୧ ଲକ୍ଷ କର୍ମଚାରୀଙ୍କୁ ୨୦୭ ​କୋଟିର ଅନୁଦାନ ଦେଲା ଇପିଏଫ୍‌ଓ

ଭୁବନେଶ୍ବର: ସମ୍ପ୍ରତି କ​ରୋନା ସଂକ୍ରମଣ ସମୟ​‌ରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଗତ ମାର୍ଚ୍ଚରେ ଏହାର ୧ ଲକ୍ଷ କର୍ମଚାରୀଙ୍କୁ ୨୦୭ ​କୋଟିର ଅନୁଦାନ ପ୍ରଦାନ କରିଥିବା କହିଛନ୍ତି। ରାଜ୍ୟର ଭୁବନେଶ୍ବର, ରାଉରକେଲା, ବ୍ରହ୍ମପୁର ଏବଂ କେନ୍ଦୁଝର ଆଞ୍ଚଳିକ ଭବିଷ୍ୟନିଧି କାର୍ୟ୍ୟାଳୟ ମାଧ୍ୟମରେ ମଙ୍ଗଳବାର ସୁଦ୍ଧା ଓଡ଼ିଶାର ପ୍ରାୟ ୩୫୦୦ ସଂସ୍ଥାର ୫୦,୦୦୦ରୁ ଅଧିକ କର୍ମଚାରୀ ଏହି ଯୋଜନାର ସୁଫଳ ଲାଭ କରି ପ୍ରାୟ ୮ କୋଟି ଟଙ୍କାର ଅନୁଦାନ ପାଇଛନ୍ତି। ଓଡ଼ିଶାରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ଅତିରିକ୍ତ କେନ୍ଦ୍ରୀୟ ଭବିଷ୍ୟନିଧି ଆୟୁକ୍ତ ତଥା ଓପିଏଫ୍‌ଓ ଓଡ଼ିଶାର ମୁଖ୍ୟ ପି. ବୀରଭଦ୍ର ସ୍ବାମୀଙ୍କ ନେତୃତ୍ବରେ କାର୍ୟ୍ୟ ଜାରି ରହିଛି। ରାଜ୍ୟର ଆଉ ୫୦୦୦ରୁ ଅଧିକ ସଂସ୍ଥା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା​ରେ ଯୋଗ୍ୟ ହୋଇଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ ମାର୍ଚ୍ଚ ମାସର ଭବିଷ୍ୟନିଧି ଜମା ପାଇଁ ଇସିଆର୍‌ ଦାଖଲ କରିନାହାନ୍ତି।

କେନ୍ଦ୍ର ସରକାର ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ମାର୍ଚ୍ଚର ଭବିଷ୍ୟନିଧି ଦେୟ ସମୟସୀମାକୁ ମେ ୧୫ ଯାଏ ଘୁଞ୍ଚାଇ ଦେଇଛନ୍ତି। ତେଣୁ ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେଉଥିବା ସମସ୍ତ ଅନୁଷ୍ଠାନ/ସଂସ୍ଥା​‌ ଯଥାଶୀଘ୍ର ଇସିଆର୍‌ ଦାଖଲ କରି ଏହି ଯୋଜନାର ସୁଫଳ ଲାଭ କରିବାକୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଭୁବନେଶ୍ବରର ସହକାରୀ ଭବିଷ୍ୟନିଧି ଆୟୁକ୍ତ ତଥା ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ କୁମାର ରଥ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ କୌଣସି ସମସ୍ୟାର ସମାଧାନ ଲାଗି ନିଜ ଅଞ୍ଚଳର ଇପିଏଫ୍‌ଓର ପ୍ରବର୍ତ୍ତନ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

Comments are closed.