ବିଷବଳୟରେ ସହର

ଅତିଷ୍ଠ କଲାଣି ବାୟୁ ପ୍ରଦୂଷଣ!

ଉତ୍ତରଭୁବନେଶ୍ୱର: ରାଜଧାନୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଶୀତଋତୁରେ ଏହା ଅନ୍ୟ ଦିନଠାରୁ ଊର୍ଦ୍ଧ୍ବରେ ରହୁଛି। ବହୁସଂଖ୍ୟକ ଗାଡ଼ି ମୋଟର ଯାତାୟାତ ଏବଂ କଳକାରଖାନା ସାଙ୍ଗକୁ ବିଭିନ୍ନ ସ୍ଥାନରେ ରାସ୍ତାଘାଟ, ନାଳ, ଆପାର୍ଟମେଣ୍ଟ, ବିଲ୍ଡିଂ, କେବୁଲ ଲାଇନ୍‍ ଭଳି ବିଭିନ୍ନ ନିର୍ମାଣ କାମ ଯୋଗୁଁ ଭୁବନେଶ୍ୱର ବାୟୁ ଅତ୍ୟନ୍ତ ପ୍ରଦୂଷିତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି।


ସକାଳ ଓ ପୂର୍ବାହ୍ନ ସମୟର ରାଜଧାନୀ ମଧ୍ୟରେ ଆକାଶ ପାତାଳ ତଫାତ ରହୁଛି। ବିଶେଷକରି ଭୁବନେଶ୍ୱରର ପ୍ରବେଶପଥ ହଂସପାଳ ଛକଠାରୁ ସପ୍ତଶତୀ ମନ୍ଦିର, ପଳାଶୁଣି, ନୂଆ ବାଇପାସ୍‍, ରସୁଲଗଡ଼, ବମିଖାଲ, ସହିଦନଗର, ସତ୍ୟନଗର, ଅଶୋକନଗର, ଟଙ୍କପାଣି ରୋଡ଼, ବରମୁଣ୍ଡା, ଆଇଗିଣିଆ, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର ଓ ରସୁଲଗଡ଼ ଶିଳ୍ପାଞ୍ଚଳରେ ପ୍ରଦୂଷଣ ମାତ୍ରା ଖୁବ୍‌ ଅଧିକ ରହୁଛି। ସହରର ସମସ୍ତ ପ୍ରମୁଖ ଏବଂ ଗଳି ରାସ୍ତାଗୁଡ଼ିକ ଧୂଳିଧୂଆଁରେ ପରିପୂର୍ଣ୍ଣ। ଜନସାଧାରଣ ଏବଂ ପଥଚାରୀ ଧୂଳିଧୂଆଁରେ ଅଣନିଃଶ୍ୱାସୀ ହୋଇ ପଡୁଥିବା ଦେଖିବାକୁ ମିଳୁଛି। ଧୂଳିଧୂଆଁ ସାଙ୍ଗକୁ ଶିଳ୍ପାଞ୍ଚଳରେ ଥିବା କେତେକ ମସଲା କମ୍ପାନୀ ସେମାନଙ୍କ ବର୍ଜ୍ୟବସ୍ତୁ ଛାଡ଼ୁଥିବାରୁ ଚକେଇସିହାଣୀ, ସମେଇଗଡ଼ିଆ ସମେତ ବିଭିନ୍ନ ବସ୍ତି ଲୋକେ ଶ୍ବାସକ୍ରିୟାଜନିତ ସମସ୍ୟା ଭୋଗ କରୁଛନ୍ତି। ବାୟୁ ପ୍ରଦୂଷଣ ମାତ୍ରାଧିକ ଯୋଗୁଁ ଆଜ୍‌ମା, ଯକୃତ, ଯକ୍ଷ୍ମା, ଚର୍ମରୋଗ, ଶ୍ୱାସ, ଥଣ୍ଡା, ଜ୍ୱର ଏପରିକି କ୍ୟାନ୍‌ସର ଆଦି ରୋଗରେ ପୀଡ଼ିତ ହେଉଛନ୍ତି। ବାୟୁର ପ୍ରତି ମିଟରରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ସାଧାରଣ ଭାବେ ୧୦୦ ମାଇକ୍ରୋଗ୍ରାମ୍‌ ରହିବା କଥା କିନ୍ତୁ ବର୍ତ୍ତମାନ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଏବଂ ଏହାର ଆଖାପାଖ ଅଞ୍ଚଳରେ ୧୩୦ରୁ ୧୫୦ ପାଖାପାଖି ମାଇକ୍ରୋଗ୍ରାମ୍‌ ରହୁଛି। ଫଳରେ ବାୟୁରେ ଥିବା ଅମ୍ଲଜାନ ଭାଗ ଧୀରେଧୀରେ ହ୍ରାସ ପାଉଛି। ଏଥିପାଇଁ ବିହିତ ବ୍ୟବସ୍ଥା ସ୍ୱରୂପ ଗାଡ଼ିମୋଟର ବ୍ୟବହାର ହ୍ରାସ, କଳକାରଖାନାରୁ ନିର୍ଗତ ଧୂଳି ଧୂଆଁକୁ ଫିଲ୍‌ଟର କରି ନିର୍ଗତ କରିବା, ରାସ୍ତାଘାଟରେ ଜମା ହେଉଥିବା ଧୂଳିକୁ ସଫେଇ କରିବା, ପରିବେଶକୁ ସୁସ୍ଥ ରଖିବା ଜରୁରୀ ବୋଲି ପରିବେଶବିତ ମତ ପ୍ରକାଶ କରିଛନ୍ତି।


