ନେତା ହେବତ ଏମିତି : ଦୁଇଥର ବିଧାୟକ ପାଖରେ ସମ୍ବଳ କହିଲେ ଚାଳଘର ଓ ପୁରୁଣା ସାଇକଲ

ଭଦ୍ରକ(ସ୍ମୃତିରଞ୍ଜନ ସାହୁ): ନା ତାଙ୍କର ଭଲ ଘରଟିଏ ଅଛି, ନା ତାଙ୍କ ପାଖେ ଅଛି ଗାଡ଼ିମୋଟର। ବିଳାସପୂର୍ଣ୍ଣ ଜୀବନ ତ ତାଙ୍କ ପାଇଁ ସ୍ବପ୍ନ ଭଳି; ସାଧାରଣ ମଧ୍ୟବିତ୍ତ ପରିବାରର ଜୀବନଶୈଳୀ ଠାରୁ ବି ସେ ବହୁଦୂରରେ। କିନ୍ତୁ ସେ ଜଣେ ପୂର୍ବତନ ବିଧାୟକ। ପରିଣତ ବୟସରେ ବି ନିଜର ନିଷ୍ଠା, ସଚ୍ଚୋଟପଣିଆ ଓ ଗାନ୍ଧିବାଦକୁ ଆବୋରିି ଧରିଛନ୍ତି। ଆଜିକାଲିର ଅଧିକାଂଶ ନେତା ଥରୁଟିଏ ପଦାସୀନ ହେବା ମାତ୍ରେ ଉତ୍ତର ପୁରୁଷଙ୍କ ଲାଗି ସଞ୍ଚୟ କରିବାରେ ମଜ୍ଜି ଯାଉଥିବା ନଜିର ଦେଖିବାକୁ ମିଳୁଛି; ହେଲେ ଏହି ପୂର୍ବତନ ବିଧାୟକ କିନ୍ତୁ ଲୋଭ ମୋହରୁ ନିଜକୁ ଦୂରେଇ ରଖିବାର ନୈତିକ ସାମର୍ଥ୍ୟକୁ ଜାବୋଡି ଧରିବା କିଛି କମ୍‌ କଥା ନୁହେଁ ନିଶ୍ଚୟ।

ଏଭଳି ଜଣେ ନିଆରା ମଣିଷ ହେଲେ ଗଙ୍ଗାଧର ଦାସ। ଘର ତାଙ୍କର ତିହିଡି ବ୍ଲକର କଁାପଡ଼ା ଗ୍ରାମରେ। ୧୯୭୧ ଓ ୧୯୭୭ରେ ଦୁଇ ଦୁଇ ଥର ବିଧାୟକ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଚାନ୍ଦବାଲି ସଂରକ୍ଷିତ ବିଧାନସଭା କ୍ଷେତ୍ରରୁ। ପିଲାଦିନରୁ ସୋସିଆଲିଷ୍ଟ ପାର୍ଟିର କର୍ମୀ ଭାବେ କାମ କରୁଥିଲେ। ୧୯୭୧ରେ ଇନ୍ଦିରା ଗାନ୍ଧିଙ୍କ ନୀତି ଓ ଆଦର୍ଶ ପ୍ରତି ଆକୃଷ୍ଟ ହୋଇ କଂଗ୍ରେସ ଦଳରେ ଯୋଗଦେଇ ପ୍ରାର୍ଥୀ ହୋଇଥିଲେ, ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ଇନ୍ଦିରାଙ୍କୁ ବିରୋଧ କରିଥିଲେ, ଜରୁରୀ ପରିସ୍ଥିତିବେଳେ ଜେଲ୍‌ ବି ଯାଇଥିଲେ। ୧୯୭୭ ମସିହାରେ ଜନତା ପାର୍ଟି ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ ଓ ପୁଣି ଥରେ ବିଧାନସଭାକୁ ଯାଇଥିଲେ। ସେତେବେଳେ ସାଇକଲରେ ବୁଲି ନିଜ ପାଇଁ ପ୍ରଚାର କରିଥିଲେ। ଏବେ ବି ପୁରୁଣା ସାଇକଲ ଚଢୁଛନ୍ତି। ନୁଆଣିଆ ଚାଳଘର ତାଙ୍କର ବାସସ୍ଥାନ। ସେଥିରେ ସପତ୍ନୀକ ଖୁବ୍‌ ଭଲରେ ଥିବାର ଆତ୍ମସନ୍ତୋଷ ଲଭୁଛନ୍ତି ଶ୍ରୀ ଦାସ।

