ଦ୍ୱନ୍ଦ୍ବରେ ଇଥାନଲ ପ୍ରକଳ୍ପ, ଶେଷ ଭରସା ବରଗଡ଼ ଚିନିକଳ

ବରଗଡ଼ : ବରଗଡ଼ ଜିଲା ଭଟଲି ବ୍ଲକ ବଉଳସିଂହା ଗ୍ରାମରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଇଥାନଲ ପ୍ରକଳ୍ପର କାର୍ଯ୍ୟକାରିତା ନେଇ ଏବେ ଦ୍ୱନ୍ଦ୍ବ ଉପୁଜିଛି। ୫୮ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପରୁ ବାର୍ଷିକ ୩କୋଟି ଲିଟର ଇଥାନଲ ଉତ୍ପାଦନ ଲକ୍ଷ୍ୟ ରହିଛି, ତେବେ ବିଭିନ୍ନ କାରଣର ଏହାର କାମ ଅଟକି ରହିଛି। ଗୋଟିଏ ସମସ୍ୟାର ସମାଧାନ ନ ହେଉଣୁ ଆଉ​‌ ଗୋଟିଏ ସମସ୍ୟା ମୁଣ୍ଡ ଟେକୁଛି। ଫଳରେ ଏହାକୁ ନେଇ ସ୍ଥାନୀୟ ଅଧିବାସୀ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ମଉଳିବାକୁ ବସିଲାଣି।

ଏକ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସ୍ଥାନୀୟ ଅଧିବାସୀ ଉପକୃତ ହେବେ । ବିଶେଷକରି ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଅଞ୍ଚଳର ବିକାଶ ପାଇଁ ବାଟ ଫିଟିବ ବୋଲି ସେମାନେ ଆଶା କରୁଥିଲେ। ମାତ୍ର ଏକାଧିକ ସମସ୍ୟା ଯୋଗୁ ଏହାର କାମ ଆଗେଇପାରୁ ନାହିଁ । ବର୍ଷେ ତଳେ ଯେଉଁଠି ଥିଲା ସେଇଠି ଅଟକି ରହିଛି ।

ବର୍ଷେ ହେଲା କରୋନା ମହାମାରୀ ଯୋଗୁ କାମ ଅଟକି ରହିଥଲା । ପରିସ୍ଥିତି ସାମାନ୍ୟ ସୁଧୁରିବା ପରେ ତଥା କୋଭିଡ କଟକଣା ଉଠିବା ପରେ ଏହାର ନିର୍ମାଣ ଦାୟିତ୍ବରେ ଥିବା ଟାଟା ଇନ୍‌ଫ୍ରା  କଂପାନି  ସେଥିରୁ ଓହରି ଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ୩କୋଟି ଟଙ୍କାର ବ୍ୟୟ ଅଟକଳରେ ଯେଉଁ ନିର୍ମାଣ ଦାୟିତ୍ବ ତାକୁ ଦିଆଯାଇଥିଲା ସେଥିପାଇଁ କମ୍ପାନୀ କର୍ତ୍ତୃପକ୍ଷ ଅଧିକ ଟଙ୍କା ଓ ସମୟ ଦାବି କରିଥିଲେ। ଅର୍ଥାତ ୩ କୋଟି ବଦଳରେ ୬ କୋଟି ଟଙ୍କା ସହ କାମ ସମାପ୍ତ କରିବାର ନିର୍ଦ୍ଧାରିତ ସମୟ ସୀମା ବଢ଼ାଇବା ପାଇଁ କମ୍ପାନୀ ଦାବି କରିଥିଲା। ଏହାର ଜବାବରେ ତା’ର ଟେଣ୍ଡର ବାତିଲ କରାଯାଇ ଗୁଜୁରାଟର ରାବଜୀ ମନଜି ସୋରାଟିଆ କମ୍ପାନୀକୁ ଦାୟିତ୍ବ ପ୍ରଦାନ କରାଯାଇଛି।

