କୋଭିଡ-୧୯ ମୁକାବିଲାରେ ସାହାଯ୍ୟ କରୁଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ

ସମାଜ ପୋର୍ଟାଲ ଡେସ୍କ: ସେନାବାହିନୀ, ନୌବାହିନୀ ଓ ବିମାନ ବାହିନୀର ଅବସରପ୍ରାପ୍ତ କର୍ମଚାରୀମାନେ କୋଭିଡ୍‍-୧୯ର ମୁକାବିଲାରେ ପ୍ରଶାସନକୁ ସାହାଯ୍ୟ କରିବା ଜାରି ରଖିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ବିଭାଗ ଏହି କାର୍ଯ୍ୟରେ ସମନ୍ୱୟ ରକ୍ଷା କରୁଛି। ଅବସରପ୍ରାପ୍ତ କର୍ମଚାରୀମାନଙ୍କ ସହ କେନ୍ଦ୍ରୀୟ ସୈନିକ ବୋର୍ଡ, ୩୨ଟି ରାଜ୍ୟ ସୈନିକ ବୋର୍ଡ ଏବଂ ୪୦୩ଟି ଜିଲ୍ଲା ସୈନିକ ବୋର୍ଡ ମାଧ୍ୟମରେ ଯୋଗାଯୋଗ କରାଯାଉଛି। ଅବସରପ୍ରାପ୍ତ ବ୍ରିଗେଡିୟର ରବି ମୁନି ସ୍ୱାମୀଙ୍କ ତତ୍ତ୍ୱାବଧାନରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ୪୫ ଜଣ ଅବସରପ୍ରାପ୍ତ ସେନାବାହିନୀ କର୍ମଚାରୀ ସାଇକେଲ ସହାୟତାରେ ଏହି କାର୍ଯ୍ୟ କରୁଛନ୍ତି।

ସେମାନେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ଔଷଧପତ୍ର ଆଦି ଯୋଗାଉଛନ୍ତି। ଆନ୍ଧ୍ର୍ରଦେଶରେ ପ୍ରାୟ ୩ଶହ ଅବସରପ୍ରାପ୍ତ ପ୍ରତିରକ୍ଷାବାହିନୀ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ରାଜ୍ୟ ପୁଲିସ୍‍କୁ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ସାହାଯ୍ୟ କରୁଛନ୍ତି। ସେଣ୍ଟର-ମେଡ଼ିକାଲ ସପ୍ଲାଇ ଗୃହ ମଧ୍ୟରେ ଆବଦ୍ଧ ହୋଇ ରହିବା ସମୟରେ ମେଡ଼ିକାଲ ଅକ୍ସିଜେନ୍‍ ଯୋଗାଣ ଯେପରି ବଳବତ୍ତର ରହିବ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣର ମୁକାବିଲାରେ ମେଡ଼ିକାଲ ଅକ୍ସିଜେନ୍‍ର ଆବଶ୍ୟକତା ଯଥେଷ୍ଟ ମାତ୍ରାରେ ବୃଦ୍ଧି ପାଇଛି। ତା’ଛଡ଼ା ମେଡ଼ିକାଲ ଅକ୍ସିଜେନ ମଧ୍ୟ ଜାତୀୟ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକା ଓ ଡବ୍ଲୁ.ଏଚ୍‍.ଓ. ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି।

ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭାଲ୍ଲା ସମସ୍ତ ରାଜ୍ୟଗୁଡ଼ିକର ମୁଖ୍ୟସଚିବମାନଙ୍କ ପାଖକୁ ଚିଠି ଲେଖି, ମେଡ଼ିକାଲ ଅକ୍ସିଜେନ୍‍ ଯେପରି ସହଜରେ ହସ୍ପିଟାଲଗୁଡ଼ିକୁ ଯୋଗାଇ ଦିଆଯାଇ ପାରିବ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବାକୁ କହିଛନ୍ତି। ତା’ଛଡ଼ା ମେଡ଼ିକାଲ ଅକ୍ସିଜେନ୍‍ ଓ ତତ୍‍ସମ୍ବନ୍ଧୀୟ ସାମଗ୍ରୀଗୁଡ଼ିକର ଉତ୍ପାଦନ କରୁଥିବା କାରଖାନାଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଗୃହମଧ୍ୟରେ ଆବଦ୍ଧ ହୋଇ ରହିବା କଟକଣାରୁ ବାଦ୍‍ ଦେବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।

Comments are closed.