ରାଜଧାନୀରେ ବଢୁଥିବା ସାଇବର କ୍ରାଇମ ରୋକିବା ଲାଗି ଗଠନ ହେବ ଏକ୍ସପର୍ଟ ଟିମ୍‍

ଭୁବନେଶ୍ୱର : ରାଜଧାନୀରେ ବଢୁଥିବା ସାଇବର ଅପରାଧ ରୋକିବା ଏବଂ ଏହାର ତଦନ୍ତ କିଭଳି ଭଲ ଭାବରେ କରାଯାଇପାରିବ ସେଥିପାଇଁ କମିସନରେଟ ପୁଲିସ ନୂତନ ରଣନୀତି ପ୍ରସ୍ତୁତ କରୁଛି। କେବଳ ଟଙ୍କା ଠକେଇ ନୁହେଁ ବର୍ତ୍ତମାନ ସବୁ ଅପରାଧରେ ପୁଲିସକୁ ସାଇବର ତଦନ୍ତର ଆବଶ୍ୟକତା ଦେଖାଦେଇଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି କମିସନରେଟ୍‍ ପୁଲିସ କିଛି ଅଫିସରଙ୍କୁ ନେଇ ସାଇବର ଏକ୍ସପର୍ଟ ଟିମ୍‍ ଗଠନ କରିବାକୁ ଯୋଜନା ରଖିଥିବା ଡିସିପି ଡ. ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ସାଇବର ଅପରାଧ ହେଲେ ପ୍ରାୟ ସମୟରେ ପୁଲିସ ମାମଲା ରୁଜୁ କରିବାକୁ ଚିନ୍ତା କରିଥାଏ।

ଏହି ଅପରାଧ ତଦନ୍ତ କରିବାକୁ ହେଲେ ଏଥିରେ ଆଗ୍ରହ ବା ଅଭିଜ୍ଞତା ରହିଥିବା ଦରକାର। ତେଣୁ ସାଇବର ତଦନ୍ତକୁ ଅଧିକ ସକ୍ରିୟ କରିବା ଲାଗି କମିସନରେଟ ପୁଲିସ ୬ଜଣ ଏସ୍‍ଆଇଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍‍ ଗଠନ କରିବାକୁ ଯାଉଛି। ରାଜଧାନୀବାସୀଙ୍କୁ ଏଭଳି ଅପରାଧରେ ଆଉ କ୍ରାଇମ୍‍ବ୍ରାଞ୍ଚର ସାଇବର ଥାନା ଉପରେ ନିର୍ଭର କରିବାକୁ ହେବନାହିଁ ବୋଲି ଆଶା କରାଯାଉଛି। ଉକ୍ତ ଟିମ୍‍କୁ ଅଧିକ ମଜବୁତ୍‍ କରିବାକୁ ପ୍ରଶିକ୍ଷଣ ଦିଆଯିବା ଯୋଜନା ରହିଛି ବୋଲି ଡିସିପି ସୂଚନା ଦେଇଛନ୍ତି।

Comments are closed.