୮.୫% ସୁଧହାରକୁ ଦୁଇ କିସ୍ତିରେ ଦେବ ଇପିଏଫ୍‌ଓ

ନୂଆଦିଲ୍ଲୀ :କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଦସ୍ୟଙ୍କୁ ଇପିଏଫ୍‌ ବାବଦରେ ମିଳିବାକୁ ଥିବା ୮.୫ ପ୍ରତିଶତ ସୁଧହାର ଏକକାଳୀନ ପ୍ରାପ୍ତ ହେବନାହିଁ । କାରଣ କରୋନା ମହାମାରୀ ପାଇଁ ଦେଶବ୍ୟାପୀ ଲାଗୁ କରାଯାଇଥିବା ଲକ୍‌ଡାଉନ୍‌ ଯୋଗୁ ବର୍ତ୍ତମାନ ସ୍ଥିତି ଅସ୍ଥିର ରହିଛି । ଏହାଫଳରେ ସଂଗଠନ ଏହାର ସଦସ୍ୟମାନଙ୍କୁ ୨୦୧୯-୨୦ ନିମନ୍ତେ ଉର୍ଦ୍ଦିଷ୍ଟ ୮.୫ ପ୍ରତିଶତ ସୁଧହାରକୁ ଦୁଇଟି କିସ୍ତିିରେ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି ।​‌ ତେବେ ସଦସ୍ୟମାନେ ବର୍ତ୍ତମାନ ଅର୍ଥାତ୍‌ ପ୍ରଥମ କିସ୍ତିରେ ସୁଧହାର ବାବଦ ୮.୧୫ ପ୍ରତିଶତ ସୁଧ ପାଇବାକୁ ଥିବାବେଳେ ଚଳିତବର୍ଷ ଡିସେମ୍ବରରେ ଆଉ ଏକ କିସ୍ତିରେ ୦.୩୫ ପ୍ରତିଶତ ସୁଧ ପାଇବେ । ଇପିଏଫ୍‌ଓର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକରେ ଆଜି ଏ ସମ୍ପର୍କ​‌ରେ ନିଷ୍ପତ୍ତି ନିଆଯାଇଛି ।

ତେବେ ସଦସ୍ୟଙ୍କୁ ଏକକାଳୀନ ସମ୍ପୂର୍ଣ୍ଣ ସୁଧହାର ୮.୫ ପ୍ରତିଶତ ବାବଦ ରାଶି ପ୍ରଦାନ ନ କରିପାରିବାର ମୁଖ୍ୟ କାରଣ ହେଉଛି ଇପିଏଫ୍‌ଓ ପୂର୍ବରୁ ଏହାର ବଳକା ରାଶିକୁ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌ (ଇଟିଏଫ୍‌)ରେ ନିବେଶ କରିବାକୁ ଯୋଜନା କରିଥିଲା । ଗତ ଆର୍ଥିକବର୍ଷ ପାଇଁ ସଦସ୍ୟଙ୍କୁ ୮.୫ ପ୍ରତିଶତ ସୁଧହାର ପ୍ରଦାନ କ୍ଷେତ୍ରରେ ସଂଗଠନ ନିଅଣ୍ଟିଆ ସ୍ଥିତିର ସମ୍ମୁଖୀନ ହୋଇଛି ।​‌ ଏଥିପାଇଁ ଇଟିଏଫ୍‌ରେ ପାଣ୍ଠି ନିବେଶ କରିବା ଯୋଜନା ଥିଲା, କିନ୍ତୁ ସାମ୍ପ୍ରତିକ ବଜାର ସ୍ଥିତି ପାଇଁ ଏହା ସମ୍ଭବପର ହୋଇ ନ ଥିଲା । ସିବିଟିର ପରବର୍ତ୍ତୀ ବୈଠକ ଚଳିତବର୍ଷ ଡିସେମ୍ବରରେ ବସିବାକୁ ଯାଉଛି । ସେହି ବୈଠକରେ ସୁଧ ବାବଦ ଦ୍ବିତୀୟ କିସ୍ତି ୦.୩୫ ପ୍ରତିଶତ ଅର୍ଥ ପ୍ରଦାନ ଉପେର ନିଷ୍ପତ୍ତି ଗ୍ରହଣ କରାଯିବ । ସୂଚନାଯୋଗ୍ୟ ଚଳିତବର୍ଷ ମାର୍ଚ୍ଚରେ କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିବିଟି ବୈଠକରେ ୨୦୧୯-୨୦ ପାଇଁ ୮.୫ ପ୍ରତିଶତ ସୁଧ ହାର ପ୍ରଦାନ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Comments are closed.