ବିଜେପି ଜିଲାସଭାପତିଙ୍କ ଘରେ ବିଳମ୍ବିତ ରାତିରେ ବିସ୍ଫୋରଣ; ଜୋରଦାର ଯାଞ୍ଚ ଜାରି

ଡେରାଡୁନ୍: ଉତ୍ତରାଖଣ୍ଡର ନୈନିତାଲ ବିଜେପି ଜିଲା ସଭାପତି ପ୍ରଦୀପ ବିଷ୍ଟଙ୍କ ଘରେ ମଙ୍ଗଳବାର ବିଳମ୍ବିତ ରାତିରେ ବିସ୍ଫୋରଣ ଘଟିଛି। ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ବିସ୍ଫୋରଣର କାରଣ ବିଷୟରେ ଯାଞ୍ଚ କରାଯାଉଛି।

ବିଜେପି ଜିଲା ସଭାପତି ପ୍ରଦୀପ ବିଷ୍ଟଙ୍କ ହୀରାନଗର ସ୍ଥିତ ବାସଭବନରେ ଗତକାଲି ରାତି ପ୍ରାୟ ସାଢେ ୧୨ଟା ସମୟରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା। ଫଳରେ ଘରର ମୁଖ୍ୟ ଫାଟକ, କବାଟ ଓ ଝରକା ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ବୁଧବାର ସକାଳେ ଡିଆଇଜି ନିଲେଶ ଆନନ୍ଦ ଭରଣେ ଘଟଣାର ଯାଞ୍ଚ କରିବାକୁ ସେଠାରେ ପହଞ୍ଚିଛନ୍ତି। କ୍ୟାବିନେଟ୍ ମନ୍ତ୍ରୀ ବଂଶୀଧର ଭଗତ ଓ ମେୟର ଯୋଗେନ୍ଦ୍ର ପାଲ ସିଂହ ରୌତେଲା ମଧ୍ୟ ତାଙ୍କ ବାସଭବନରେ ପହଞ୍ଚିଛନ୍ତି।

ଘଟଣାସ୍ଥଳରେ ଉପସ୍ଥିତ ଜିଲାଧିକାରୀ ଧୀରଜ ସିଂହ ଗର୍ବ୍ୟାଲ କହିଛନ୍ତି ଯେ, ଯାଞ୍ଚ ପରେ ବିସ୍ଫୋରଣର କାରଣ ବିଷୟରେ ଜଣାପଡ଼ିବ। ଯାଞ୍ଚ ପାଇଁ ଫରେନ୍ସିକ୍ ଟିମର ସହାୟତା ମଧ୍ୟ ନିଆଯାଉଛି।

ଅପର ପକ୍ଷରେ ଉକ୍ତ ଘଟଣାର ଯାଞ୍ଚ ପାଇଁ ଡିଆଇଜିଙ୍କୁ ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ। ଏଥିସହ ଜିଲା ସଭାପତିଙ୍କ ସହ ସେ କଥା ହୋଇଛନ୍ତି।

Comments are closed.