ଆମେରିକୀୟ ସଂସ୍ଥାର ମନ୍ତବ୍ୟ ଉପରେ କଡ଼ା ଜବାବ : ଅଯଥା ମନ୍ତବ୍ୟ ଅସୌଜନ୍ୟ-ଭାରତ

ନୂଆଦିଲ୍ଲୀ : ଆମେରିକୀୟ ସଂସ୍ଥାର ଏହି ମନ୍ତବ୍ୟ ଉପରେ କଡ଼ା ଜବାବ ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ଭାରତ ସରକାର ଏହାର ନାଗରିକଙ୍କ ମୌଳିକ ଧାର୍ମିକ ଅଧିକାର ପ୍ରତି ସଚେତନ ଅଛନ୍ତି। ଦେଶରେ ବସବାସ କରୁଥିବା ସଂଖ୍ୟା ଲଘୁ ସମ୍ପ୍ରଦାୟର ଶରଣାର୍ଥୀଙ୍କ ସର୍ବନିମ୍ନ ମାନବିକ ଅଧିକାର ଅକ୍ଷୁଣ୍ଣ ରଖିବା ପ୍ରତି ଯତ୍ନବାନ ଅଛନ୍ତି। ଏହି ବିଧେୟକ ସେମାନଙ୍କ ସମସ୍ୟା ଦୂର କରିବ। ଏଭଳି ଉଦ୍ୟମକୁ ସ୍ବାଗତ କରିବା ପରିବର୍ତ୍ତେ ସମାଲୋଚନା କରିବା ଅତ୍ୟନ୍ତ ଅସୌଜନ୍ୟ। ଆମେରିକା ସରକାରଙ୍କ ମନ୍ତବ୍ୟ ସତ୍ୟତା ଉପରେ ଆଧାରିତ ନୁହେଁ। ଉପରେ ପଡ଼ି ଏଭଳି ଅନାବଶ୍ୟକ ମନ୍ତବ୍ୟ ଦେବା ଅନୁଚିତ। ପ୍ରତ୍ୟେକ ରାଷ୍ଟ୍ର ନିକଟରେ ଏହାର ନାଗରିକତ୍ବ ସ୍ଥିତି ଯାଞ୍ଚ ଓ ନବୀକରଣ କରିବା ଅଧିକାର ରହିଛି। ସିଏବି ତଥା ଏନ୍‌ଆରସି (ରାଷ୍ଟ୍ରୀୟ ନାଗରିକତ୍ବ ପଞ୍ଜିକା) ମାଧ୍ୟମରେ କୌଣସି ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ସଂକଟରେ ପକାଇବା ଅଭିପ୍ରାୟ ସରକାରଙ୍କର ନାହିଁ ବୋଲି ରବିଶ କହିଛନ୍ତି।
ରବିଶ କହିଛନ୍ତି ଯେ ଆମେରିକୀୟ ସଂସ୍ଥାର ଅତୀତ ରେକର୍ଡ ଦୃଷ୍ଟିରୁ ଏହାର ସାମ୍ପ୍ରତିକ ଆଶଙ୍କା ନେଇ ଆମେ ଆଦୌ ବିସ୍ମିତ ନୋହୁଁ । କଟକଣା ଜାରି ଭଳି ଧମକ ନେଇ ମଧ୍ୟ ଆଦୌ ଭୟଭୀତ ହେବାର ନାହିଁ; ତେବେ ପରିତାପର ବିଷୟ ହେଉଛି ଯେ ଏହି ସଂସ୍ଥା କିଛି ଭୁଲ୍‌ ତଥ୍ୟ ଓ ଭ୍ରମିତ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ ହେଉଛି। ବାସ୍ତବ ସ୍ଥିତି ସମ୍ପର୍କରେ ଏମାନଙ୍କର ଆଦୌ ଜ୍ଞାନ ନ ଥିବାରୁ ଏଭଳି ମତର କୌଣସି ଗୁରୁତ୍ବ ନାହିଁ ବୋଲି ରବିଶ କହିଛନ୍ତି।

Comments are closed.