ରାଜପଥ ଓ ଏକ୍ସପ୍ରେସ ୱେରେ ଗଡ଼ିବ ଇଲେକ୍ଟ୍ରିଯାନ, ଚାର୍ଜିଂ ଷ୍ଟେସନ ପାଇଁ ପ୍ରସ୍ତାବ ଲୋଡିଲେ ସରକାର

ଦେଶର ବଡ଼ବଡ଼ ରାଜପଥ ଓ ଏକ୍ସପ୍ରେସ ୱେ ଗୁଡ଼ିକରେ ଇଲେକ୍ଟ୍ରି ଯାନ ଚାର୍ଜିଂ ପାଇଁ ମୌଳିକ ଢ଼ାଞ୍ଚା ସ୍ଥାପନ ପାଇଁ କେନ୍ଦ୍ର ସରକାର ବିଭିନ୍ନ କମ୍ପାନିଠାରୁ ପ୍ରସ୍ତାବମାନ ଲୋଡ଼ିଛନ୍ତି। ଭାରୀଶିଳ୍ପ ବିଭାଗ ଏଭଳି ପ୍ରସ୍ତାବ ପଠାଇବା ପାଇଁ ଏକ ଇଚ୍ଛାପତ୍ର ଜାରି କରିଛି। ବିଭିନ୍ନ ସରକାରୀ ସଂଗଠନ, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ରାଜ୍ୟ ସରକାରୀ ଡିସ୍‍କମ୍‍, ତୈଳ କ୍ଷେତ୍ରର ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ଓ ସେହିଭଳି ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କମ୍ପାନି ଏଥିପାଇଁ ପ୍ରସ୍ତାବ ପଠାଇ ପାରିବେ।

ଇଲେକ୍‍ଟ୍ରୋନିକ୍‍ ଯାନଗୁଡ଼ିକର ଚାର୍ଜିଂ ପାଇଁ ମୌଳିକ ଢ଼ାଞ୍ଚା ସ୍ଥାପନ ସକାଶେ ଏହି ପ୍ରସ୍ତାବଗୁଡ଼ିକୁ ଆମନ୍ତ୍ରଣ କରାଯାଇଛି। ସେହିଭଳି ମୌଳିକ ଢ଼ାଞ୍ଚାଗୁଡ଼ିକୁ ମୁମ୍ବାଇ – ପୁଣେ, ଅହମ୍ମଦାବାଦ – ବଡୌଦ୍ରା, ଦିଲ୍ଲୀ – ଆଗ୍ରା – ଯମୁନା, ବେଙ୍ଗାଲୁରୁ – ମହୀଶୂର, ବେଙ୍ଗାଲୁରୁ – ଚେନ୍ନାଇ, ସୁରତ – ମୁମ୍ବାଇ, ଆଗ୍ରା – ଲକ୍ଷ୍ନୌ ଓ ହାଇଦ୍ରାବାଦ – ଓ.ଆର୍‍.ଆର୍‍. ଏକ୍ସପ୍ରେସ ୱେ ଗୁଡ଼ିକରେ ସ୍ଥାପନ କରାଯିବ। ସେହିଭଳି ଦିଲ୍ଲୀ – ଶ୍ରୀନଗର, ଦିଲ୍ଲୀ – କୋଲକାତା, ଆଗ୍ରା – ନାଗପୁର, ମେରଟ – ଗଙ୍ଗୋତ୍ରୀ ଧାମ, ମୁମ୍ବାଇ – ଦିଲ୍ଲୀ, ମୁମ୍ବାଇ – ପଣଜୀ, ମୁମ୍ବାଇ – ନାଗପୁର, ମୁମ୍ବାଇ – ବେଙ୍ଗାଲୁରୁ ଓ କୋଲକାତା – ଭୁବନେଶ୍ୱର ସମେତ ଅନ୍ୟ ରାଜପଥଗୁଡ଼ିକ ପାଇଁ ମଧ୍ୟ ପ୍ରସ୍ତାବମାନ ମଗାଯାଇଛି।

କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଫେମ ଯୋଜନାକୁ ୨୦୧୯ ଏପ୍ରିଲ ପହିଲାରୁ ୩ ବର୍ଷ ପାଇଁ ଅନୁମୋଦନ କରିସାରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଫେମ ଇଣ୍ଡିଆ ଯୋଜନାରେ ସରକାର ପୁଞ୍ଜି ଯୋଗାଇ ଇଲେକ୍‍ଟ୍ରିକ୍‍ ଯାନ ଚାର୍ଜିଂ ମୌଳିକ ଢ଼ାଞ୍ଚା ବିକାଶରେ ସହାୟତା କରିବାକୁ ଚାହୁଁଛନ୍ତି। ଏହାଦ୍ୱାରା ଅଧିକରୁ ଅଧିକ ଲୋକ ଇଲେକ୍‍ଟ୍ରିକ୍‍ ଯାନ ବ୍ୟବହାର କରିବାକୁ ଆଗ୍ରହ ପ୍ରକାଶ କରିବେ। ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ବିଦ୍ୟୁତିକରଣ କରିବା ହେଉଛି ଏହରେ ମୂଳଲକ୍ଷ୍ୟ।

Comments are closed.