କର୍ମଚାରୀଙ୍କ ଉପରେ ସରକାର ମେହେରବାନ: ୩ ମାସ ପାଇଁ ଇପିଏଫ୍ ସଞ୍ଚୟ ୧୨%ରୁ ୧୦%କୁ ହ୍ରାସ

ନୂଆଦିଲ୍ଲୀ: ତିନି ମାସ ପାଇଁ କମିବ ଇପିଏଫ୍ ଜମାକାରୀଙ୍କ ସଞ୍ଚୟ । ଅବଶ୍ୟ ଏହି ଅର୍ଥ ସେମାନେ ସଞ୍ଚୟ କରିବା ପରିବର୍ତ୍ତେ ଦରମାରେ ଅଧିକ ପାଇବେ । ଲୋକଙ୍କ ପକେଟକୁ ଅଧିକ ଅର୍ଥ ଦେବା ନିମନ୍ତେ ସରକାର ଏପରି ପଦକ୍ଷେପ ନେଇଛନ୍ତି ବୋଲି କୁହାଯାଉଛି । ଅପରପକ୍ଷରେ ଏହାଦ୍ବାରା ନିଯୁକ୍ତିଦାତାମାନେ ଉପକୃତ ହେବେ ଏବଂ କର୍ମଚାରୀଙ୍କ ନିମନ୍ତେ ୧୨% ପରିବର୍ତ୍ତେ ୧୦ % ଇପିଏଫ୍ ଜମା କରିବାକୁ ପଡ଼ିବ । ପୂର୍ବରୁ ସରକାର ଇପିଏଫ୍ ସୁଧହାର ହ୍ରାସ କରିଥିଲେ, ଏବେ ଇପିଏଫ୍ ଜମା ହ୍ରାସ କରିଛନ୍ତି ।

ସରକାରଙ୍କ ଏହି ନିୟମ ଅନୁଯାୟୀ, ଚଳିତ ମେ ମାସଠାରୁ ଜୁଲାଇ ମାସ ପର୍ଯ୍ୟନ୍ତ ନିଯୁକ୍ତିଦାତା ସଂସ୍ଥା ଓ ନିଯୁକ୍ତ କର୍ମଚାରୀଙ୍କ ଇପିଏଫ ଯୋଗଦାନ ୧୨%ରୁ ୧୦%କୁ ହ୍ରାସ କରାଯାଇଛି  | ସମ୍ପ୍ରତି ଇପିଏଫ୍ ବ୍ୟବସ୍ଥା ଅନୁସାରେ କର୍ମଚାରୀ ଓ ନିଯୁକ୍ତିଦାତା ମୂଳ ଦରମା   ଏବଂ ମହଙ୍ଗା ଭତ୍ତାର  ୧୨%  ଇପିଏଫରେ ଜମା କରନ୍ତି | ଉଭୟ ଜମା ରାଶି ମିଶାଇ ୨୪ ପ୍ରତିଶତ ହୋଇଥାଏ |  ନୂଆ ନିୟମ ପରେ ଏହା ୧୨ %ରୁ ୧୦% ହୋଇଛି | ଅର୍ଥାତ ବର୍ତ୍ତମାନ କର୍ମଚାରୀଙ୍କ ଇପିଏଫ ଆକାଉଣ୍ଟରେ ୨୪% ଜାଗାରେ ୨୦ % ଯୋଗଦାନ ରହିବ | ଏହା କେବଳ ମେ ମାସରୁ ଜୁଲାଇ ମାସ ଯାଏଁ ଲାଗୁ ହେବ | ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କର୍ମଚାରୀ ଦରମା ବାବଦରେ ଅଧିକ ରାଶି ପାଇବେ ।  ଶ୍ରମ ମନ୍ତ୍ରାଳୟ କହିଛି ଯେ, ଇପିଏଫ ଯୋଗଦାନକୁ ୧୨ % ରୁ ୧୦%କୁ ହ୍ରାସ  ପରେ କର୍ମଚାରୀଙ୍କ ଟେକ ହୋମ ସାଲାରୀ ବଢ଼ିଯିବ | ଇପିଏଫ ଆକାଉଣ୍ଟକୁ ଯାଉଥିବା ୪ % ବର୍ତ୍ତମାନ ଟେକ ହୋମ ସାଲାରୀରେ ସାମିଲ ହେବ |

Comments are closed.