ଇତିମଧ୍ୟରେ ୧୯୪ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି । ସେଇ ହିସାବରେ କାମ ଯେତେ ଆଗେଇବା କଥା, ତାହା ହୋଇପାରି ନାହିଁ । ବିଭିନ୍ନ କାରଣରୁ କାମ ଧିମେଇ ଯାଇଛି। ଦ୍ବିତୀୟ ସମସ୍ୟା ହେଲା ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ପାଣି ଓ କଞ୍ଚାମାଲ । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଦୈନିକ ପ୍ରାୟ ୩ହଜାର କିଲୋ ଲିଟର ପାଣି ଆବଶ୍ୟକ ହେବ । ପ୍ରସ୍ତାବ ଅନୁସାରେ ହୀରକୁଦ ଜଳଭଣ୍ଡାର କିମ୍ବା ଏହାର ମୁଖ୍ୟ କେନାଲରୁ ପାଣି ଆସିବା କଥା, ମାତ୍ର ସେଥିପାଇଁ ସରକାରଙ୍କ ଅନୁମତି ଏପର୍ଯ୍ୟନ୍ତ ମିଳିନାହିଁ । ପୁଣି କେତେବେଳେ ହୀରକୁଦ ବନ୍ଧରୁ ସିଧାସଳଖ ପାଣି ଯୋଗାଇ ଦିଆଯିବ ବୋଲି କୁହାଯାଉଥିବା ବେଳେ କେତେବେଳେ ମୁଖ୍ୟ କେନାଲରୁ ପାଣି ଆସିବ ବୋଲି କୁହାଯାଉଛି। ପାଣି କେଉଁଠୁ ଆସିବ ତାହା ଚୂଡ଼ାନ୍ତ ହୋଇପାରି ନାହିଁ ।

ଚଳିତବର୍ଷ ପ୍ରକଳ୍ପ ପକ୍ଷରୁ ପାରିପାର୍ଶ୍ବିକ ବିକାଶ ପାଇଁ ବଉଳସିଂହା ଗ୍ରାମକୁ ୩୫ କୋଟି ଟଙ୍କା ପ୍ରଦାନ କରାଯାଇଛି ଏବଂ ସ୍ଥାନୀୟ ଅଞ୍ଚଳର ୨୨ଜଣକୁ ନିଯୁକ୍ତି ଦିଆଯାଇଛି । ୨୦୧୮ଏପ୍ରିଲରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ୨୦୨୨ରେ ସମାପ୍ତ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଉପରୋକ୍ତ ପ୍ରତିବନ୍ଧକ ଯୋଗୁ ଉକ୍ତ ସମୟ ସୀମା ମଧ୍ୟରେ ପ୍ରକଳ୍ପ  ସମ୍ପୂର୍ଣ୍ଣ ହେବାର ଲକ୍ଷଣ ଦେଖାଯାଉ ନାହିଁ ।

ନିକଟରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏସଂକ୍ରାନ୍ତ ଏକ ପ୍ରସ୍ତାବ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ। ଉକ୍ତ ପ୍ରସ୍ତାବ ଅନୁସାରେ ୪ବର୍ଷ ହେଲା ବନ୍ଦ ପଡ଼ଥିବା ତୋରା ଚିନିକଳରେ ଏହି ପ୍ରକଳ୍ପ ସ୍ଥାପନ କରାଗଲେ ଉଭୟ ପାଣି ଓ କଞ୍ଚାମାଲ ସମସ୍ୟା ଦୂର ହେବ । କାରଣ ଏଠାରେ ପୂର୍ବରୁ ପାଣିର ବ୍ୟବସ୍ଥା ରହିଛି ଏବଂ ଆଖୁଚାଷ ପାଇଁ ଥିବା ଚିନିକଳର ନିଜସ୍ବ ଜମିରେ ପୂର୍ବ ପରି ଆଖୁ ଚାଷ କରାଯାଇ କଞ୍ଚାମାଲ ସମସ୍ୟା ଦୂର କରାଯାଇ ପାରିବ। ଏଠାରେ ସମସ୍ୟା ହେଲା ଇଥାନଲ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଯୋଜନା ହୋଇଥିବା ବେଳେ ଚିନିକଳ ରାଜ୍ୟ ସରକାରଙ୍କର। ଉକ୍ତ ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ଉଭୟ ସରକାରଙ୍କ ମଧ୍ୟରେ ସମନ୍ବୟ ଏବଂ ବୁଝାମଣା ଆବଶ୍ୟକ। ଏ ଦିଗରେ ଉଭୟ ପକ୍ଷରୁ ଉଦ୍ୟମ ଆରମ୍ଭ ହେବା ଉଚିତ, ମାତ୍ର ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଏହା ହୋଇ ପାରୁ ନଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି।

Comments are closed.