ସ୍ୱାସ୍ଥ୍ୟ ସେବାରେ ସଫଳତା, ଇସଂଜୀବନୀରେ ଟେଲି-ପରାମର୍ଶ ନେଲେଣି ୪ ଲକ୍ଷ ରୋଗୀ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଇସଂଜୀବନୀ ଟେଲି ମେଡିସିନ୍ ପ୍ଲାଟଫର୍ମ ଚାରି ଲକ୍ଷ ଟେଲି-ପରାମର୍ଶର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପୂରଣ କରିଛି। ଏଥିରେ ତାମିଲନାଡୁର ସର୍ବାଧିକ ୧ ଲକ୍ଷ ୩୩ ହଜାର ୧୬୭ ଜଣ ଏବଂ ଉତ୍ତରପ୍ରଦେଶରେ ୧ ଲକ୍ଷ ୧୨୪ ଜଣ ରୋଗୀ ସହାୟତା ପାଇଛନ୍ତି। ଇସଂଜୀବନୀ ଟେଲି ମେଡିସିନ୍ ସେବାରେ ଡାକ୍ତର ସହ ଡାକ୍ତର ଏବଂ ରୋଗୀ ସହ ଡାକ୍ତର ଟେଲି-ପରାମର୍ଶ କରିବାର ସୁବିଧା ରହିଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୬ଟି ରାଜ୍ୟର ୧୨ ହଜାରରୁ ଅଧିକ ଡାକ୍ତର ଇସଂଜୀବନୀ ପ୍ଲାଟଫର୍ମରେ ସାମିଲ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ହିମାଚଳ ପ୍ରଦେଶର ୩୬ ହଜାର ୫୨୭, କେରଳର ୩୩ ହଜାର ୩୪୦, ଆନ୍ଧ୍ରପ୍ରଦେଶର ୩୧ ହଜାର ୩୪, ଉତ୍ତରପ୍ରଦେଶର ୧୧ ହଜାର ୫୨୬, ଗୁଜୁରାଟର ୮ ହଜାର ୯୧୪, ମଧ୍ୟପ୍ରଦେଶର ୮ ହଜାର ୯୦୪, କର୍ଣ୍ଣାଟକର ୭ ହଜାର ୬୮୪ ଏବଂ ମହାରାଷ୍ଟ୍ରର ୭ ହଜାର ୧୦୩ଟି ପରାମର୍ଶ କଲ ସହ ଏ କ୍ଷେତ୍ରରେ ଭଲ ଧାରା ପ୍ରଦର୍ଶନ କରିଛି।
ମନ୍ତ୍ରାଳୟ ସୂଚନା ଦେଇଛି ଯେ ତାମିଲନାଡୁର ଭିଲୁପୁରମ୍ ପରି ଛୋଟ ଜିଲ୍ଲାରେ ଏହି ସେବାକୁ ଶୀଘ୍ର ଗ୍ରହଣ କରାଯାଇଛି। ହିତାଧିକାରୀଙ୍କ ଦ୍ୱାରା ପ୍ରାପ୍ତ ଟେଲି ଯୋଗାଯୋଗ ସେବା ଦୃଷ୍ଟିରୁ ଭିଲୁପୁରମରୁ ୧୬ ହଜାରରୁ ଅଧିକ ପରାମର୍ଶ ରେକର୍ଡ କରାଯାଇଛି।
ତେବେ ଗତ ୧୮ ଦିନ ମଧ୍ୟରେ ୧ ଲକ୍ଷ ପରାମର୍ଶ କଲ ଆସିଥିବା ବେଳେ ପ୍ରଥମ ୧ ଲକ୍ଷ ପରାମର୍ଶ କଲ ପ୍ରାୟ ତିନିମାସ ସମୟ ନେଇଥିଲା। କରୋନା ମହାମାରୀ ମଧ୍ୟରେ ଇସଞ୍ଜୀବନୀ ସେବା ରୋଗୀ-ଡାକ୍ତର ମଧ୍ୟରେ ଟେଲିମେଡିସିନ୍ ସମ୍ବନ୍ଧିତ ସେବା କ୍ଷେତ୍ରରେ ସଫଳତା ଦେଇଥିବା ମନ୍ତ୍ରାଳୟ କହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରାୟ ୨୦ ପ୍ରତିଶତ ରୋଗୀ ଏକାଧିକ ଥର ଏହି ପ୍ରକ୍ରିୟା ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ଲୋଡିଛନ୍ତି।