ୟୁରୋ କପ୍‌ – ଆଜିଠାରୁ କ୍ବାର୍ଟରଫାଇନାଲ

ସେଣ୍ଟ ପିଟର୍ସବର୍ଗ/ମ୍ୟୁନିକ୍‌: ୟୁରୋ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶେଷ ୮ଟି ଦଳ ଏବେ ଟ୍ରଫି ପାଇଁ ଲଢ଼ିବେ। ଶୁକ୍ରବାରଠାରୁ କ୍ବାର୍ଟରଫାଇନାଲ ପର୍ଯ୍ୟାୟ ଆରମ୍ଭ ହେଉଛି। ଶୁକ୍ରବାର ପ୍ରଥମ ୨ଟି କ୍ବାର୍ଟରଫାଇନାଲରେ ସ୍ବିଜରଲାଣ୍ଡ ଓ ସ୍ପେନ୍‌ ଏବଂ ବେଲ୍‌ଜିୟମ୍‌ ଓ ଇଟାଲୀ ମଧ୍ୟରେ ମୁକାବିଲା ହେବ। ସ୍ବିଜରଲାଣ୍ଡ ବିପକ୍ଷରେ ସ୍ପେନ୍‌ ନିଶ୍ଚିତ ଭାବେ ଫେଭରିଟ୍ ଥିଲେ ହେଁ ବିଶ୍ବ ଚମ୍ପିଆନ୍ ଫ୍ରାନ୍‌ସକୁ ବିଦା କରିଥିବା ସ୍ବିଜରଲାଣ୍ଡକୁ ହାଲୁକା ମଣିବା ଠିକ୍‌ ନୁହେଁ। ଲିଗ୍‌ ପର୍ଯ୍ୟାୟରେ ମାତ୍ର ଗୋଟିଏ ମ୍ୟାଚ୍ ଜିତି ପ୍ରିକ୍ବାର୍ଟରରେ ପହଞ୍ଚିଥିବା ସ୍ବିଜରଲାଣ୍ଡ କ୍ବାର୍ଟରରେ ଫ୍ରାନ୍‌ସକୁ ହରାଇବା ପରେ ଏହା ବିପକ୍ଷରେ ପ୍ରଦର୍ଶନରେ ଉନ୍ନତି ଆଣିବା ଲକ୍ଷ୍ୟରେ ରହିବ ସ୍ପେନ୍।

ସ୍ବିଜରଲାଣ୍ଡ-ଫ୍ରାନ୍‌ସ ଓ କ୍ରୋଏସିଆ-ସ୍ପେନ୍ ମ୍ୟାଚ୍‌ରେ ଅତିରିକ୍ତ ସମୟ ଖେଳା ଯାଇଥିଲେ ହେଁ ଫରକ ଥିଲା ଏହା ଯେ ସ୍ବିଜରଲାଣ୍ଡ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଏବଂ ସ୍ପେନ୍ ଅତିରିକ୍ତ ସମୟରେ ୨ଟି ଗୋଲ୍‌ ଦେଇ ଜିତିଥିଲେ। ସ୍ବିଜରଲାଣ୍ଡ ଦଳର ପ୍ରମୁଖ ଖେଳାଳି ଗ୍ରାନିଟ୍‌ ଖାକା ଆହତ ଥିବାରୁ ତାଙ୍କ ଅନୁପସ୍ଥିତି ସ୍ବିଜରଲାଣ୍ଡ ଅନୁଭବ କରିବ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟରେ ଧିମା ଗତିରେ ସ୍ପେନ୍ ଆରମ୍ଭ କରିଥିଲେ ହେଁ ଏବେ ପୂରା ଫର୍ମରେ ଅଛି। ଲିଗ୍ ପର୍ଯ୍ୟାୟରେ ପ୍ରଥମ ୨ଟି ମ୍ୟାଚ୍‌ ଡ୍ର ରଖିବା ପରେ ଶେ​‌ଷ ମ୍ୟାଚ୍‌ରେ ସ୍ଲୋଭାକିଆକୁ ୫-୦ ଗୋଲ୍‌ରେ ସ୍ପେନ୍ ହରାଇଥିବା ବେଳେ ପ୍ରିକ୍ବାର୍ଟରଫାଇନାଲରେ କ୍ରୋଏସିଆକୁ ୫-୩ରେ ହରାଇଥିଲା। ସ୍ପେନ୍‌ର ଫେରାନ୍ ଟରେସ୍, ପାବ୍‌ଲୋ ସାରାବ୍ୟା, ଆଲ୍‌ଭୋରେ ମୋରାଟା ଓ ମାଇକେଲ ଓୟାର୍ଜାବାଲ ଭଲ ପ୍ରଦର୍ଶନ କରୁଛନ୍ତି। ପର୍ତ୍ତୁଗାଲ୍‌ ଓ ଫ୍ରାନ୍‌ସ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିବା ବେଳେ ସ୍ପେନ୍‌ ଏବେ ଟାଇଟଲର ବଡ଼ ଦାବିଦାର। ଅଦ୍ୟାବଧି ସ୍ବିଜରଲାଣ୍ଡ ଓ ସ୍ପେନ୍‌ ମଧ୍ୟରେ ୨୨ଟି ମୁକାବିଲା ଖେଳା ଯାଇଥିବା ବେଳେ ସ୍ପେନ୍ ୧୬ଟି ଜିତିଥିବା ବେଳେ ୫ଟି ଡ୍ର ରଖି ଗୋଟିଏ ହାରିଛି। କ୍ବାର୍ଟରରେ ମଧ୍ୟ ସ୍ପେନ୍ ଦଳ ଫେଭରିଟ୍‌।

