ୱେଷ୍ଟଇଣ୍ଡିଜ ଦଳକୁ ବିଭିନ୍ନ ମହଲରୁ ଉଚ୍ଚପ୍ରଶଂସା

ସାଉଥମ୍ପଟନ୍ : ଭ୍ରମଣକାରୀ ୱେଷ୍ଟଇଣ୍ଡିଜ ଦଳ ଘରୋଇ ଇଂଲଣ୍ଡ ଦଳକୁ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ପରାସ୍ତ କରିଥିବାରୁ ଏହି ଦଳକୁ ବିଭିନ୍ନ ମହଲରୁ ଉଚ୍ଚପ୍ରଶଂସା କରାଯାଇଛି। ଇଂଲଣ୍ଡ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମାଇକେଲ୍‌ ଭନ୍‌ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଦଳର ପ୍ରଦର୍ଶନ ବେଶ୍ ଉଚ୍ଚକୋଟିର ଥିଲା ଏବଂ ଏହି ଦଳ ବିଜୟୀ ହେବାକୁ ହକ୍‌ଦାର ବୋଲି ମତ ଦେଇଛନ୍ତି।
ସୂଚନାଥାଉକି ବିଶ୍ବ ଟେଷ୍ଟ ମାନ୍ୟତାର ୮ମ ସ୍ଥାନରେ ରହିଥିବା ୱେଷ୍ଟଇଣ୍ଡିଜ୍‌ ଇଂଲଣ୍ଡ ଗସ୍ତରେ ଆସିଥିବା ବେଳେ ବ୍ୟାଟସମ୍ୟାନ୍‌ ଡାରେନ୍‌ ବ୍ରାଭୋ, ଅଲରାଉଣ୍ଡର କେମୋ ପଲ୍‌ ଓ ହେତମେୟର୍‌ ପ୍ରମୁଖ କରୋନା ଭୂତାଣୁ ସଂକ୍ରମଣଜନିତ ପରସ୍ଥିତିକୁ ଦୃଷ୍ଟିରେ ରଖି ଏହି ଗସ୍ତରୁ ଓହରି ଯାଇଥିଲେ। ୱେଷ୍ଟଇଣ୍ଡିଜ୍‌ ଦଳ ବିଶ୍ବ ଟେଷ୍ଟ ମାନ୍ୟତାର ୪ର୍ଥ ସ୍ଥାନରେ ଥିବା ଇଂଲଣ୍ଡକୁ ପରାସ୍ତ କରିପାରିବ ବୋଲି ଆଶା କମ୍‌ ରହିଥିଲା। ତେବେ ଜାସନ୍‌ ହୋଲଡରଙ୍କ ନେତୃତ୍ବାଧୀନ ୱେଷ୍ଟଇଣ୍ଡିଜ ଦଳ ପ୍ରଥମ ଟେଷ୍ଟରେ ୪ ୱ​‌ିକେଟ୍‌ରେ ବିଜୟୀ ହୋଇଥିଲା।
ପ୍ରଥମ ଟେଷ୍ଟରେ ୱେଷ୍ଟଇଣ୍ଡିଜ ଦଳ ବିଜୟୀ ହୋଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି ଏହି ଦଳର ପୂର୍ବତନ ମହାନ୍ ବ୍ୟାଟସମ୍ୟାନ୍‌ ଭିଭିଆନ୍‌ ରିଚାର୍ଡସ୍‌। ରିଚାର୍ଡସ୍‌ ଟ୍ବିଟ୍ କରି ୱେଷ୍ଟଇଣ୍ଡିଜ୍‌ ଦଳକୁ ଶୁଭେଚ୍ଛା ଜଣାଇବା ସହ ଖେଳାଳିମାନେ ଯେପରି ପ୍ରଦର୍ଶନ କଲେ ତାହାକୁ ଦେଖି ସେମାନେ ବିଜୟର ହକଦାର୍‌ ବୋଲି ମତ ଦେଇଛନ୍ତି। ୱେଷ୍ଟଇଣ୍ଡିଜ୍‌ ଦଳର ଏହି ବିଜୟ ଯୋଗୁଁ ଏହି ଦେଶର କ୍ରିକେଟ୍‌ପ୍ରେମୀମାନେ ଗର୍ବିତ ବୋଲି ରିଚାର୍ଡସ୍‌ ଦର୍ଶାଇଛନ୍ତି।
ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବିଜୟ ପାଇଁ ୱେଷ୍ଟଇଣ୍ଡିଜ ଦଳକୁ ଶୁଭେଚ୍ଛା ଜଣାଇବା ସହ ଉଭୟ ଦଳ ବେଶ୍‌ ଉଚ୍ଚକୋଟିର ପ୍ରଦର୍ଶନ କରିଥିବା ଦର୍ଶାଇଥିଲେ। ସେହିପରି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଏହି ଟେଷ୍ଟ ମ୍ୟାଚ୍‌ରେ ଉଭୟ ଦଳ ଯେପରି ପ୍ରଦର୍ଶନ କଲେ ତାହା ଟେଷ୍ଟ ଫର୍ମାଟ୍‌ର ଲୋକପ୍ରିୟତା ବୃଦ୍ଧିରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ପୂର୍ବତନ ଅଲରାଉଣ୍ଡର ଇର୍ଫାନ୍ ପଠାନ୍‌ ବିଜୟ ପାଇଁ ୱେଷ୍ଟଇଣ୍ଡିଜ ଦଳକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Comments are closed.