ମାଡିଆସୁଛି ଅତି ଭୟଙ୍କର ବାତ୍ୟା ୟାସ୍‍; ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସ୍ଥାନାନ୍ତର କାର୍ଯ୍ୟ

 କୋଭିଡ ସଂକ୍ରମଣ ଆଶଙ୍କାରେ କିଛି ଲୋକ ନିଜ ଘର ଛାଡିବାକୁ ନାରାଜ

ଭୁବନେଶ୍ୱର: ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ବାତ୍ୟା ‘ୟାସ୍‍’ ଉପକୂଳ ଆଡକୁ ଅଗ୍ରସର ହେଉଛି। ଘଣ୍ଟାକୁ ଏହା ୯ କିଲୋମିଟର ବେଗରେ ଉପକୂଳମୁହାଁ ଗତି କରୁଛି ।  ବାତ୍ୟା ସମୟରେ ଧନ ଜୀବନ ସୁରକ୍ଷିତ ରଖିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି। ବାତ୍ୟା ସମୟରେ ପବନର ବେଗ ଯଥେଷ୍ଟ ଅଧିକ ରହୁଥିବା ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଜିଲାଗୁଡିକରେ ଆପଦଶଙ୍କୁଳ ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ ପ୍ରକ୍ରିୟା ବ୍ୟାପକ କରାଯାଇଛି। ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକ ଜିଲାର ଜିଲା ପ୍ରଶାସନ ପକ୍ଷରୁ ଅଗ୍ନିଶମ ବାହିନୀ, ପୁଲିସ, ଓଡ୍ରାଫ, ଏନଡିଆରଏଫ ଆଦି ସହଯୋଗରେ ଖାଲୁଆ ଅଞ୍ଚଳରେ ଏବଂ କଚ୍ଚାଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ତେବେ ସଂପ୍ରତି ରାଜ୍ୟରେ କୋଭିଡ ମହାମାରୀର ଭୟଙ୍କର ପ୍ରକୋପ ରହିଥିବାରୁ କିଛି ଲୋକ ନିଜ ଘର ଛାଡି ଅସ୍ଥାୟୀ ଆଶ୍ରୟ କେନ୍ଦ୍ରକୁ ଯିବା ପାଇଁ ନାରାଜ ହେଉଥିବା ଲକ୍ଷ୍ୟ କରାଯାଇଛି। ତେବେ ସମସ୍ତଙ୍କୁ ମଙ୍ଗଳବାର ସଂଧ୍ୟା ସୁଦ୍ଧା ସ୍ଥାନାନ୍ତରଣ କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅସ୍ଥାୟୀ ଆଶ୍ରୟ ସ୍ଥଳଗୁଡିକରେ ରହୁଥିବା ଲୋକଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଆଦି ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ସେଠାରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି କୋଭିଡ ସଂକ୍ରମଣରୁ ନିଜକୁ ସୁରକ୍ଷିତ ରଖିବା ସକାଶେ ଦୁଇଟି ଲେଖାଏଁ ତୁଣ୍ଡି ପିନ୍ଧିବା ଏବଂ ପରସ୍ପର ମଧ୍ୟରେ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ପ୍ରଶାସନ ସହଯୋଗରେ ସ୍ୱାସ୍ଥ୍ୟକର୍ମୀଙ୍କ ଦଳ ଏହିଭଳି ଆଶ୍ରୟସ୍ଥଳଗୁଡିକୁ ଯାଇ ସେଠାରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କୁହାଯାଇଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବାତ୍ୟା ୟାସ୍‍ ବାତ୍ୟା ୟାସ୍‍ ମଙ୍ଗଳବାର ସକାଳ ୬ଟା ସୁଦ୍ଧା ପାରାଦୀପ ଠାରୁ ଦକ୍ଷିଣ- ଦକ୍ଷିଣ ପୂର୍ବରୁ ୩୬୦ କିଲୋମିଟର, ବାଲେଶ୍ୱର ଠାରୁ ୪୬୦ କିଲୋମିଟର ଏବଂ ଦୀଘାରୁ ୪୮୦ କିଲୋମିଟର ଦୂର ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗରେ ରହିଥିଲା। ଏହା ଧୀରେ ଧୀରେ ଉପକୂଳ ଆଡକୁ ଅଗ୍ରସର ହେଉଥିବାବେଳେ ଅତି ଭୀଷଣ ବାତ୍ୟା ରୂପ ନେବାକୁ ଯାଉଛି। ଏହା ୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ପାରାଦୀପ ଓ ସାଗରଦ୍ୱୀପ ମଧ୍ୟବର୍ତ୍ତୀ ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିବ। ବାଲେଶ୍ୱର ଜିଲାଦେଇ ଏହା ସ୍ଥଳବିଭାଗ ଅତିକ୍ରମ କରିବା ଆକଳନ କରାଯାଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୬୦ରୁ ୧୬୫ କିଲୋମିଟର ଏବଂ ସ୍ଥଳବିଶେଷରେ ୧୮୫ କିଲୋମିଟର ରହିବା ଅନୁମାନ କରିଛି ପାଣିପାଗ ବିଭାଗ।

Comments are closed.