ନିର୍ଭୟା ଗଣଦୁଷ୍କର୍ମର ଦୋଷୀଙ୍କୁ ଫାଶି ଖୁଣ୍ଟରେ ଚଢାଇବା ପାଇଁ ତିହାର ଜେଲରେ ନାହାନ୍ତି ଜହ୍ଲାଦ

ନୂଆଦିଲ୍ଲୀ: ଦିଲ୍ଲୀରେ ୨୦୧୨ ଡିସେମ୍ବରରେ ଏକ ଚଳନ୍ତା ବସ ଭିତରେ ମେଡିକାଲ ଛାତ୍ରୀ ନିର୍ଭୟା ସହ ଗଣ ଦୁଷ୍କର୍ମ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ସାରା ଦେଶ ଏହି ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କର୍ୟ୍ୟାନୁଷ୍ଠାନ ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସିଥିଲା। ଏହା ପରେ ତଦନ୍ତ କରାଯାଇ ଦୋଷୀଙ୍କୁ ଗିରଫ କରାଯାଇ ତିହାର ଜେଲକୁ ପଠାଇ ଦିଆଯାଇଥିଲା। ଏହି ଘଟଣାରେ କୋର୍ଟ ମଧ୍ୟ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଥିଲେ।

ଆଉ ମାତ୍ର କିଛି ଦିନ ମଧ୍ୟରେ ଦୋଷୀଙ୍କ ଫାଶି ଦିଆଯିବାର ଥିବା ବେଳେ ତିହାର ଜେଲରେ ଦୋଷୀଙ୍କ ଫାଶିଖୁଣ୍ଟରେ ଝୁଲାଇବା ପାଇଁ କେହି ଜହ୍ଲାଦ ନଥିବା ଖବର ସାମ୍ନାକୁ ଆସିଛି। ନିର୍ଭୟା ଘଟଣାରେ ଏହି ଦୋଷୀମାନଙ୍କ ପାଖରେ ଫାଶି ଦଣ୍ଡାଦେଶରୁ ବର୍ତ୍ତିବାର ବହୁତ କମ୍ ବିକଳ୍ପ ରହିଛି। ଦୋଷୀଙ୍କ ପାଖରେ ରାଷ୍ଟ୍ରପତିଙ୍କ ପାଖରୁ ରାଜକ୍ଷମା ଆବେଦନ କରିବାର ଏକ ବିକଳ୍ପ ରହିଛି। କିନ୍ତୁ ଯଦି ରାଷ୍ଟପତି ରାଜକ୍ଷମାକୁ ପତ୍ୟାହାର କରନ୍ତି ତେବେ ଏକ ମାସ ମଧ୍ୟରେ ଦୋଷୀଙ୍କ ଫାଶିଖୁଣ୍ଟରେ ଝୁଲିବାକୁ ପଡିବ। କିନ୍ତୁ ତିହାର ଜେଲ ପ୍ରଶାସନଙ୍କ ପାଖରେ ଜହ୍ଲାଦ ନଥିବା ସାମ୍ନକୁ ଆସିବା ପରେ ଦୋଷୀଙ୍କୁ କିଏ ଫାଶି ଖୁଣ୍ଟରେ ଚଢାଇବ ତାକୁ ନେଇ ଚର୍ଚା ଲାଗିରହିଛି।

ଏହା ପୂର୍ବରୁ ମଧ୍ୟ ସଂସଦ ଆକ୍ରମଣ ଘଟଣାର ଦୋଷୀ ଅଫଜଲ ଗୁରୁକୁ ତିହାର ଜେଲରେ ଫାଶି ଦିଆଯାଇଥିଲା। ଏହି ସମୟରେ ମଧ୍ୟ ତିହାର ଜେଲରେ ଜହ୍ଲାଦ ନଥିଲେ। ଏହି ସମୟରେ ଜେଲ ଅଧିକାରୀଙ୍କ ନିର୍ଦେଶ କ୍ରମେ ଜଣେ ଜେଲ କର୍ମଚାରୀ ଏହି କାର୍ୟ୍ୟ ସଂପାଦନ କରିଥିଲେ।
ସୂଚନାଅନୁସାରେ ତିହାର ଜେଲ କର୍ତ୍ତୁପକ୍ଷ ଏହି ଜହ୍ଲାଦ ସମସ୍ୟାରୁ ମୁକ୍ତି ପାଇଁ ଅନ୍ୟ ଜେଲ ମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଅନ୍ୟ ଜେଲରେ କେହି ଜହ୍ଲାଦ ଥିଲେ ସେମାନେ ତାଙ୍କୁ ଆଣି କାର୍ୟ୍ୟସମ୍ପାଦନ କରି‌ବେ। ଏଥି ପାଇଁ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ମଧ୍ୟ ତିହାର ଜେଲ କର୍ତ୍ତୁପକ୍ଷ ଜହ୍ଲାଦ ଖୋଜିବା ଜାରୀ ରଖିଛନ୍ତି।
ତେବେ ବର୍ତ୍ତମାନର ସ୍ଥିତିକୁ ଦେଖିବାକୁ ଗଲେ ତିହାର ଜେଲରେ ଜହ୍ଲାଦ ପୋଷ୍ଟ ପାଇଁ କାହାକୁ ନିଯୁକ୍ତ କରାଯିବ ନାହିଁ। ବରଂ ଚୁକ୍ତିଭିତ୍ତିକ ଭାବରେ ଜଣଙ୍କୁ ନିଯୁକ୍ତ କରିବା ପାଇଁ ପ୍ରଶାସନ ବିକଳ୍ପ ଭାବିଛି। ଜେଲର ଜଣେ ଅଧିକାରୀ କହିଛନ୍ତି ଫାଶି ଦଣ୍ଡାଦେଶ ବହୁତ କମ୍ ଲୋକଙ୍କୁ ହୋଇଥାଏ। ଏହି କାରଣରୁ ଜଣେ ସବୁଦିନିଆ ଜହ୍ଲାଦର କୌଣସି ଆବଶ୍ୟକତା ପଡେ ନାହିଁ। ଅନ୍ୟ ପକ୍ଷରେ ଜହ୍ଲାଦ ପୋଷ୍ଟ ପାଇଁ ଜଣେ ସ୍ଥାୟୀ କର୍ମଚାରୀ ପାଇବା ବି ମୁସ୍କିଲ।

Comments are closed.