‘କ୍ଷତିକାରକ ନୁହେଁ’
ରାଜ୍ୟ ପ୍ରଦୂଷଣବୋର୍ଡର ମୁଖ୍ୟ ବୈଜ୍ଞାନିକ ନିହାର ରଞ୍ଜନ ସାହୁଙ୍କ ମତରେ, ପିଏମ୍‌ ୧୦ ଏବଂ ୨.୫ ୨ ପ୍ରକାର ଧୂଳିକଣିକା ରହିଛି। ସେଗୁଡ଼ିକ ମାପିବା ପାଇଁ ସ୍ୱତନ୍ତ୍ର ନିୟମ ରହିଛି। ତାକୁ ନେଇ ଏକ ପ୍ରକାର କ୍ୱାଲିଟି ଇଣ୍ଡେକ୍ସ କରାଯାଇଛି। ୦.୫୦ ଯଦି ରହିବ ତାକୁ ଆମେ ଉତ୍ତମ ବୋଲି କହିବା, ୫୦ ରୁ ୧୦୦ ରହିଲେ ସନ୍ତୁଷ୍ଟଜନକ, ୧୦୦ରୁ ୨୦୦ ରହିଲେ ମଧ୍ୟମଧରଣର, ୨୦୦ରୁ ୩୦୦ ଖରାପ ବୋଲି କୁହାଯାଏ। ଭୁବନେଶ୍ୱରରେ ସାଧାରଣତଃ ୬୦ରୁ ୧୦୦ ରହିଥାଏ। ବେଳେ ବେଳେ ୧୦୦ରୁ ୧୫୦ ପର୍ୟ୍ୟନ୍ତ ସ୍ଥାନ ବିଶେଷରେ ହୋଇଥାଏ। ଏହା କ୍ଷତିକାରକ ନୁହେଁ। ସେଥିପାଇଁ ଆମେ ବିଭିନ୍ନ ପ୍ରକାର ପଦକ୍ଷେପ ନେଇଥାଉ।
‘ବର୍ଜ୍ୟବସ୍ତୁ ପରିଚାଳନା ଆଇନ କଡ଼ାକଡ଼ି ହେଉ’
ପରିବେଶବିତ ଡ. ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି, ଇଟା, କଂକ୍ରିଟ୍‍ ମୃତ୍ତିକା, ପଥର, ପକ୍କା ସାମଗ୍ରୀ, ଆଲୁମିନିୟମ୍‍, ପ୍ଲାଷ୍ଟିକ୍‍, କାଚ, ଷ୍ଟିଲ୍‍ ପ୍ରଭୃତି କ୍ଷୁଦ୍ରାତିକ୍ଷୁଦ୍ର କଣିକା ବାୟୁମଣ୍ଡଳରୁ ମଣିଷ ଫୁସ୍‌ଫୁସ୍‍ରେ ପ୍ରବେଶ କରି ରକ୍ତରେ ମିଶନ୍ତି। ଏଥିପାଇଁ ବିବିଧ ପ୍ରକାର ରୋଗ ଏପରିକି କ୍ୟାନ୍‌ସର ସୃଷ୍ଟିର କାରଣ ହୋଇଥାଏ। ତେଣୁ ବର୍ଜ୍ୟବସ୍ତୁ ପରିଚାଳନା ଆଇନକୁ ଦୃଢ଼ ଭାବେ କାର୍ୟ୍ୟକାରୀ କରି ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ ଏବଂ ସଚେତନତା ସୃଷ୍ଟି କରାଯିବା ଦରକାର।
