ପୂର୍ବତନ ବିଧାୟକ ଅନାମଙ୍କ ଘରେ ଭିଜିଲାନ୍ସ ଚଢଉ – ୩.୪୨ କୋଟିର ସମ୍ପତ୍ତି ଠାବ

ଭବାନୀପାଟଣା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାଏକ। ତାଙ୍କ ଭବାନୀପାଟଣା ନକଟିଗୁଡା ବାସଭବନ, ମଦନପୁର ରାମପୁରସ୍ଥିତ ହୋଟେଲ ସମେତ ୪ଟି ସ୍ଥାନରେ ଏକକାଳିନ ଚଢଉ କରାଯାଇଛି। ପୂର୍ବତନ ବିଧାୟକଙ୍କ ବିେରାଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା। ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଶୁକ୍ରବାର ଏହି ଚଢଉ କରାଯାଇଥିଲା।

କନିଷ୍ଠ କିରାଣିରୁ ଭବାନୀପାଟଣା ବିଧାୟକ ଭାବେ ସେ କେତେବେଳେ ନିଜ ପୁଅ ପାଇଁ ତ’ କେତେବେଳେ ବେଆଇନ କାର୍ୟ୍ୟ ପାଇଁ ବିବାଦୀୟ ହୋଇପଡିଥିଲେ। ମିଳିଥିବା ସୂଚନା ଅନୁସାରେ ନାଏକଙ୍କ ୩କୋଟି ୪୨ଲକ୍ଷ ୯୯ହଜାର ୪୦୨ ଟଙ୍କାର ଆୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଏହା ମଧ୍ୟରେ ଭବାନୀପାଟଣା ନକ୍‌ଟିଗୁଡାରେ ୧୮, ୪୭, ୪୦୮ଟଙ୍କା ମୂଲ୍ୟର ତିନି ମହଲା କୋଠା, ମ. ରାମପୁରରେ ଲଜ୍‌ ଓ ମାର୍କେଟ କମ୍ପ୍ଲେକ୍ସ ରହିଛି ଯାହାର ମୂଲ୍ୟ ୫୭,୫୯,୦୦୦ ଟଙ୍କା ବୋଲି ଜଣାପଡିଛି।

ସେହିପରି ଭବାନୀପାଟଣା ପୁରୁଣା ପଡ଼ା‌ର ୫୧,୮୬, ୦୦୦ ଟଙ୍କା ମୂଲ୍ୟର କୋଠା, ନିର୍ମାଣାଧୀନ ଲଜର ମୂଲ୍ୟ ୧୯,୬୪,୨୨୩, ନକଟିଗୁଡ଼ାରେ ୨ଟି କୋଠା ଘରର ମୂଲ୍ୟ ୪,୮୭,୨୬୯ ଟଙ୍କା ଆକଳନ କରାଯାଇଥିଲା ବେଳେ ମାର୍କେଟ କମ୍ପ୍ଲେକ୍ସର ୧, ୫୯,୩୭୩ ଟଙ୍କା ଆକଳନ କରାଯାଇଛି। ସେହିପରି ନକଟିଗୁଡା ଘର ଗ୍ୟାରେଜର ମୂଲ୍ୟ ୫୯,୦୨୦ ଟଙ୍କା ଓ ମ.ରାମପୁରରେ ଥିବା ବିଦେଶୀ ମଦ ଦୋକାନର ମୂଲ୍ୟ ୩,୨୦,୨୫୦ଟଙ୍କା ଆକଳନ କରାଯାଇଛି। ଏହାସହ ୬ଟି କୃଷି ଏବଂ ଅଣକୃଷି ଜମି, ଗୋଟିଏ ଟ୍ରାକ୍ଟର, ଦୁଇଟି ଚାରିଚକିଆ ଗାଡି, ତିନିଟି ବାଇକ, ବିଭିନ୍ନ ବ୍ୟାଙ୍କରେ ୪୯, ୩୩, ୭୦୨ ଟଙ୍କାର ଜମା, ଜୀବନ ବିମାରେ ୨ଲକ୍ଷ ଟଙ୍କାର ଜମା, ସୁନାଗହଣା, ନଗଦ ୧୩,୬୮୦ଟଙ୍କା, ଦାମୀ ଘରୋଇ ଆସବାବପତ୍ର ଥିବା ଜଣାପଡିଛି। କୋରାପୁଟ ଭିଜିଲାନ୍ସ ଏସ୍‍ପି ଶଶୀଶେଖର ମହାପାତ୍ରଙ୍କ ନିର୍ଦେଶକ୍ରମେ ଭବାନୀପାଟଣା ଭିଜିଲାନ୍ସ ଡିଏସ୍‍ପି ସତ୍ୟବାନ ମହାନନ୍ଦ, ସୁଶାନ୍ତ କୁମାର ବିଶ୍ୱାଳ, ସୁରେନ୍ଦ୍ର ନାଥ ପାଣିଗ୍ରାହୀ, କେ.କେ ପାତ୍ର, ଅନନ୍ତ ପ୍ରସାଦ ମଲ୍ଲିକ, ଇନ୍ସପେକ୍ଟର କଳାବତୀ ବାଗ, ପ୍ରମିଳା ସୁନା, ଶିବରାମ ସାହୁ ଏବଂ ରୂପଧର ନାଏକଙ୍କୁ ନେଇ ଗଠିତ ଟିମ ବିଭିନ୍ନ ସ୍ଥାନରେ ଚଢଉ କରିଥିଲା।

Comments are closed.