରାନ୍ଧି ବାଢ଼ି ଖାଇବାକୁ ଦେଉଛି। ହେଲେ ପାରୁନି। ତୁ(ବୋହୂ) ଯେଉଁଠି ଅଛୁ ଫେରିଆ।
ୟେ କୌଣସି ଗପ କି ଫିଲ୍ମର ସଂଳାପ ନୁହେଁ। ସତ ଘଟଣା। ଏଭଳି ଘଟଣା ଘଟିଛି ବଲାଙ୍ଗିର ସହରର ରାମେଶ୍ୱର ନଗରରେ। ପ୍ରଥମେ ପ୍ରେମିକଙ୍କୁ ଭଲ ପାଇବା। ଘର ଛାଡ଼ି ଅନ୍ୟତ୍ର ରହିବା। ଆଉ କୋଳରେ ୫ ବର୍ଷର ପୁଅ। ହେଲେ ଫେସ୍‌ ବୁକ୍‌ ପ୍ରେମରେ ପଡ଼ି ପୁଅ, ସ୍ୱାମୀ ଓ ଶାଶୂଙ୍କ କଥା ଚିନ୍ତା ନକରି ଫେସ୍‌ ବୁକ୍‌ ପ୍ରେମିକ ସହ ସ୍ତ୍ରୀ ଫେରାର ହୋଇଯାଇଥିବା ସ୍ଥାନୀୟ ଟାଉନ୍‌ ଥାନାରେ ସ୍ୱାମୀ ବିଶ୍ୱଜିତ ନାୟକ ଅଭିଯୋଗ କରିଛନ୍ତି।

Image courtesy: Hindustan times

କଥାଟି ଏମିତି, କେନ୍ଦ୍ରପଡ଼ା ଜିଲା ଚନ୍ଦନପୁର ଗାଁର ବିଶ୍ୱଜିତ ନାୟକ। ପଡ଼ିଶା ଘର ରାଜସ୍ମିତାଙ୍କୁ ଭଲ ପାଉଥିଲେ। ଉଭୟ ବିବାହ କରିବେ ବୋଲି ନିଷ୍ପତ୍ତି ନେଲେ। ଘରୁ ଉଭୟ ଗୋଡ଼ କାଢ଼ି ବାହାରି ଆସିଲେ। କଟକରେ ରେଜେଷ୍ଟ୍ରି ବିବାହ କଲେ। ବଲାଙ୍ଗିର ରାମେଶ୍ୱର ନଗରରେ ଭଡ଼ା ଘର ନେଇ ଶାଶୂ, ସ୍ୱାମୀ ଓ ସ୍ତ୍ରୀ ରହିଲେ। ସ୍ୱାମୀ ବିଶ୍ୱଜିତ ଏକ ଦୋକାନରେ କାମ କରନ୍ତି। ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳିଯାଏ। ଇତିମଧ୍ୟରେ ୫ ବର୍ଷର ପୁଅଟିଏ ମଧ୍ୟ ସେମାନଙ୍କର ରହିଛି। ହେଲେ ଫେସ୍‌ବୁକ୍‌ର ପ୍ରେମ ଜାଲରେ ପଡ଼ିଗଲେ ରାଜସ୍ମିତା। ଆଶିଷ ରୋହିଲା ଓରଫ ରାଜ ନାମକ ଜଣେ ଯୁବକଙ୍କ ସହ ସେ ବାରମ୍ବାର ଚାଟିଂ ଓ କଥା ହେଉଥିଲେ। ସ୍ୱାମୀ ବିଶ୍ୱଜିତଙ୍କ ସନ୍ଦେହ ହେବାରୁ ରାଜସ୍ମିତା ଭାଇ କରିଛି ବୋଲି ପରିଚୟ ଦେଇଥିଲେ। ମାର୍ଚ୍ଚ ୨ ତାରିଖ ଦିନ ସ୍ୱାମୀ କାମକୁ ଯିବା ପରେ ଶାଶୂଙ୍କୁ ମାର୍କେଟିଂ କରିବାକୁ ଯାଉଛି, ଫେରିବା ବେଳକୁ ସନ୍ଧ୍ୟା ହେଇଯିବ ବୋଲି କହି ଘରୁ ଗୋଡ଼ କାଢ଼ିଥିଲେ ବୋହୂ ରାଜସ୍ମିତା। ରାତି ୧୦ଟାରେ ସ୍ୱାମୀ ବିଶ୍ୱଜିତ ଦୋକାନରୁ ଫେରିବା ପରେ ସ୍ତ୍ରୀଙ୍କୁ ଅନେକ ଖୋଜିଥିଲେ। କୌଣସି ଉପାୟ ନପାଇ ଶେଷରେ ଟାଉନ୍‌ ଥାନାରେ ଅଭିଯୋଗ କରିଥିଲେ। ଆଜି, କାଲି କହି ପୁଲିସ ଦିନ ଗଡ଼ାଇଲା। ଏସ୍‌ପିଙ୍କୁ ବି ଭେଟିଲେ। ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ। ଦେଢ଼ ମାସ ହେଲାଣି ସ୍ତ୍ରୀ ରାଜସ୍ମିତାଙ୍କର କୌଣସି ଖୋଜଖବର ନାହିଁ। ବିଶ୍ୱଜିତଙ୍କ ଅନୁରୋଧ ଯେ, ସ୍ତ୍ରୀକୁ ପୁଲିସ ଖୋଜି ଆଣୁ। ଆଉ ନିରୀହ ୫ ବର୍ଷର ପୁଅ ମୁହଁ ଦେଖି ମା’ ରାଜସ୍ମିତା ନିଜେ ଫେରି ଆସନ୍ତୁ।

Comments are closed.