କୋରଙ୍ଗାରେ ଅବକାରୀ ଚଢାଉ ; ୯୨୭୫ଲିଟର ପୋଚ ଓ ୪୨୦ଲିଟର ମଦ ଜବତ

ଆଠଗଡ : କଟକ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଭୋର ମିଳିତ ସ୍କାର୍ଡ କୋରଙ୍ଗା ଗ୍ରାମରେ ଚଢାଉ କରି ବିପୁଳ ପରିମାଣର ଗୁଡପୋଚ ଓ ମଦ ଜବତ କରିଥିବା ଜଣାପଡିଛି। କଟକ ଜିଲ୍ଲା ଅବକାରୀ ଉପଅଧିକ୍ଷକ ଦେବାଶିଷ ପଟେଲ ଓ ଅନ୍ୟତମ ଉପଅଧିକ୍ଷକ ସିଦେ୍ଧଶ୍ୱର ବେସ୍ରାଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢାଉରେ ଆଠଗଡ ପୁଲିସ ସହଯୋଗ କରିଥିଲେ। କୋରଙ୍ଗା ଗ୍ରାମର ଚାଷଜମି, ଝାଟି ଜଙ୍ଗଲ ଅଞ୍ଚଳରେ ଏକାଧିକ ସ୍ଥାନରେ ଚାଲିଥିବା ମଦଭାଟି ଓ ଗ୍ରାମର ମଦପ୍ରସ୍ତୁତିର ସଂପୃକ୍ତ କେତେକ ମାଫିଆଙ୍କ ଘର ଉପରେ ଅବକାରୀ ସ୍କାର୍ଡ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ଶତାଧିକ ପ୍ଲାଷ୍ଟିକ ଜାରକିନରେ ମଦପ୍ରସ୍ତୁତି ପାଇଁ ଗଚ୍ଛିତ ଥିବା ୯୨୭୫ଲିଟର ଗୁଡପୋଚ ଏବଂ ଚାଲାଣ ପାଇଁ ରଖାଯାଇଥିବା ସଦ୍ୟପ୍ରସ୍ତୁତ ୪୨୦ଲିଟର ଦେଶୀମଦ ଜବତ କରାଯାଇଥିଲା। ତେବେ ଚଢାଉ ପୂର୍ବରୁ ମଦମାଫିଆମାନେ କୌଶଳକ୍ରମେ ଚମ୍ପଟ ମାରିଥିବାରୁ ସେମାନଙ୍କୁ ଗିରଫ କରାଯାଇ ପାରିନଥିଲା। ଏହି ଚଢାଉରେ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ, ସଂଜୀତ ବାର୍ଲା, ସରୋଜ କୁମାର ପରିଡା, ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ, ମାଗୁଣି ଚରଣ ମାଝି, ମନିସା ଭୋଳ, ସଚ୍ଚିନ କୁମାର ବେହେରା, ରାଜକିଶୋର ଜେନା ପ୍ରମୁଖଙ୍କ ସମେତ ଅନ୍ୟ ଅବକାରୀ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ସୂଚନାଥାଉକି ଗତକାଲି (ଗୁରୁବାର) ଆଠଗଡ ଥାନା ଅନ୍ତର୍ଗତ ନଡୁଆପଡା ଛକଠାରେ ଏକ ଟିଭିଏସ ଆପାଚେ ବାଇକ୍‌ରେ ୨ଟି ବ୍ଲାଡର ମଧ୍ୟରେ ଚାଲାଣ କରାଯାଉଥିବା ୪୦ଲିଟର ଦେଶୀମଦ ଜବତ କରାଯାଇଥିଲା। ବାଇକ ଜବତ ହେବା ସହ ଏଥିରେ ସଂପୃକ୍ତ ବାଙ୍କୀର ଘସିପୁର ଗ୍ରାମର ସୋନୁ ଭୋଇ ଓ ଜଗନ ଭୋଇଙ୍କୁ ଗିରଫ କରାଯାଇଥିଲା।

Comments are closed.