ଦୈନନ୍ଦିନ ଜୀବନଚର୍ଯ୍ୟା ଅତି ସରଳ। ବିଧାୟକ ହେବାବେଳେ ପ୍ରଥମେ ୩୦୦ ଓ ପରେ ୬୦୦ ଟଙ୍କାର ଭତ୍ତ ପାଉଥିଲେ। ବାସ୍‌ ସେତିକି। ସେଥିରେ ଚଳୁଥିଲେ। କାହାଠାରୁ କିଛି ନେଇନାହିଁ କି ନେବାର ଇଚ୍ଛା ବି କରି ନ ଥିଲି ବୋଲି କୁହନ୍ତି ଗଙ୍ଗାଧର। ବୟସ ୮୬ ଛୁଇଁଥିଲେ ବି ବାର୍ଦ୍ଧକ୍ୟ ସତେ ଯେମିତି ଛୁଇଁନାହିଁ ଗଙ୍ଗାଧରଙ୍କୁ। ସକାଳୁ ସଅଳ ଉଠନ୍ତି, ନିତ୍ୟକର୍ମ ସାରି ଫୁଲ ତୋଳନ୍ତି ଠାକୁର ପୂଜା ପାଇଁ। ପରେ ସାଇକଲ ଧରି ପାଖ ଛକ ଓ ବଜାର ବାହାରି ପଡ଼ନ୍ତି। ଯବକାଚରେ ଖବରକାଗଜ ଓ ବହି ପଢିବା ତାଙ୍କର ନିଶା। କର୍ମଚଞ୍ଚଳ ଏହି ମଣିଷଙ୍କ ମାଟିଘର ଭିତରେ ନା ଅଛି ପଲଙ୍କ ନା ଲୁହା ଆଲମାରୀ। ଅଛି ଖଣ୍ଡିଏ କାଠ ତିଆରି ଖଟ ଓ ପୁରୁଣାକାଳିଆ ସିନ୍ଦୁକ। ସବୁଠୁ ବଡକଥା ହେଲା, ତାଙ୍କର ଏହି ସରଳ ଜୀବନଚର୍ଯ୍ୟାକୁ ଖୁବ୍‌ ପସନ୍ଦ କରନ୍ତି ସ୍ତ୍ରୀ ଜେମାମଣି। ଉଭୟେ ଲୋଭ, ମୋହ ଠାରୁ ବହୁ ଦୂରରେ। ପୁଅମାନେ ସମସ୍ତେ କର୍ମ ନିୟୋଜିତ। ‘ପକ୍କା ଘର ଖଣ୍ଡେ କରି ବାପା ସେଥିରେ ରୁହନ୍ତୁ ବୋଲି ମୋ ପୁଅମାନେ ଚାହୁଁଥିଲେ; ହେଲେ ମୋର ଏହି ଚାଳଘର ଭଲ’ ବୋଲି କୁହନ୍ତି ଗଙ୍ଗାଧର।

ଗଙ୍ଗାଧର ଏବେ ରାଜନୀତିରୁ ସମ୍ପୂର୍ଣ୍ଣ ଦୂରରେ; ହେଲେ ଜନସେବାରୁ ନୁହେଁ। ପରିଣତ ବୟସରେ ଆଖପାଖର ବହୁଲୋକ ତାଙ୍କ ପାଖକୁ ଯାଇ ପରାମର୍ଶ ନିଅନ୍ତି। ସେ ମଧ୍ୟ ସାଇକଲରେ ବୁଲି ବୁଲି ସଚେତନତା ଓ ସଚ୍ଚୋଟପଣିଆର ବାର୍ତ୍ତା ଦିଅନ୍ତି। ଆଉ ଏବେ ବି ସେ ତିହିଡି ବଜାର ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ମଧ୍ୟ ଅଛନ୍ତି। ତିହିଡ଼ି କଲେଜ, ଲେଖକ ସାମ୍ମୁଖ୍ୟ ସମେତ ବହୁ ଅନୁଷ୍ଠାନ ସହିତ ଜଡ଼ିତ ଅଛନ୍ତି ଗଙ୍ଗାଧର। ତାଙ୍କ ମତରେ; ଆଜିର ଯୁବ ସମାଜ ମଧ୍ୟରେ ସଂଗ୍ରାମୀ ମନୋଭାବ କମିଯାଉଛି। ସାଧୁତାର ସହିତ ସମାଜ ତଥା ଦେଶର ଉନ୍ନତି ପାଇଁ ଯୁବକମାନେ କାମ କରିବା ଉଚିତ ବୋଲି କୁହନ୍ତି ଗଙ୍ଗାଧର।

Comments are closed.