ରାଜ୍ୟରେ ପ୍ରଥମ ଘଟଣା : ସମ୍ବଲପୁରରୁ ଜବତ ହେଲା ୧୮୬ଟି ନକଲି ସାନିଟାଇଜର

ସମ୍ବଲପୁର : ସାର ବିଶ୍ୱରେ କରୋନା ଭୂତାଣୁର ପ୍ରକୋପ ଚାଲିଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପ୍ରତିଷେଧ ବ୍ୟବସ୍ଥା ସହିତ ସର୍ତକତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଉଛନ୍ତି। ଏହି ଭୂତାଣୁର ରକ୍ଷା ପାଇବା ପାଇଁ ବାରାମ୍ବାର ହାତକୁ ସାବୁନରେ ଧୋଇବା, ସାନିଟାଇଜର ଓ ମାସ୍କ ବ୍ୟବହାର କରିବା ପାଇଁ ସରକାର ବାରମ୍ବାର ପରାମର୍ଶ ଦେଉଛନ୍ତି। ଏଣୁ ଏବେ ବହୁ ସ୍ଥାନରେ ସାନିଟାଇଜର ଓ ମାସ୍କର ଅଭାବ ଦେଖା ଦେଇଥିବା ବେଳେ ଏହାର କଳାବଜାର ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ ସରକାର କଳାବଜାର କରୁଥିବା ବ୍ୟକ୍ତି ମାନଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଥିବାରୁ ପ୍ରଶାସନିକ ଅଧିକାରୀ ମାନେ ବାରମ୍ବାର ଚେକିଂ ମଧ୍ୟ ଚଳାଇଛନ୍ତି। ଏହି କ୍ରମରେ ସମ୍ବଲପୁରର ବ୍ୟବସାୟିକ ପେଣ୍ଠସ୍ଥଳି କ୍ଷେତରାଜପୁର ଠାରେ ରହିଥିବା ଗୋପାଲ ସର୍ଜିକାଲ ନାମକ ଏକ ହୋଲସେଲ ଙ୍କ ଠାରୁ ୧୮୬ଟି ନକଲି ସାନିଟାଇଜର ଜବତ କରାଯାଇଛି। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଡ୍ରଗ ଇନିସ୍ପକେଟର ସତ୍ୟନାରାୟଣ ମଲ୍ଲିକ ଙ୍କ ନେତୃତ୍ୱରେ ଚଢ଼ଉ ଅଭିଯାନ କରାଯାଇଥିଲା। ଚଢ଼ଉ ସମୟରେ ୧୮୬ଟି ନକଲି ସାନିଟାଇଜର ମିଳିବାରୁ ତୁରନ୍ତ ସେଗୁଡିକୁ ଡ୍ରଗ ଆଇନ ଅନୁଯାୟୀ ଜବତ କରି ସିଲ କରି ଦିଆଯାଇଛି। ଏ ସର୍ମ୍ପକରେ ଡ୍ରଗ ଇନିସ୍ପକେଟର ସତ୍ୟନାରାୟଣ ମଲ୍ଲିକ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜବତ ହୋଇଥିବା ‘କୋକ୍ଲିନ ୧୯’ ନାମକ ସାନିଟାଇଜର ଗୁଡିକ ନକଲି ଭଳି ଜଣାପଡୁଛି। ଏଣୁ ସର୍ଜିକଲା ହୋଲସେଲର ର ମାଲିକ ଗୋପାଲ ଅଗ୍ରୱାଲଙ୍କୁ ଫର୍ମ ୧୫ ଇସ୍ୟୁ କରି ସମସ୍ତ ସାମଗ୍ରୀ ଗୁଡିକୁ ଫ୍ରିଜ କରିଦିଆଯାଇଛି। ଜବତ ସାମଗ୍ରୀ ଗୁଡିକୁ ଯାଞ୍ଚ ପରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଅଧିକାରୀ ମଲ୍ଲିକ କହିଛନ୍ତି। ଅନ୍ୟ ପଟରେ ରାଜ୍ୟରେ ନକଲି ସାନିଟାଇଜର ମିଳିବା ଘଟଣା ପ୍ରଥମ ଅଟେ। ସାନିଟାଇଜରର ଅଭାବ ବଜାରରେ ଚାଲିଥିବା ବେଳେ ସମ୍ବଲପୁରରୁ ବିପୁଳ ମାତ୍ରାରେ ନକଲି ସାନିଟାଇଜର ମିଳିବା ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଛି।

ସୂଚନାଯୋଗ୍ୟ ଯେ, ଦୁଇ ଦିନ ତଳେ ତେଲେଙ୍ଗାନା ରାଜ୍ୟର ରାଜଧାନୀ ହାଇଦ୍ରାବାଦରୁ ଏହି ସମାନ ବ୍ରାଣ୍ଡ ନାମରେ ପୁଲିସ ବିପୁଳ ମାତ୍ରାରେ ନକଲି ସାନିଟାଇଜର ଜବତ କରିଛି। ସେହି ସମାନ ବ୍ରାଣ୍ଡ ନାମର ସାନିଟାଇଜର ସମ୍ବଲପୁରରୁ ଜବତ ହେବା ପରେ ଏହି ନକଲି ସାନିଟାଇଜର  ରାକେଟର ଚେର ବହୁ ଦୂର ପର୍ଯ୍ୟନ୍ତ ଲମ୍ବିଥିବାର ଅନୁମାନ କରାଯାଉଛି। ଏଣୁ ଏହି ମାମଲାର ଗଭୀର ତଦନ୍ତ କରାଯାଇ ଭେଜାଲ ସାମଗ୍ରୀ ବିକ୍ରେତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବୀ ହେଉଛି

Comments are closed.