ବଙ୍ଗ, କେରଳ ଓ ଆସାମରେ ସ୍ଥିର ; ବଦଳିବ ତାମିଲନାଡୁ ଓ ପୁଡୁଚେରୀ ସରକାର

ସରିଲା ୫ ରାଜ୍ୟର ନିର୍ବାଚନ: ବାହୁଡା ମତର ଆକଳନ, ୨ରେ ଭୋଟ ଗଣତି

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ଶେଷ ହୋଇଛି। ମତଦାନ ଶେଷ ପରେ ଗୁରୁବାର ମତଦାତାଙ୍କ ମତାମତ (ବୁଥ୍‌ ଫେରନ୍ତା ମତ) ଆଧାରରେ ଏହିସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ଗଠନ ନେଇ ପୂର୍ବାନୁମାନ କରାଯାଇଛି। ବିଭିନ୍ନ ତଥ୍ୟ ସଂଗ୍ରହକାରୀ ସଂସ୍ଥା ଓ ଟେଲିଭିଜନ ଚ୍ୟାନେଲ୍‌ ପକ୍ଷରୁ ମତଦାନ ସାରି ଫେରୁଥିବା ମତଦାତାଙ୍କ ମତକୁ ଆଧାର କରି ସରକାର ଗଠନର ପୂର୍ବାନୁମାନ କରାଯାଇଛି। ମତାମତ ଅନୁଯାୟୀ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ବ ତୃଣମୂଳ କଂଗ୍ରେସ କ୍ଷମତା ବଜାୟ ରଖିବା ନେଇ କେତେକ ସଂସ୍ଥା ପୂର୍ବାନୁମାନ କରିଥିବାବେଳେ ଆଉ କେତେକ ସଂସ୍ଥା ବିଜେପି ସରକାର ଗଠନ ନେଇ ପୂର୍ବାନୁମାନ କରିଛନ୍ତି। ସେହିପରି କେରଳରେ ଏଲ୍‌ଡିଏଫ୍‌ ଇତିହାସ ରଚି ପୁନର୍ବାର କ୍ଷମତାକୁ ଫେରିବା ଆକଳନ କରାଯାଇଛି।

ତେବେ ତାମିଲନାଡୁରେ ଏଥର ଏଆଇଏଡିଏମ୍‌କେକୁ ପଛରେ ପକାଇ ଡିଏମ୍‌କେ ସରକାର ଗଠନ କରିବାର ପୂର୍ବାନୁମାନ କରାଯାଇଛି। ତେବେ ଆସାମ ବିଜେପି କ୍ଷମତା ବଜାୟ ରଖିବାକୁ ପୂର୍ବାନୁମାନ କରାଯାଇଥିବାବେଳେ ପୁଡୁଚେରୀରେ କଂଗ୍ରେସକୁ ହରାଇ ବିଜେପି ନେତୃତ୍ବ ମେଣ୍ଟ ସରକାର ଗଠନ କରିବା ସମ୍ଭାବନା ରହିଛି। ମେ ୨ ତାରିଖ (ରବିବାର) ଏହିସବୁ ବିଧାନସଭାର ମତ ଗଣନା ହେବାକୁଥିବାବେଳେ ଏହିଦିନ ବାସ୍ତବ ଫଳ ଜଣାପଡିବ।

Comments are closed.