୭୩.୫୮ ଲକ୍ଷ ଇପିଏଫଓ ସଦସ୍ୟଙ୍କ କେୱାଇସି ଅପ୍‌ଡେଟ

ନୂଆଦିଲ୍ଲୀ:କୋଭିଡ୍‌ ମହାମାରୀ ସମୟରେ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ର ସଦସ୍ୟମାନଙ୍କୁ ଅନ୍‌ଲାଇନ ସେବା ଯୋଗାଇଦେବା ଲକ୍ଷ୍ୟରେ ଚଳିତବର୍ଷ ଏପ୍ରିଲରୁ ଜୁନ୍‌ ମଧ୍ୟରେ ୭୩.୫୮ ଲକ୍ଷ ସଦସ୍ୟଙ୍କ  କେୱାଇସି ଡାଟାକୁ ଅପ୍‌ଡେଟ କରିଛି । ଏଥିମଧ୍ୟରେ ୫୨.୧୨ ଲକ୍ଷ ସଦସ୍ୟଙ୍କ ଖାତାକୁ ଆଧାର ସହ ସିଡିଂ କରାଯାଇଛି । ଏହାଛଡା ୧୭.୪୮ ଲକ୍ଷ ସଦସ୍ୟଙ୍କ ମୋବାଇଲ ସିଡିଂ (ୟୁଏଏନ୍‌ଆର) ଆକ୍ଟିଭେସନ କରାଯାଇଥିବାବେଳେ ୧୭.୮୭ ଲକ୍ଷ ସଦସ୍ୟଙ୍କର ବ୍ୟାଙ୍କ ଖାତାକୁ ସିଡିଂ କରାଯାଇଛି । କେୱାଇସି ଏକ ଏକକାଳୀନ ପ୍ରକ୍ରିୟା ଯାହାଦ୍ୱାରା ସଦସ୍ୟମାନଙ୍କର ପରିଚୟ ତଦାରଖ ସହଜ ହୋଇଥାଏ ଏବଂ ଏହା ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ସହ ସଂଯୁକ୍ତ ହୋଇଥାଏ । ଲକ୍‌ଡାଉନ ସମୟରେ ମଧ୍ୟ ଇପିଏଫ୍‌ଓ ୯.୭୩ ଲକ୍ଷ ଲୋକଙ୍କ ନାମ ସଂଶୋଧିତ ହୋଇଛି ଓ ୪.୧୮ ଲକ୍ଷ ସଦସ୍ୟଙ୍କ ଜନ୍ମ ତାରିଖରେ ସଂଶୋଧନ କରାଯାଇଛି । ଯେଉଁ କ୍ଷେତ୍ରରେ ଜନ୍ମ ତାରିଖରେ ସର୍ବାଧିକ ୩ ବର୍ଷର ପାର୍ଥକ୍ୟ ରହିଛି ସେଠାରେ ଆଧାରକୁ ପ୍ରମାଣଭାବେ ଗ୍ରହଣ କରାଯାଇ ସଦସ୍ୟଙ୍କ ଜନ୍ମ ତାରିଖ ସଂଶୋଧନ କରାଯାଇଛି । ସେହିଭଳି ଏହି ପ୍ରକ୍ରିୟାରେ ଏପ୍ରିଲ-ଜୁନ ମଧ୍ୟରେ ୭.୧୬ ଲକ୍ଷ ସଦସ୍ୟଙ୍କ ଆଧାର ନମ୍ବରରେ ମଧ୍ୟ ଆବଶ୍ୟକ ସଂଶୋଧନ କରାଯାଇଛି । କେୱାଇସି ଅପ୍‌ଡେଟ୍‌ ​‌େ​‌ହବା ଫଳରେ ଜଣେ ସଦସ୍ୟ (ମେମ୍ବର ପୋର୍ଟାଲ) ମାଧ୍ୟମରେ ଅନ୍‌ଲାଇନ ସେବାର ସୁଯୋଗ ପାଇପାରିବ । ଚୂଡାନ୍ତ ଅର୍ଥ ଉଠାଣ, ନିଜ ଖାତାରୁ ଅଗ୍ରୀମ ଅର୍ଥ ନେବା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ନିଜ ଖାତାରୁ ଅଗ୍ରୀମ ଉଠାଇବା ପାଇଁ ଏହି ବ୍ୟବସ୍ଥା ସହାୟକ ହେବ । ଏହି ଅନ୍‌ଲାଇନ ବ୍ୟବସ୍ଥା ଜଞ୍ଜାଳମୁକ୍ତ, ସହଜ ଓ ସରଳ । ଚାକିରି ବଦଳାଇଲେ ମଧ୍ୟ ଜଣେ ସଦସ୍ୟ ନିଜର ଆକାଉଣ୍ଟକୁ ଅନ୍‌ଲାଇନ ବ୍ୟବସ୍ଥାରେ ବଦଳାଇବେ । ଡେସ୍କଟପ୍‌ କିମ୍ବା ଉମଙ୍ଗ ମାଧ୍ୟମରେ ଇପିଏଫର ସମସ୍ତ ସେବା ସଦସ୍ୟମାନଙ୍କୁ ଉପଲବ୍ଧ ହେବ ।

Comments are closed.