ଲସ ଏଞ୍ଜେଲ୍ସ ମେୟର ଏରିକ ଗାର୍ସେଟ୍ଟି ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ଶୁକ୍ରବାର ଦିନ ଲସ ଏଞ୍ଜେଲ୍ସ ମେୟର ଏରିକ ଗାର୍ସେଟ୍ଟିଙ୍କୁ ଭାରତର ରାଷ୍ଟ୍ରଦୂତ ଭାବରେ ମନୋନୀତ କରିଛନ୍ତି। ଡେମୋକ୍ରାଟିକ ପାର୍ଟିରେ ଜଣେ ଉଦୀୟମାନ ନେତା ଥିବା ଗାର୍ସେଟ୍ଟି ୨୦୧୩ରୁ ଆମେରିକାର ଦ୍ୱିତୀୟ ସର୍ବବୃହତ ସହର ଲସ ଏଞ୍ଜେଲ୍ସର ମେୟର ଭାବରେ ଅବସ୍ଥାପିତ ହୋଇଛନ୍ତି। ଦେଶର ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ତାଲିକାରେ ଗାର୍ସେଟ୍ଟିଙ୍କ ନାମ ଶୁଣିବାକୁ ମିଳିଥିଲେ ମଧ୍ୟ ସେ ଏହାକୁ ଅସ୍ୱୀକାର କରିଥିଲେ। ତେବେ ବାଇଡେନ ତାଙ୍କୁ ଏହି ନୂଆ ଦାୟିତ୍ୱ ଦେବାକୁ ଯାଉଛନ୍ତି।
ଗାର୍ସେଟ୍ଟି ଆମେରିକା ନୋ÷ବାହିନୀ ରିଜର୍ଭରେ ଜଣେ ଗୁଇନ୍ଦା ଅଫସର ଭାବରେ ୧୨ ବର୍ଷ କାର୍ଯ୍ୟ କରିଛନ୍ତି। ତାଙ୍କୁ ଏହି ଦାୟିତ୍ୱ ଦିଆଗଲେ ସେ ସେହି ସମାନ ଶକ୍ତି, ପ୍ରତିବଦ୍ଧତା ଏବଂ ଆଗ୍ରହର ସହିତ କାର୍ଯ୍ୟକରିବେ ଏବଂ ଭାରତ ସହିତ ଏଭଳି ସହଭାଗିତା ଏବଂ ସଂଯୋଗ ସ୍ଥାପନ ଦିଗରେ କାର୍ଯ୍ୟକରିବେ ଯାହା ଲସ ଏଞ୍ଜେଲ୍ସ ପାଇଁ ଫାଇଦା ପହଞ୍ଚାଇବ। ତାଙ୍କ ନିଯୁକ୍ତିକୁ ସିନେଟ ଅନୁମୋଦନ କରିବା ପରେ ସେ ତାଙ୍କର ଏହି ନୂଆ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ ଯେ ଚୀନ ତାହାର ବିସ୍ତାରବାଦୀ ନୀତି ଜାରି ରଖିଥିବାବେଳେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ କ୍ରମଶଃ ନିବିଡ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ଗାର୍ସେଟ୍ଟି ନୂଆଦିଲ୍ଲୀରେ ଏହି ନୂଆ ଦାୟିତ୍ୱ ନେବେ। ଇତିମଧ୍ୟରେ ବାଇଡେନ୍‍ ଚାଇନାର ମୁକାବିଲା କରିବାକୁ ଆମେରିକା, ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆକୁ ନେଇ ‘କ୍ୱାଡ’ ସହଭାଗିତାକୁ ଅଧିକ ସୁଦୃଢ କରିବା ପ୍ରୟାସ ଆରମ୍ଭ କରିଛନ୍ତି।

Comments are closed.