ଡକାୟତି ଓ ଜବରଦସ୍ତ ଟଙ୍କା ଛଡାଇ ନେବା ଅଭିଯୋଗରେ ପୂର୍ବତନ ବିଜେଡ଼ି ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଗିରଫ କଲା ଫୁଲବାଣୀ ଟାଉନ୍‌ ଥାନା ପୁଲିସ

ଫୁଲବାଣୀ କୋର୍ଟଛକ ସ୍ଥିତ ଏକ ଘରେ ଜୋର ଜବରଦସ୍ତ ବନ୍ଦ କରି ରଖିବା ସହ ମାରପିଟ କରିଥିଲେ

ଫୁଲବାଣୀ: ଡକାୟତି କରିବା ଓ ଜବରଦସ୍ତ ଟଙ୍କା ଛଡାଇ ନେବା ଅଭିଯୋଗରେ ମଙ୍ଗଳବାର ଫୁଲବାଣୀ ଟାଉନ ଥାନା ପୁଲିସ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ଗିରଫ କରିଛି। ତାଙ୍କର ସହଯୋଗୀ କୁହାଯାଉଥିବା ଆଇ.ଆର.ବି ହାବିଦାର ଶ୍ରୀନିବାସ କହଁରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ଶ୍ରୀନିବାସ ପୁଲିସ ବିଭାଗରେ ଜଣେ ଆଇ.ଆର୍.ବି ଜବାନ ମାନେ କାର୍ଯ୍ୟରତ ଥିବା ଜଣାପଡିଛି। ତେବେ ଘଟଣାରେ ଆଉ ୩ ଜଣ ସଂପୃକ୍ତ ଥିବା ଅଭିଯୋଗ ହୋଇଥିବା ବେଳେ ଏନେଇ ପୁଲିସ୍ ଅନ୍ୟମାନଙ୍କୁ ଗିରଫ ପାଇଁ ମଧ୍ୟ ଆରମ୍ଭ କରିଛି ପଦକ୍ଷେପ।
ମିଳିଥିବା ସୂଚନା ମୁତାବକ, ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କାଙ୍କିଲି ଗ୍ରାମର କାମାକ୍ଷା ବେହେରା ତାଙ୍କର କିଛି ବନ୍ଧୁଙ୍କ ସହିତ ମିଶି ଗତ ୯ ତାରିଖ ଦିନ ଫିରିଙ୍ଗିଆ ବ୍ଳକ ଅନ୍ତର୍ଗତ କାଶିନିପଦର ଗ୍ରାମରେ ରହୁଥିବା ତାଙ୍କର ଜଣେ ସଂପର୍କୀୟଙ୍କ ଘରକୁ ଯାଉଥିଲେ। ସେମାନେ ଠିକ ଭାବେ ରାସ୍ତା ଜାଣି ନ ଥିବାରୁ ସ୍ଥାନୀୟ ଲୋକଙ୍କୁ ବାଟ ପଚାରି ଯାଉଥିଲେ। ସନ୍ଧ୍ୟା ପ୍ରାୟ ୬ଟା ସମୟରେ କଟ୍ରିଙ୍ଗିଆ-ଉର୍ମାଗଡ ରାସ୍ତାରେ ଦେବେନ୍ଦ୍ର ଓ ତାଙ୍କର କିଛି ସାଥୀ ନିଜକୁ ପୁଲିସ ବୋଲି ପରିଚୟ ଦେଇ କାମାକ୍ଷା ଓ ତାଙ୍କ ସାଥୀ ମାନଙ୍କୁ ବାଟରେ ଅଟକାଇ ସେମାନେ କି’ଏ ବୋଲି ପଚାରିଥିଲେ। କାମାକ୍ଷା ସମସ୍ତଙ୍କ ପରିଚୟ ଦେବା ସତ୍ତ୍ବେ ସେମାନେ ଛାଡି ନଥିଲେ। ଏପରିକି ତାଙ୍କ ସହିତ ଥାନାକୁ ଚାଲ ବୋଲି ବାଧ୍ୟ କରିଥିଲେ। ଏହାପରେ ସେମାନେ ସମସ୍ତଙ୍କୁ ଫୁଲବାଣୀ କୋର୍ଟଛକ ସ୍ଥିତ ଏକ ଘରେ ଜୋର ଜବରଦସ୍ତ ବନ୍ଦ କରି ରଖିବା ସହ ମାରପିଟ କରିଥିଲେ ବୋଲି କାମାକ୍ଷା ଏତଲାରେ ଦର୍ଶାଇଛନ୍ତି। ଏଥିସହ ଦେବେନ୍ଦ୍ର ଓ ଅନ୍ୟ ଅଭିଯୁକ୍ତ ମାନେ କମାକ୍ଷାଙ୍କ ସାଙ୍ଗ ଜାମିଲଙ୍କଠାରୁ ୧୦ ହଜାର ଟଙ୍କା ଛଡାଇ ନେଇଥିଲେ। ଅନ୍ୟ ଜଣେ ସାଙ୍ଗ ଖାଲିଦଙ୍କୁ ନିକଟସ୍ଥ ଏଟିଏମକୁ ନେଇ ଜବରଦସ୍ତ ୨୦ ହଜାର ଟଙ୍କା ଉଠାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି। କାମାକ୍ଷା ଏନେଇ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିବାରେ ପୁଲିସ କେସ ନଂ ୨୪ା୨୧ରେ ମାମଲା ରୁଜୁ କରି ତଦନ୍ତ କରିଥିଲା। ଆଜି ଅଭିଯୁକ୍ତ ଦେବେନ୍ଦ୍ରଙ୍କ ସହ ଶ୍ରୀନିବାସଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଫୁଲବାଣୀ ଏସଡିଜେଏମ କୋର୍ଟର ସରକାରୀ ଓକିଲ ଗୌରୀଶଙ୍କର ବେହେରା ସୂଚନା ଦେଇଛନ୍ତି। ଦେବେନ୍ଦ୍ର ଓ ଅନ୍ୟମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡର ଧାରା ୩୪୧/୩୨୩/୩୮୪/୩୯୫/୫୦୬ ଅନୁଯାୟୀ ମାମଲା ରୁଜୁ ହୋଇଛି। ତେବେ ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ରଙ୍କ ଏହି କାରନାମା ଓ ଗିରଫଦାରୀ ସମଗ୍ର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶଯେ, ଗତ ୨୦୧୮ ମସିହାରେ ମଧ୍ୟ ଜଣେ ମହିଳାଙ୍କ ମାରପିଟ୍ କରିବା ଅଭିଯୋଗରେ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ମଧ୍ୟ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ଏହି ଘଟଣା ସମଗ୍ର ଜିଲାରେ ଆଲୋଚ୍ୟର ବିଷୟ ହୋଇଛି।

Comments are closed.