ଅବକାରୀ ଚଢ଼ାଉ: ୮୬୨୦ କେଜି ପୋଚ ସହ ୬୩୮ ଲିଟର ମହୁଲି ମଦ ଜବତ

ପାଟଣା : ପାଟଣା ଅବକାରୀ ଥାନା ଅଞ୍ଚଳରେ ଆଜି ଅବକାରୀ ବିଭାଗ ପକ୍ଷରୁ ଏକ ବଡଧରଣର ଚଢ଼ାଉ କରାଯାଇଛି। ଏହି ସମୟରେ ମୋଟ ୮ ହଜାର ୬୨୦ କେଜି ପୋଚ ଓ ୬୩୮ ଲିଟର ମହୁଲି ମଦ ଜବତ କରାଯିବା ସହ ମଦ ରନ୍ଧାରେ ବ୍ୟବହୃତ ବହୁ ସାଜସରଞ୍ଜାମ ଜବତ କରାଯାଇଛି ।

ରାଜ୍ୟ ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଗୁଇନ୍ଦା ସଂସ୍ଥା ସମ୍ବଲପୁର ଓ ଜିଲ୍ଲା ଅବକାରୀ କର୍ମଚାରୀମାନଙ୍କ ଚଢ଼ାଉ ସମୟରେ ପାଟଣା ଅବକାରୀ ଥାନା ଅଞ୍ଚଳ ହୀରାପଶି ଗ୍ରାମରୁ ୮୨୨୦ କେଜି ମହୁଲ ପୋଚ ଓ ୪୩୦ ଲିଟର ମହୁଲି ମଦ, ପୁରୁଣା ପାଣି ଗ୍ରାମରୁ ୪ ଶହ କେଜି ମହୁଲ ପୋଚ ସହ ୨ ଶହ ଲିଟର ମହୁଲି ମଦ ସହ ସେହି ଗ୍ରାମର ଜଣେ ମହିଳାଙ୍କଠାରୁ ୮ ଲିଟର ମହୁଲି ମଦ ଅବକାରୀ ବିଭାଗ ଜବତ କରିଛି । ସେହିପରି ରାଧାପୁର, ଭାଲିଆଡିହା ଆଦି ଗ୍ରାମରେ ଅବକାରୀ ବିଭାଗ ମଧ୍ୟ ଚଢ଼ାଉ କରିଛି । ଅବକାରୀ ଗୁଇନ୍ଦା ସଂସ୍ଥାର ଭାରପ୍ରାପ୍ତ ନୀରିକ୍ଷକ ଶୃତିକାନ୍ତ ରାଉତ, ଜିଲ୍ଲା ସଦର ଅବକାରୀ ନୀରିକ୍ଷକ ନିମାଇଁ ଚରଣ ସିଂହ , ଭ୍ରାମ୍ୟମାଣ ଦଳ ଅବକାରୀ ଉପ ନୀରିକ୍ଷକ ଦୀଲେଶ୍ବର ନାଏକ, ଘଟଗାଁ ଅବକାରୀ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ପରିଡା, ପାଟଣା ଅବକାରୀ ଥାନା ଅଧିକାରୀ ଦିଲ୍ଲିପ କୁମାର ତାଣ୍ଡି ପ୍ରମୁଖଙ୍କ ସହ ଗୁଇନ୍ଦା ସଂସ୍ଥା, ଜିଲ୍ଲା ଅବକାରୀ ବିଭାଗ, ସଦର, ଘଟଗାଁ ଓ ପାଟଣା ଅବକାରୀ ବିଭାଗ ର ପାଖାପାଖି ୭୦ ଜଣ ଅଧିକାରୀ ଓ କର୍ମଚାରୀ ଚଢ଼ାଉରେ ସାମିଲ ଥିଲେ । ଆଗକୁ ମଧ୍ୟ ଏହି ଭଳି ବଡଧରଣର ଚଢ଼ାଉ ଜାରି ରହିବ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ସୀତାକାନ୍ତ ମୁଦୁଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Comments are closed.