‘ତିତଲି’: ମୃତ୍ୟୁ ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି

0

ଭୁବନେଶ୍ୱର: ମହାବାତ୍ୟା ‘ତିତଲି’ରେ ୫୨ ଲୋକଙ୍କ ମୃତ୍ୟୁ ଘଟିଥିବା ସରକାରୀ ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ମୃତଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦିଆଯିବ। ପୂର୍ବରୁ ଏହା ୪ ଲକ୍ଷ ଥିଲା। ବୁଧବାର ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ବୁଧବାର ଗଜପତି ଜିଲା ଗଙ୍ଗାବାଡ଼ ପଞ୍ଚାୟତର ଚମ୍ପାପୁରରେ ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ସହାୟତା ରାଶି ବୃଦ୍ଧି ସହିତ ଆହୁରି ଅନେକ ଘୋଷଣା କରିଛନ୍ତି। ପାହାଡ଼ ଉପରେ ଥିବା ବାରଘର ଗାଁକୁ ପାହାଡ଼ ତଳକୁ ଅଣାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଆଜି ହିତାଧିକାରୀଙ୍କୁ ପଟ୍ଟା ବାଣ୍ଟିଛନ୍ତି। ଏଥିସହିତ ‘ତିତଲି’ ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ପରିବାରର ଅନାଥ ପିଲାଙ୍କ ସମସ୍ତ ଦାୟିତ୍ୱ ରାଜ୍ୟ ସରକାର ନେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ସେମାନଙ୍କୁ ରାଜ୍ୟ ସରକାର ପୋଷ୍ୟ ସନ୍ତାନ ରୂପେ ଗ୍ରହଣ କରି ଭରଣପୋଷଣ, ପାଠପଢ଼ା ସହିତ ଆତ୍ମନିର୍ଭରଶୀଳ କରିବାର ଦାୟିତ୍ୱ ନେବେ। ସେଠାରୁ ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳର ପରିଦର୍ଶନ ପାଇଁ ଭଞ୍ଜନଗର ଯାଇଛନ୍ତି। ‘ତିତଲି’ରେ ଯେଉଁ ପରିବାରର ଘର ଭାଙ୍ଗି ଯାଇଥିବ ସେମାନଙ୍କୁ ବିଜୁ ପକ୍କା ଘର ଯୋଗାଇ ଦେବାକୁ ସେଠାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘୋଷଣା ଯେପରି ତତ୍କାଳ କାର୍ଯ୍ୟକାରୀ ହୁଏ ସେଥିପ୍ରତି ପଦକ୍ଷେପ ନେବାକୁ ସମସ୍ତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

Leave A Reply