ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ‘ପରୀକ୍ଷା ପର୍ବ’ : ଚାପ ଦୂର କରିବେ ଅଭିଭାବକ ଓ ଶିକ୍ଷକ’

ଭୁବନେଶ୍ବର : ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଅନୁରୋଧ କ୍ରମେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ରାଜ୍ୟସ୍ତରୀୟ ପରୀକ୍ଷା ପର୍ବ ସମ୍ବନ୍ଧରେ ଏକ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଆଗକୁ ପରୀକ୍ଷା ଋତୁ ଆସୁଥିବାରୁ ପିଲାଙ୍କ ମନରୁ ଭୟ ଦୂର କରିବା ପାଇଁ ଏହି କର୍ମଶାଳା ମାଧ୍ୟମରେ ସଚେତନ କରିବାକୁ ପ୍ରୟାସ କରାଯାଇଛି। ଏଥିରେ ବହୁ ଅଭିଭାବକଙ୍କ ସମେତ ପଦାଧିକାରୀ ଉପସ୍ଥିତି ଥିଲେ।
କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ କହିଥିଲେ ପରୀକ୍ଷାକୁ ଛାତ୍ରଛାତ୍ରୀ ଏକ ପର୍ବ ଭାବେ ନେବାର ଆବଶ୍ୟକତା ରହିଛି। ବିଦ୍ୟାର୍ଥୀ ଭୟ ଓ ଚାପରୁ ଦୂରରେ ରହି ଉତ୍ସାହର ସହ ପରୀକ୍ଷା ଦେବାର ଆବଶ୍ୟକତା ରହିଛି। ଅଭିଭାବକ ଓ ଶିକ୍ଷକଙ୍କର ନୈତିକ ଦାୟିତ୍ବ ହେଉଛି ବିଦ୍ୟାର୍ଥୀଙ୍କ ମନରୁ ଭୟ ଓ ଚାପ ଦୂର କରିବା। କେବଳ ସାର୍ଟିଫିକେଟ୍‌ ଓ ମାର୍କ ପଛରେ ଦୈଡ଼ିଲେ ହେବ ନାହିଁ । ଏହି ବାବଦରେ ଅଭିଭାବକମାନେ ସଚେତନ ହେଲେ ପିଲାମାନେ ଚାପମୁକ୍ତ ହୋଇ ପାରିବେ। ପରୀକ୍ଷାକୁ ଛାତ୍ରଛାତ୍ରୀ ଆନନ୍ଦର ସହିତ ପର୍ବ ଭାବରେ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ଦାଶ ମତବ୍ୟକ୍ତ କରିଥିଲେ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ଆଦର୍ଶ ବିଦ୍ୟାଳୟର ଉପଦେଷ୍ଟା ଡ. ବିଜୟ କୁମାର ସାହୁ ପିଲାମାନେ ପରୀକ୍ଷା ସମୟରେ ଧୈର୍ୟ୍ୟ ଏବଂ ସଞ୍ଜମତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି । ଦେଶରେ ପ୍ରାୟ ୨୭ ହଜାର ଛାତ୍ରଛାତ୍ରୀଙ୍କର ପରୀକ୍ଷା ଚାପ ଯୋଗୁଁ ପ୍ରତିବର୍ଷ ମୃତ୍ୟୁ ହେଉଥିବାରୁ କର୍ମଶାଳାରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି କର୍ମଶାଳାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ମନୋବିଜ୍ଞାନୀ ପ୍ରାଧ୍ୟାପକ ଡ. ଉଦୟନାଥ ଦାଶ, ସାମାଜିକ ବିଜ୍ଞାନ ଶିକ୍ଷା ବିଭାଗ ପ୍ରଫେସର ପ୍ରୀତିଶ ଆଚାର୍ୟ୍ୟ, ୟୁନିସେଫ୍‌ ଓଡ଼ିଶାର ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦେଶକ ଡ. ରାମଚନ୍ଦ୍ର ରାଉତଙ୍କ ସମେତ ଜିଲା ଶିକ୍ଷା ଅଧିକାରୀ, ଜିଲା ସଂଯୋଜକ, ଜିଲା ମଙ୍ଗଳ ଅଧିକାରୀ ଏବଂ ଜିଲାଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.