ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ପରଲୋକ

ବାରିପଦା: ବାରିପଦା ବିଧାନସଭାର ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ଆଜି ଅପରାହ୍ନ ଅଢେଇଟା ସମୟରେ ସ୍ଥାନୀୟ ଲାଲବଜାରସ୍ଥ ବାସଭବନଠାରେ ହୃଦଘାତ ଜନିତ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ତାଙ୍କ ପତ୍ନୀଙ୍କ ୯ ବର୍ଷ ପୂର୍ବେ ୨୦୧୨ରେ ପରଲୋକ ହୋଇଥିଲା। ତାଙ୍କର ଦୁଇ ପୁଅ ଓ ତିନି ଝିଅ ବିବାହିତ। ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ମନୋରଂଜନ ଓ ଚିତ୍ତରଂଜନ, ଦୁଇ ପୁତ୍ରବଧୂ ତଥା ପରିବାରବର୍ଗ ଉପସ୍ଥିତ ଥିଲେ।

ସେ ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥୀଭାବେ ୨୦୦୪ରେ ନିର୍ବାଚିତ ହୋଇ ୨୦୦୯ ପର୍ଯ୍ୟନ୍ତ ବିଧାୟକ ଥିଲେ। ସେ ୧୯୭୨ରେ ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ସଭାପତି ଭାବେ ନିର୍ବାଚିତ ହୋଇ ୧୯୭୮ ମାର୍ଚ୍ଚ ପର୍ଯ୍ୟନ୍ତ ଥିଲେ। ଏହା ପରେ ସେ ସିଧାସଳଖ ବ୍ୟାଙ୍କର ଅଂଶିଦାରମାନଙ୍କ ଦ୍ୱାରା ୧୯୯୩ରେ ପୁଣି ସଭାପତି ନିର୍ବାଚିତ ହୋଇ ୨୦୦୧ ଜୁଲାଇ ପର୍ଯ୍ୟନ୍ତ ଥିଲେ। ରାଜ୍ୟ ସରକାରଙ୍କ ଦ୍ୱାରା ୨୦୦୩ ଜାନୁଆରୀରେ ଅର୍ବାନ ବ୍ୟାଙ୍କର ସଭାପତି ଭାବେ ମନୋନୀତ ହୋଇ ୨୦୦୪ ଏପ୍ରିଲ ପର୍ଯ୍ୟନ୍ତ ସଭାପତି ଥିଲେ। ସେ ଦୈନିକ ଓଡିଆ ସମ୍ବାଦପତ୍ର ପ୍ରଜାତନ୍ତ୍ରର ଜିଲା ପ୍ରତିନିଧି ମଧ୍ୟ ଥିଲେ।

ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅନୁବନ୍ଧିତ ମୟୂରଭଞ୍ଜ ଯୁବ କଲ୍ୟାଣ ସମିତିର ସଂପାଦକ ୧୯୫୭ରୁ ୧୯୬୦ ପର୍ଯ୍ୟନ୍ତ ଥିଲେ। ୧୯୯୪ରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ନିର୍ବାଚିତ ଡାଇରେକ୍ଟର, ରାଜ୍ୟ ସମବାୟ କାଉନସିଲର ୨୦୦୨ରେ ମନୋନୀତ ସଦସ୍ୟ, ଓଡିଶା ରାଜ୍ୟ ରେଡକ୍ରସ ବୋର୍ଡର ମନୋନୀତ କାର୍ଯ୍ୟ ନିର୍ବାହୀ ସଦସ୍ୟ ଏବଂ ୧୯୬୨ରୁ ୧୯୬୮ ପର୍ଯ୍ୟନ୍ତ ଭାରତ ସେବକ ସମାଜର ମନୋନୀତ ଯୁଗ୍ମ ଆବାହକ ଥିଲେ।

୧୯୬୧ରେ ସେ ଶୁଳିଆପଦା ବ୍ଲକ ବାଘଡା ପଞ୍ଚାୟତର ସମିତି ସଦସ୍ୟଭାବେ ନିର୍ବାଚିତ ହୋଇଥିବାବେଳେ ୧୯୬୩ରେ ବାରିପଦା ଆରସିଏମଏସର ନିର୍ବାଚିତ ଡାଇରେକ୍ଟର ସହ ଉପସଭାପତି ଏବଂ ୧୯୬୭ରେ ବାରିପଦା ହାଉସିଂ କୋ-ଅପରେଟିଭ ବୋର୍ଡର ନିର୍ବାଚିତ ସଦସ୍ୟ ଥିଲେ। ଏଥିସହିତ ବିଭିନ୍ନ ସାମାଜିକ ସଂଗଠନ ସହିତ ସେ ଜଡିତ ଥିଲେ। ସମାଜର ଦଳିତ ଓ ଅବହେଳିତ ତଥା ଆଦିବାସୀ ହରିଜନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସେ ନିଜକୁ ନିୟୋଜିତ କରି ରଖିଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ପହଞ୍ଚି ଅନ୍ତିମ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଜି ଭୁବନେଶ୍ୱରରେ ଥିବା ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ତାଙ୍କ ମୃତ୍ୟୁ ଖବର ପାଇ ଗଭୀର ଶୋକ ପ୍ରକଟ କରିବା ସହ ଫୋନ ଯୋଗେ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

Comments are closed.