‘ଅଧିକ ଚାରାରୋପଣ ହେଉ’
ଡାକ୍ତର ଜିତେନ୍ଦ୍ର କୁମାର ମହାନ୍ତିଙ୍କ ମତରେ ବାୟୁ ପ୍ରଦୂଷଣ ଯୋଗୁଁ ଶ୍ୱାସକ୍ରିୟା ଏବଂ ଚର୍ମଗତ ଅସୁବିଧା ସୃଷ୍ଟି ହୁଏ। ବିଶେଷକରି ଆଜ୍‌ମା, ଭୂତାଣୁଜନିତ ବିଭିନ୍ନ ରୋଗ, ଯକ୍ଷ୍ମା, କାଶ, କଫ ଓ ଜ୍ୱର ଆଦି ହୋଇଥାଏ। ଆଜ୍‌ମା ରୋଗୀଙ୍କ ପ୍ରତି ଏହା ବିପଦ ହୋଇଥାଏ। ତେଣୁ ନାକ ପାଟି ମୁହଁକୁ ଘୋଡ଼ାଇ ରଖିବା ସହ ଧୂଳି ଧୂଆଁରୁ ଦୂରେଇ ରହିବା ସହିତ ଅଧିକ ଚାରାରୋପଣ କଲେ ନିରାକରଣ ହୋଇ ପାରିବ। ରାସ୍ତାରେ ଯାତାୟାତ ସମୟରେ ସମସ୍ତେ ମାସ୍କ, ହେଲ୍‌ମେଟ୍‍ ଏବଂ ଶରୀରକୁ ଢାଙ୍କୁଣି କରି ରଖିବା ଉଚିତ୍‍।
‘ମାର୍ଗଦର୍ଶିକା ସଠିକ୍‌ ଭାବେ ପାଳନ ହେଉ’
ଓଡ଼ିଶା ପରିବେଶ ସମିତିର ସଭାପତି ଡ. ସୁନ୍ଦର ନାରାୟଣ ପାତ୍ର ଏହି ପ୍ରସଙ୍ଗରେ ମତ ରଖି କହିଛନ୍ତି, ଭୁବନେଶ୍ୱରରେ ବାୟୁ ପ୍ରଦୂଷଣ ଧୀରେ ଧୀରେ ବୃଦ୍ଧି ପାଉଛି। ମୁଖ୍ୟତଃ ନିର୍ମାଣ କାର୍ୟ୍ୟ ଏବଂ ଆବର୍ଜନାରୁ ଏହା ଅଧିକ ହେଉଛି। ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଶ୍ୱାସ ପ୍ରଶ୍ୱାସ ଦେଇ ଶରୀରରେ ପ୍ରବେଶ କରି ଫୁସଫୁସ୍‍ ଭିତରେ ପହଞ୍ଚେ। ସେଥିପାଇଁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୁଏ। ପ୍ରଦୂଷଣ ମାତ୍ରା ହ୍ରାସ ପାଇଁ ମାର୍ଗଦର୍ଶିକା ସଠିକ୍‍ ଭାବେ ପାଳନ କରାଯାଉନି।

Comments are closed.