ଇଥିଓପିଆର ‘ନେଲସନ ମଣ୍ଡେଲା’ ଅବି ଅହମ୍ମଦ ଅଲ୍ଲୀଙ୍କୁ ନୋବେଲ ଶାନ୍ତି ପୁରସ୍କାର

ନରୱେ: ନରୱେ ନୋବେଲ କମିଟି ୨୦୧୯ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରିଛି। ଚଳିତ ବର୍ଷ ଇଥିଓପିଆର ‘ନେଲସନ ମଣ୍ଡେଲା’ ଭାବେ ପରିଚିତ ତଥା ସେଠାକାର ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀ ଏହି ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ବିଶ୍ୱ ଶାନ୍ତି ଓ ସହଯୋଗ କ୍ଷେତ୍ରରେ ଅବିଙ୍କ ଅବଦାନ ଓ ବିଶେଷ କରି ପଡୋଶୀ ଏରିଟ୍ରିଆ ସହ ସୀମା ବିବାଦ ସମାଧାନ ଦିଗରେ ତାଙ୍କ ଭୂମିକାକୁ ସମ୍ମାନ ଜଣାଇ ନରୱେ ନୋବେଲ କମିଟି ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡିଛି।

୪୩ ବର୍ଷୀୟ ଅବି ଅହମ୍ମଦ ଅଲ୍ଲୀ ୨୦୧୮ ଏପ୍ରିଲରେ ପ୍ରଧାନମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିବା ପରେ ପଡୋଶୀ ଏରିଟ୍ରିଆ ସହ ଶାନ୍ତି ସ୍ଥାପନ ନିମନ୍ତେ କଥାବାର୍ତ୍ତା କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ବହୁଦିନ ଧରି ଉଭୟ ଦେଶ ମଧ୍ୟରେ ‘ଶାନ୍ତି ନାହିଁ କି ଯୁଦ୍ଧ ନାହିଁ’ ପ୍ରସଙ୍ଗର ଅନ୍ତ ଘଟାଇବା ଉଦ୍ଦେଶ୍ୟରେ ଏରିଟ୍ରିଆ ରାଷ୍ଟ୍ରପତି ଇସାଇଆସ ଆଫେରିକି ଓ ଅବି ଅହମ୍ମଦ ଅଲ୍ଲୀ ଶାନ୍ତି ବୁଝାମଣାରେ ସ୍ଵାକ୍ଷର କରିଥିଲେ। ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀ ମଧ୍ୟ ଆନ୍ତର୍ଜାତିକ ସୀମା କମିଶନ ୨୦୦୨ର ନିର୍ଦ୍ଦେଶକୁ ବିନା ସର୍ତ୍ତରେ ଗ୍ରହଣ କରିଥିଲେ। ଆଗାମୀ ଦିନରେ ଉଭୟ ଦେଶ ମଧ୍ୟରେ ଅନେକ ବିକାଶ ମୂଳକ କାର୍ଯ୍ୟ ସ୍ଥାନ ପାଇବା ନେଇ ନରୱେ ନୋବେଲ କମିଟି ଆଶା ପୋଷଣ କରିଛନ୍ତି।

ଇଥିଓପିଆର ବେଶଶାରେ ୧୯୭୬ ମସିହା ଅଗଷ୍ଟ ୧୫ରେ ଜନ୍ମ ଗ୍ରହଣ କରିଥିବା ଅବି ଅହମ୍ମଦ ଅଲ୍ଲୀ ମାତ୍ର ୧୩ ବର୍ଷ ବୟସରେ ଦକ୍ଷିଣ ଆଫ୍ରିକାର ଗାନ୍ଧୀ ଭାବେ ପରିଚିତ ନେଲସନ ମଣ୍ଡେଲାଙ୍କ ପ୍ରଶଂସା କରିବା ସହ ସେ ତାଙ୍କ କାର୍ଯ୍ୟ ଶୈଳୀ ଦ୍ୱାରା ପ୍ରଭାବିତ ହୋଇଥିଲେ। ଅବି ଅନେକ ସମୟରେ ନେଲସନ ମଣ୍ଡେଲାଙ୍କ ଫଟୋ ଛପା ଥିବା ଟି-ସାର୍ଟ ପିନ୍ଧୁଥିଲେ। ପରେ ସେ ୨୦୧୮ରେ ଇଥିଓପିଆର ପ୍ରଧାନମନ୍ତ୍ରୀ ପଦବୀ ଗ୍ରହଣ କଲାପରେ ଆଫ୍ରିକୀୟ ଦେଶ ସମୂହର ଯୁବ ରାଷ୍ଟ୍ରାଧ୍ୟକ୍ଷ ହୋଇ ପାରିଥିଲେ। ସେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାର ୧୦୦ ଦିନ ମଧ୍ୟରେ ଇଥିଓପିଆରୁ ଜରୁରୀକାଳୀନ ପରିସ୍ଥିତି ପ୍ରତ୍ୟାହାର କରିବାରେ ସଫଳ ହୋଇଥିଲେ।

Comments are closed.