ଅଦ୍ୟାବଧି ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଦୁଇ ଦଳ ବେଲ୍‌ଜିୟମ୍‌ ଓ ଇଟାଲୀ ମଧ୍ୟରେ ୨ୟ କ୍ବାର୍ଟରଫାଇନାଲ ଖେଳାଯିବ। ଏହି ଦୁଇ ଦଳଙ୍କ ମଧ୍ୟରେ ମୁକାବିଲା ବେଶ୍‌ ସଂଘର୍ଷପୂର୍ଣ୍ଣ ହେବ। ଫିଫା ମାନ୍ୟତାରେ ୧ନଂ ସ୍ଥାନରେ ଥିବା ବେଲ୍‌ଜିୟମ୍‌ ଏବେ ଭଲ ଫର୍ମରେ ଅଛି। ପ୍ରିକ୍ବାର୍ଟରଫାଇନାଲ ମ୍ୟାଚ୍‌ରେ ଗତଥରର ଚମ୍ପିଆନ୍ ପର୍ତ୍ତୁଗାଲ୍‌କୁ ହରାଇବା ପରେ ଏହାର ମନୋବଳ ବେଶ୍‌ ଦୃଢ଼ ରହିଛି। ଲିଗ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍ ଜିତି ଗ୍ରୁପ୍‌ ଶୀର୍ଷରେ ବେଲ୍‌ଜିୟମ୍ ରହିଥିଲା। ଅବଶ୍ୟ ପ୍ରିକ୍ବାର୍ଟର ମୁକାବିଲା ଜିତିବା ପାଇଁ ବେଲ୍‌ଜିୟମ୍‌କୁ ନାକେଦମ୍ ହେବାକୁ ପଡ଼ିଥିଲା। ଅବିକଳ ପ୍ରଦର୍ଶନ କରିଛି ଇଟାଲୀ। ଗ୍ରୁପ୍ ‘ଏ’ରେ ଏହା ସମସ୍ତ ମ୍ୟାଚ୍ ଜିତି ଶୀର୍ଷରେ ଥିଲା। ଅଷ୍ଟ୍ରିଆକୁ ଅତିରିକ୍ତ ସମୟରେ ଇଟାଲୀ ହରାଇ କ୍ବାର୍ଟରରେ ପହଞ୍ଚିଛି। ଉଭୟ ଦଳ ଏବେ ଅପରାଜିତ ଥିବାବେଳେ ଏହା ବଜାୟ ରଖିବାକୁ ଚାହିଁବେ। ବେଲ୍‌ଜିୟମ୍‌ ବିଶ୍ବର ୧ନଂ ଦଳ ହୋଇଥ​‌ିଲେ ହେଁ ଏହା ବିପକ୍ଷରେ ଇଟାଲୀର ରେକର୍ଡ ବହୁତ ଭଲ। ଅଦ୍ୟାବଧି ଉଭୟ ଦଳଙ୍କ ମଧ୍ୟରେ ୨୩ଟି ମୁକାବିଲା ଖେଳା ଯାଇଥିବା ବେଳେ ଇଟାଲୀ ୧୫ଟି ଓ ବେଲ୍‌ଜିୟମ୍ ୫ଟି ଜିତିଛି ଓ ୩ଟି ମ୍ୟାଚ୍‌ ଡ୍ର ରହିଛି। ୨୦୧୬ ୟୁରୋ କପ୍‌ରେ ଉଭୟ ଦଳଙ୍କ ମଧ୍ୟରେ ହୋଇଥିବା ମୁକାବିଲାକୁ ଇଟାଲୀ ୨-୦ରେ ଜିତିଥିଲା। ବେଲ୍‌ଜିୟମ୍‌ର ସମସ୍ୟା ହେଲା ଯେ ଏହାର ଦୁଇ ପ୍ରମୁଖ ଖେଳାଳି କେଭିନ୍ ଡି ବ୍ରୁଇନ୍ ଓ ଇଡେନ୍ ହାଜାର୍ଡ ଆହତ ଥିବାରୁ ଇଟାଲୀ ବିପକ୍ଷରେ ଖେଳି ନ ପାରନ୍ତି। ଅନ୍ୟପକ୍ଷରେ ଇଟାଲୀର ରକ୍ଷାପନ୍ଥୀ ମଜ୍‌ଭୁତ ରହିଛି। ତେଣୁ ଏହି ମୁକାବିଲାରେ ଇଟାଲୀର ପଲ୍ଲା ଭାରିରହିବ।

Comments are closed.