ପ୍ରତିଦିନ ଆମ ପାଇଁ ନୂଆ ନୂଆ ଚ୍ୟାଲେଞ୍ଜ – ସ୍ୱାତୀ ମୋହନ

ନୂଆଦିଲ୍ଲୀ: ପୃଥିବୀରୁ ମଙ୍ଗଳ ଗ୍ରହକୁ ଯାଇଛି ନୂଆ ଅତିଥି। ନାସା ପକ୍ଷରୁ ପଠାଯାଇଥିବା ରୋଭର ରାତି ପ୍ରାୟ ୨ଟା ୩୦ ମିନିଟରେ ସଫଳତାର ନିର୍ଧାରିତ ସ୍ଥାନରେ ଅବତରଣ କରିଛି। ମାର୍ସ ପର୍ସିଭେରେନ୍ସ ରୋଭର ମଙ୍ଗଳ ପୃଷ୍ଠରେ ଥିବା ଜେଜେରୋ କ୍ରେଟରରେ ସଫଳତାର ସହ ଅବତରଣ କରିଛି। ଏହି କ୍ରେଟର ବା ଘାତ ହେଉଛି ପୂର୍ବରୁ ମଙ୍ଗଳ ଗ୍ରହରେ ପ୍ରବାହିତ ଏକ ନଦୀ ବୋଲି ବୈଜ୍ଞାନିକ ମତ ଦିଅନ୍ତି।

ତେବେ ଆମେରିକା ଏହି ବଡ଼ ଉପଲବ୍ଧି ହାସଲ କରୁଥିବା ବାବଦରେ ପୂରା ବିଶ୍ୱକୁ ଟିକିନିକି ବିବରଣୀ ଦେଉଥିଲେ ଭାରତୀୟ ବଂଶୋଦ୍ଭବ ମହିଳା ସ୍ୱାତୀ ମୋହନ। ତେବେ ଏହି ମିଶନରେ ସ୍ୱାତୀଙ୍କର ପ୍ରମୁଖ ଭୂମିକା ରହିଥିଲା। ହୁଏତ ସ୍ୱାତୀଙ୍କ ବିନା ନାସାର ଏହି ମିଶନ ସମ୍ଭବ ହୋଇପାରି ନଥାନ୍ତା। କାରଣ ମଙ୍ଗଳ ଗ୍ରହରେ ପହଞ୍ଚିଥିବା ରୋଭର କେତେବେଳେ ଓହ୍ଲାଇବ ଓ କେତେ ବେଗରେ ଓହ୍ଲାଇବ ଏବଂ କେତେ ଉଚ୍ଚରେ କେତେ ବେଗରେ ଗତି କରିବ ତାହାର ପୂରା ରିମୋଟ କଣ୍ଟ୍ରୋଲ ସ୍ୱାତୀଙ୍କ ଟିମ ହାତରେ ରହିଥିଲା। ଆଉ ଏହାକୁ ବେଶ ସଫଳତାର ସହ ଶେଷ କରିଥିଲେ ସ୍ୱାତୀ।

ସ୍ୱାତୀ ମୋହନ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ମାତ୍ର ବର୍ଷକର ହୋଇଥିବା ବେଳେ ଭାରତ ଛାଡି ବାପା ଓ ମା’ଙ୍କ ସହ ଆମେରିକା ଚାଲିଯାଇଥିଲେ ସ୍ବାତୀ। ତେବେ ୧୬ ବର୍ଷ ପର୍ୟ୍ୟନ୍ତ ସେ ବୈଜ୍ଞାନିକ ହେବାକୁ ଆଦୌ ଚିନ୍ତା ମଧ୍ୟ କରି ନଥିଲେ; କିନ୍ତୁ ଗୋଟିଏ ଫିଜିକ୍ସ କ୍ଲାସ ତାଙ୍କ ଭିତରେ ନୂଆ ସ୍ୱପ୍ନକୁ ଜନ୍ମ ଦେଇଥିଲା। ଆଉ ଡାକ୍ତର ହେବାକୁ ଚାହୁଁଥିବା ସ୍ୱାତୀ ବୈଜ୍ଞାନିକ ହେବାକୁ ମନ ପରିବର୍ତ୍ତନ କରିଥିଲେ। ଏହାଛଡା ହଲିଉଡ ଫିଲ୍ମ ଷ୍ଟାର ଟ୍ରେକ ମଧ୍ୟ ତାଙ୍କ ବୈଜ୍ଞାନିକ ହେବା ପଛର ବଡ ପ୍ରେରଣା ବୋଲି କହିଛନ୍ତି ସ୍ୱାତୀ। ଏହି ଫିଲ୍ମ ଦେଖିବା ପରେ ସ୍ୱାତୀଙ୍କ ମନରେ ବ୍ରହ୍ମାଣ୍ଡକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଥିଲା।

