ଲକ୍‌ଡାଉନ୍‌ ସରିବା ମାତ୍ରେ ଘୋଷଣା ହେବ ପରୀକ୍ଷା ତାରିଖ

ଭୁବନେଶ୍ୱର: କରୋନା ଯୋଗୁଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଜୁନ୍‌ ୧୭ ଯାଏଁ ବନ୍ଦ ଥିବାବେଳେ ପରୀକ୍ଷାଗୁଡିକ ସ୍ଥଗିତ ରହିଛି। ଛାତ୍ରଛାତ୍ରୀଙ୍କ ପାଠପଢା, ପରୀକ୍ଷା ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଶନିବାର ଉଚ୍ଚଶିକ୍ଷା ବିଭାଗର ଜରୁରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଲକ୍‌ଡାଉନ୍‌ ସରିବା ମା‌େ‌ତ୍ର ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ବିଭାଗୀୟ ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୦ ତାରିଖଠାରୁ ବିଭାଗର ଗ୍ରୁପ୍‌ ଏ କାଟାଗୋରୀର ସମସ୍ତ କର୍ମଚାରୀ କାର୍ୟ୍ୟାଳୟ ଆସିବେ। ସେହିପରି ସି ଓ ଡି କାଟାଗୋରୀର ୫୦ % କର୍ମଚାରୀ କାର୍ୟ୍ୟାଳୟ ଆସିବେ। ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ସହ ବିଚାରବିମର୍ଶ କରାଯିବ। ଲକ୍‌ଡାଉନ୍‌ ସରିବା ପରେ ଅର୍ଥାତ୍‌ ମେ’ ୩ ବେଳକୁ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡିକର ପରୀକ୍ଷାର ତାରିଖ ଘୋଷଣା କରାଯିବ।

ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଜ(ୟୁଜିସି) ପକ୍ଷରୁ ପରୀକ୍ଷା ପରିଚାଳନା ଓ ଶିକ୍ଷା କ୍ୟାଲେଣ୍ଡର ପାଇଁ ଏକ ୭ ଜଣିଆ କମିଟି ଗଠନ କରାଯାଇଛି। କମିଟି ରିପୋର୍ଟକୁ ଆଧାର କରି ଏକ ନିୟମାବଳୀ ୟୁଜିସି ପ୍ରକାଶ କରିବ। ଏହାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତର୍ଜମା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଏହି ବୈଠକରେ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ। ବିଭାଗୀୟ ମନ୍ତ୍ରୀ ଡ. ସାହୁ କହିଛନ୍ତି ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ବିବିଧ ପଦକ୍ଷେପ ନିଆଯାଇଛି। ଘରେ ରହି ସମୟକୁ ସଦ୍‌ଉପଯୋଗ କରିବା ସହ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ହୋଇ ରହିବାକୁ ପରାମର୍ଶ ଦେଇଛନ୍ତି। ଲକ୍‌ଡାଉନ୍‌ ସରିବା ପରେ ପରୀକ୍ଷା ତାରିଖ ଘୋଷଣା ହେବା ସହ ଶିକ୍ଷାନୁଷ୍ଠାନ ଖୋଲିବା ମାତ୍ରେ ପରୀକ୍ଷା ହେବ ବୋଲି ସେ କହିଛନ୍ତି।

Comments are closed.