ଓଡ଼ିଶା ମୁହାଁ ‘ଫନୀ’ : ପରିସ୍ଥିତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଫନୀ’ ଅଧିକ ସକ୍ରିୟ ହୋଇ ମଙ୍ଗଳବାର ସୁଦ୍ଧା ଏକ ଶକ୍ତିଶାଳୀ ଝଡ଼ରେ ପରିଣତ ହେବା । ପରେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଆସନ୍ତା ବୁଧବାର ସୁଦ୍ଧା ଗତିପଥ ପରିବର୍ତ୍ତନ କରି ଉତ୍ତର-ପୂର୍ବ ଦିଗକୁ ଅଗ୍ରସର ହେବ। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଏହା ତାମିଲ୍‍ନାଡ଼ୁ ଏବଂ ଆନ୍ଧ୍ରପ୍ରଦେଶରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ। ତେବେ ଏହା ଡ଼ିଶାରେ ସ୍ଥଳଭାଗ ଛୁଇଁବାର ଅନୁମାନ କରାଯାଉଛି। ‘ଫନୀ’ ଓଡ଼ିଶା ଆଡ଼କୁ ମୁହାଁଉଥିବା ଭାରତୀୟ ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏବେ ଏହା ତାମିଲନାଡୁଠାରୁ ୮୪୦ କି.ମି ଦୂରରେ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ଏବଂ ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରୀୟ ମନ୍ତ୍ରଣାଳୟ, ସମସ୍ତ ଏଜେନ୍‍ସି ଏବଂ ରାଜ୍ୟ ସରକାରଙ୍କ ସହିତ ଏକ ଜରୁରୀ ବୈଠକ ଡକାଇବା ପାଇଁ କ୍ୟାବିନେଟ୍‍ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏବଂ ଭାରତୀୟ ତଟରକ୍ଷୀ ବାହିନୀକୁ ପ୍ରସ୍ତୁତ କରାଯାଇ ରାଜ୍ୟ ପ୍ରଶାସନ ଅଧୀନରେ ରଖାଯାଇଛି। ଗଭୀର ସମୁଦ୍ର ମଧ୍ୟକୁ ନ ଯିବାପାଇଁ ଗତ ଗୁରୁବାରଠାରୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।
ଯେଉଁମାନେ ସମୁଦ୍ର ମଧ୍ୟରେ ଅଛନ୍ତି, ଯଥାଶୀଘ୍ର କୂଳକୁ ଫେରିଆସିବା ପାଇଁ କୁହାଯାଇଛି। ପାଣିପାଗ ବିଭାଗ ପକ୍ଷରୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ସଦ୍ୟତମ
ପୂର୍ବାନୁମାନ ସମ୍ପର୍କିତ ତଥ୍ୟ ତିନି ଘଣ୍ଟା ବ୍ୟବଧାନରେ ପ୍ରଦାନ କରାଯାଉଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମ୍ପୃକ୍ତ ରାଜ୍ୟ ତଥା କେନ୍ଦ୍ରୀୟ ଏଜେନ୍‍ସିମାନଙ୍କ ସମ୍ପର୍କରେ ରହିଛି। ଇତିମଧ୍ୟରେ କ୍ୟାବିନେଟ୍‍ ସଚିବ ପି.କେ. ସିହ୍ନା ତାମିଲ୍‍ନାଡ଼ୁ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ୪ଟି ଉପକୂଳବର୍ତ୍ତୀ ରାଜ୍ୟର ବାତ୍ୟା ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି। ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ହୋଇଥିବା ଏହି ସମୀକ୍ଷା ବୈଠକରେ ପାଣିପାଗ ବିଭାଗ, ସ୍ୱରାଷ୍ଟ୍ର ବିଭାଗ, ଜାତୀୟ ଦୁର୍ବିପାକ ପରିଚାଳନା ସଂସ୍ଥା, ଜାହାଜ ଚଳାଚଳ, ମତ୍ସ୍ୟ ବିଭାଗ ଓ ଏନ୍‍ଡିଆର୍‍ଏଫ୍‍ର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ।

Comments are closed.