ପୃଥିବୀ ଛଡା ଅନ୍ୟ ଦୁନିଆ ବି ରହିଛି ତା ବାବଦରେ ଜାଣିବାକୁ ଇଚ୍ଛା ଥିଲେ ମଧ୍ୟ ସୁଯୋଗ ମିଳି ନଥିଲା। କିନ୍ତୁ ଥରେ ବୈଜ୍ଞାନିକ ହେବାକୁ ମନ ବଳାଇବା ପରେ ଧୀରେ ଧୀରେ ଏହି କ୍ଷେତ୍ରରେ ଆଗକୁ ବଢିବା ସହ ନାସା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ସ୍ୱାତୀ। ସ୍ୱାତୀ ନାସାରେ କେବଳ ଜଣେ ବୈଜ୍ଞାନିକ ହୋଇ ରହିନାହାନ୍ତି ବରଂ ଅନେକ ଗୁରୁତ୍ୱପୂର୍ଣ୍ଣ ମିଶନରେ ତାଙ୍କୁ ଖୋଜା ପଡିଛି।

ସ୍ୱାତୀଙ୍କ କହିବା ଅନୁଯାୟୀ, ପ୍ରତିଦିନ ଆମ ପାଇଁ ନୂଆ ନୂଆ ଚ୍ୟାଲେଞ୍ଜ ଆସିଥାଏ। ଆଉ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି କାମ କରିବାର ନିଆରା ମଜା ମଧ୍ୟ ରହିଛି। ବିଶ୍ୱ ବ୍ରହ୍ମାଣ୍ଡ ବାବଦରେ ଅଧିକରୁ ଅଧିକ ଜାଣିବାକୁ ଚାହୁଁଛି ଯାହା ବାବଦରେ କୌଣସି ସାଧାରଣ ଲୋକ କଳ୍ପନା ମଧ୍ୟ କରି ନଥିବେ। ତେଣୁ ନାସାର ବିଭିନ୍ନ ମିଶନରେ ସାମିଲ ହୋଇ ଭିନ୍ନ ଏକ ଜୀବନ ବଞ୍ଚିବାକୁ ଚାହୁଁଛି ବୋଲି କହିଛନ୍ତି ସ୍ୱାତୀ। ଏସବୁ ଭିତରେ ନାସା ପଠାଇଥିବା ରୋଭରର ମୁଖ୍ୟ କାମ ରହିବ ମଙ୍ଗଳ ଗ୍ରହରେ ପୂର୍ବରୁ ଥିବା ଜୀବସତ୍ତାର ଅନୁସନ୍ଧାନ କରିବା। ମଙ୍ଗଳ ଗ୍ରହର ବାୟୁ ମଣ୍ଡଳରେ ପ୍ରବେଶ କରିବା ପରେ ଏହାକୁ ଅବତରଣ କରିବାକୁ ପ୍ରାୟ ୭ ମିନିଟ ସମୟ ଲାଗିଥିଲା। ଏହି ଅବତରଣ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ତେବେ ରୋଭର ପହଞ୍ଚିବା ପରେ ଏକ ଫଟୋ ପୃଥିବୀକୁ ପଠାଇଛି। ମାର୍ସ ପର୍ସିଭେରେନ୍ସ ରୋଭର ଓଜନ ପ୍ରାୟ ୧ ହଜାର କିଲୋଗ୍ରାମ। ଏଥିରେ ରହିଥିବା ଇଂଜିନ୍ୟୁଟି ହେଲିକପ୍ଟରର ଓଜନ ପ୍ରାୟ ୨ କିଲୋଗ୍ରାମ।

ଏହି ରୋଭର ପରମାଣୁ ଶକ୍ତି ଦ୍ୱାରା ପରିଚାଳିତ ହେବ। ପ୍ରଥମ ଥର ପାଇଁ କୌଣସି ରୋଭରରେ ପ୍ଲୁଟୋନିଅମକୁ ଇନ୍ଧନ ଭାବେ ବ୍ୟବହାର କରାଯାଇଛି। ମଙ୍ଗଳ ଗ୍ରହର ପୃଷ୍ଠରେ ଏହି ଯାନ ପ୍ରାୟ ୧୦ ବର୍ଷ ଧରି କାମ କରିବ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଯାନରେ ୭ଫୁଟର ଏକ ରୋବର୍ଟିକ ଆର୍ମ ରହିଥିବା ବେଳେ ୨୩ଟି କ୍ୟାମେରା ଓ ଡ୍ରିଲ ମେସିନ ଖଞ୍ଜାଯାଇଛି। ଏଗୁଡିକ ମଙ୍ଗଳ ପୃଷ୍ଠର ଫଟୋ, ଭିଡିଓ ଓ ନମୁନା ସଂଗ୍ରହ କରିବ। ଏହାର ଗବେଷଣାରୁ ଭବିଷ୍ୟତରେ ଏଠାରେ ମଣିଷ ରହିପାରିବ କି ନାହିଁ ସେନେଇ ମଧ୍ୟ ତଥ୍ୟ ମିଳିପାରିବ ବୋଲି କୁହାଯାଉଛି। ତେବେ ନାସାର ଏହି ସଫଳତା ପାଇଁ ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆମେରିକୀୟ ରାଷ୍ଟ୍ରପତି ବାଇଡେନ୍।

Comments are closed.