ୟୁରୋ କପ୍: ନେଦରଲାଣ୍ଡ୍‌ସ, ଚେକ୍ ଗଣତନ୍ତ୍ର ଓ ସ୍ଲୋଭାକିଆ ବିଜୟୀ

ଚଳିତ ୟୁରୋ କପ୍ ଫୁଟ୍‌ବଲ ଟୁର୍ଣ୍ଣାମେଣ୍ଟରେ ରବିବାର ରାତିରେ ଖେଳା ଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍‌ରେ ଶକ୍ତିଶାଳୀ ନେଦରଲାଣ୍ଡ୍‌ସ ବିଜୟୀ ହୋଇଛି। ଗ୍ରୁପ୍‌ ‘ସି’ର ଏହି ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ୩-୨ ଗୋଲ୍‌ରେ ୟୁକ୍ରେନକୁ ପରାସ୍ତ କରିଛି। ନେଦରଲାଣ୍ଡ୍‌ସ ଖେଳର ୫୨ ମିନିଟରେ ପ୍ରଥମ ଓ ୫୯ ମିନିଟରେ ୨ୟ ଗୋଲ୍‌ ଦେଇଥିଲା। ତେବେ ୪ ମିନିଟ ମଧ୍ୟରେ ୟୁକ୍ରେନ୍ ୨ଟିଯାକ ଗୋଲ୍‌ ସୁଝାଇ ଦେଇଥଲା। ମ୍ୟାଚ୍‌ ସରିବାକୁ ୫ ମିନିଟ ବାକିଥିବା ବେଳେ ନେଦରଲାଣ୍ଡ୍‌ସର ନାଥାନ୍ ଆକେଙ୍କ କ୍ରସ୍‌ରୁ ଡେଞ୍ଜେଲ ଡମ୍‌ଫ୍ରାଇଜ୍ ହେଡ୍‌କରି ଦଳ ପାଇଁ ୩ୟ ଗୋଲ୍‌ଦେଇ ଦଳକୁ ବିଜୟୀ କରିଥିଲେ।

ସେହିପରି ଗ୍ରୁପ୍ ‘ଡି’ର ଏକ ମ୍ୟାଚ୍‌ରେ ସ୍କଟ୍‌ଲାଣ୍ଡକୁ ୨-୦ ଗୋଲ୍‌ରେ ଚେକ୍ ଗଣତନ୍ତ୍ର ପରାସ୍ତ କରିଛି। ପାଟ୍ରିକ୍ ସ୍କିକ୍ ଚେକ୍ ଗଣତନ୍ତ୍ର ପାଇଁ ଉଭୟ ଗୋଲ୍‌ ସ୍କୋର୍ କରିଥିଲେ। ଉଭୟ ହାଫ୍‌ରେ ଏହି ୨ଟି ଗୋଲ୍‌ ହୋଇଥିଲା। ଅନ୍ୟ ପକ୍ଷରେ ୨୩ ବର୍ଷ ପରେ ଏକ ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିଥିବା ସ୍କଟ୍‌ଲାଣ୍ଡକୁ ପରାଜୟର ମୁହଁ ଦେଖିବାକୁ ମିଳିଛି।

ସୋମବାର ଗ୍ରୁପ୍‌ ‘ଇ’ ମ୍ୟାଚ୍‌ରେ ପୋଲାଣ୍ଡକୁ ୨-୧ ଗୋଲ୍‌ରେ ସ୍ଲୋଭାକିଆ ପରାସ୍ତ କରିଛି। ପୋଲାଣ୍ଡ ଏକ ଆତ୍ମଘାତୀ ଗୋଲ୍‌ ବରଣ କରିବା ପରେ ଏହା ଗୋଲ୍‌ ସୁଝାଇ ଦେଇଥିଲା। ମିଲାନ୍ ସ୍କ୍ରିନିଆର ସ୍ଲୋଭାକିଆ ପାଇଁ ବିଜୟ ସୂଚକ ୨ୟ ଗୋଲ୍‌ ଦେଇଥିଲେ। ୧୮ ମିନିଟରେ ସ୍ଲୋଭାକିଆ ପ୍ରଥମ ଗୋଲ୍‌ ଦେଇଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭ ହେବାର ୩୦ ସେକେଣ୍ଡରେ ପୋଲାଣ୍ଡ ଗୋଲ୍‌ ସୁଝାଇ ଦେଇଥିଲା। କାରୋଲ୍‌ ଲିନେଟି ଏହି ଗୋଲ୍‌ଟି ଦେଇଥିଲେ। ୬୯ ମିନିଟରେ ସ୍ଲୋଭାକିଆ ୨ୟ ଗୋଲ୍ ଦେଇଥିଲା। କର୍ଣ୍ଣରରୁ ବଲ୍‌ ପାଇ ସ୍ଲୋଭାକିଆର ମିଲାନ୍ ସ୍କ୍ରିନିଆର ଗୋଲ୍‌ ଦେଇଥିଲେ।

Comments are closed.