ବିଶ୍ୱରେକର୍ଡ: ମୋର୍ଗାନ୍‌ଙ୍କ ୧୭ ଛକା

ମାଞ୍ଚେଷ୍ଟର: ଗୋଟିଏ ଦିନିକିଆ ଇନିଂସରେ ସର୍ବାଧିକ ଛକା ମାରିବାର ନୂତନ ବିଶ୍ୱରେକର୍ଡ ପ୍ରତିଷ୍ଠା କରିଛନ୍ତି ଇଂଲଣ୍ଡ ଅଧିନାୟକ ଇଓନ ମୋର୍ଗାନ୍। ମଙ୍ଗଳବାର ଏଠାରେ ଆଫ୍‌ଗାନିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍‌ରେ ମୋର୍ଗାନ୍ ତାଙ୍କ ଶତକୀୟ ଇନିଂସରେ ୧୭ଟି ଛକା ମାରିଥିଲେ। ଏହା ଏକ ବିଶ୍ବରେକର୍ଡ। ତାଙ୍କ ପୂର୍ବରୁ ୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ରୋହିତ ଶର୍ମା, ୨୦୧୫ରେ ଜୋହାନସବର୍ଗରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲିଅର୍ସ ଓ ୨୦୧୫ରେ କାନ୍‌ବେରାରେ ଜିମ୍ବାୱେ ବିପକ୍ଷରେ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌ ଏକ ଦିନିକିଆ ଇନିଂସରେ ସର୍ବାଧିକ ୧୬ଟି ଲେଖାଏଁ ଛକା ମାରି ମିଳିତ ଭାବେ ଏହି ବିଶ୍ୱରେକର୍ଡର ଅଧିକାରୀ ଥିଲେ। ତେବେ ମଙ୍ଗଳବାର ଆଫ୍‌ଗାନିସ୍ତାନ ବିପକ୍ଷ​‌ରେ ତାଙ୍କ ବିଧ୍ୱଂସି ଇନିଂସରେ ଉପରୋକ୍ତ ୩ ବ୍ୟାଟ୍‌ସମ୍ୟାନଙ୍କୁ ଅତିକ୍ରମ କରି ଇଓନ୍ ମୋର୍ଗାନ୍ ୧୭ଟି ଛକା ମାରିଛନ୍ତି।

୪୭ତମ ଓଭରରେ ଆଉଟ ହୋଇନଥିଲେ ମୋର୍ଗାନ୍ ଆଉ କିଛି ଛକା ନିଶ୍ଚୟ ମାରିଥାଆନ୍ତେ। ଏହି ଇନିଂସରେ ମାତ୍ର ୧୭ ଓଭର କ୍ରିଜ୍‌ରେ ରହି ବାମହାତି ଇଓନ୍ ମୋର୍ଗାନ୍ ୭୧ଟି ବଲ୍‌ ଖେଳି ୧୭ଟି ଛକା ଓ ୪ଟି ଚୌକା ସହ ୧୪୮ ରନ୍ କରିଥିଲେ। କେବଳ ଛକାରେ ମୋର୍ଗାନ୍ ଶତକ (୧୭x୬=୧୦୨ ରନ୍) ମାରିଥିଲେ। ପୁଣି ବିଶ୍ୱକପ୍‌ର ଏକ ଇନିଂସରେ ସର୍ବାଧିକ ସଂଖ୍ୟକ ଛକା ମାରିବାର ରେକର୍ଡ ମଧ୍ୟ ମୋର୍ଗାନ୍ ସ୍ଥାପନ କରିଛନ୍ତି। ୨୦୧୫ ବିଶ୍ୱକପ୍‌ରେ ଜିମ୍ବାୱେ ବିପକ୍ଷରେ କାନ୍‌ବେରାରେ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍‌ ୧୬ଟି ଛକା ମାରିଥିଲେ; ଯାହାକୁ ଏହି ମ୍ୟାଚ୍‌ରେ ମୋର୍ଗାନ୍ ଅତିକ୍ରମ କରିଛନ୍ତି।

Comments are closed.