ୟୁରୋ କପ୍ ଫୁଟ୍‌ବଲ: ୱେଲ୍‌ସ, ଇଟାଲୀ ଓ ୟୁକ୍ରେନ୍‌ ବିଜୟୀ

ବାକୁ/ରୋମ୍‌/ବୁକାରେଷ୍ଟ: ଚଳିତ ୟୁରୋ କପ୍ ଫୁଟ୍‌ବଲରେ ବୁଧବାର ଗ୍ରୁପ୍ ‘ଏ’ର ୨ୟ ରାଉଣ୍ଡ ମୁକାବିଲା ଆରମ୍ଭ ହୋଇଛି। ଏଥିରେ ତୁର୍କୀକୁ ୨-୦ ଗୋଲ୍‌ରେ ୱେଲ୍‌ସ ପରାସ୍ତ କରିଛି। ଉଭୟ ହାଫ୍‌ରେ ୱେଲ୍‌ସ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା। ଫଳରେ ୨ଟି ମ୍ୟାଚ୍‌ରୁ ୪ ପଏଣ୍ଟ ପାଇ ନକ୍‌ଆଉଟ ଆଶା ବଜାୟ ରଖିଛି ୱେଲ୍‌ସ। ତୁର୍କୀ କିନ୍ତୁ ଉଭୟ ମ୍ୟାଚ୍‌ରେ ପରାସ୍ତ ହୋଇଛି।

ତେବେ ୟୁରୋ କପ୍ ଫୁଟ୍‌ବଲରେ ପ୍ରଥମ ଦଳ ଭାବେ ଶେଷ ୧୬ଟି ଦଳ ବା ପ୍ରିକ୍ବାର୍ଟରଫାଇନାଲରେ ପ୍ରବେଶ କରିଛି ଇଟାଲୀ। ବୁଧବାର ରାତିରେ ଖେଳା ଯାଇଥିବା ଗ୍ରୁପ୍‌ ‘ଏ’ର ମ୍ୟାଚ୍‌ରେ ମାନୁଏଲ୍‌ ଲୋକାଟେଲିଙ୍କ ୨ୟ ଗୋଲ୍‌ ବଳରେ ଇଟାଲୀ ୩-୦ ଗୋଲ୍‌ରେ ସ୍ବିଜରଲାଣ୍ଡକୁ ପରାସ୍ତ କରିଛି। ଫଳରେ ୨ଟି ମ୍ୟାଚ୍‌ରୁ ୬ ପଏଣ୍ଟ ପାଇ ପ୍ରିକ୍ବାର୍ଟରଫାଇନାଲ ଖେଳିବା ନିଶ୍ଚିତ କରିଛି ଇଟାଲୀ। ଶେଷ ମ୍ୟାଚ୍‌ରେ ୱେଲ୍‌ସ ବିପକ୍ଷରେ ପରାଜୟ ଏଡ଼ାଇଲେ ଇଟାଲୀ ଗ୍ରୁପ୍‌ ‘ଏ’ ଚମ୍ପିଆନ୍ ହେବ। ପ୍ରଥମ ମ୍ୟାଚ୍‌ ଡ୍ର ରଖିଥିବା ସ୍ବିଜରଲାଣ୍ଡ ପ୍ରଥମ ପରାଜୟ ଭୋଗିଛି। ପ୍ରଥମ ମ୍ୟାଚ୍‌ରେ ତୁର୍କୀକୁ ୩-୦ ଗୋଲ୍‌ରେ ଇଟାଲୀ ପରାସ୍ତ କରିଥିଲା।

ସେହିପରି ଗୁରୁବାର ଗ୍ରୁପ୍‌ ସି’ର ପ୍ରଥମ ମ୍ୟାଚ୍‌ରେ ଉତ୍ତର ମାସିଡୋନିଆକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି ୟୁକ୍ରେନ୍‌। ୟୁକ୍ରେନ୍‌ ୨ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ସହ ୩ ପଏଣ୍ଟ ସହ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ଥିବା ବେଳେ ଉତ୍ତର ମାସିଡୋନିଆ ୨ଟି ମ୍ୟାଚ୍‌ ଖେଳି କୌଣସି ପଏଣ୍ଟ ପାଇନାହିଁ। ଏହି ମ୍ୟାଚ୍‌ରେ ଉତ୍ତର ମାସିଡୋନିଆ ଅପେକ୍ଷା ୟୁକ୍ରେନ୍ ଦଳ କିଛିଟା ଅଧିକ ପ୍ରଭାବ ବିସ୍ତାର କରି ଖେଳିଥିଲା।

Comments are closed.