ବଞ୍ଚିବା ପାଇଁ ପରିବେଶ ସୁରକ୍ଷା ଏକମାତ୍ର ବିକଳ୍ପ
ନୂଆଦିଲ୍ଲୀ: ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ସାରା ବିଶ୍ଵରେ ଜୁନ ୫ରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଉଛି। ୧୯୭୨ରେ ଜାତିସଂଘ ପକ୍ଷରୁ ଏହି ଦିବସ ପାଳନ କରିବାକୁ ଘୋଷଣା କରାଯାଇଥିଲା। ଏହା ପରଠାରୁ ୧୯୭୪ ଜୁନ ୫ରୁ ପ୍ରତିବର୍ଷ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଆସୁଛି। କିନ୍ତୁ ଆବଶ୍ୟକ ସଚେତନତା ଅଭାବରୁ ଯେଉଁ ହାତରେ ଏହାର ଉଦ୍ଦେଶ୍ୟ ସଫଳ ହେବା କଥା ତାହା ହୋଇପାରୁ ନାହିଁ।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୪ରେ ‘ପରିବେଶର ଖରାପ ସ୍ଥିତି ଏବଂ ବିଶ୍ଵର ଭବିଷ୍ୟତ ଉପରେ ଏହାର ପ୍ରଭାବ’ ବିଷୟ ଉପରେ ବ୍ୟାଖ୍ୟାନ କରିଥିଲେ। ପରିବେଶ ସୁରକ୍ଷା ଦିଗରେ ଭାରତର ଏହା ପ୍ରଥମ ପଦକ୍ଷେପ ଥିଲା। ସେବେଠାରୁ ଦେଶରେ ଜୁନ ୫ରେ ଏହି ଦିବସ ପାଳନ କରାଯାଉଛି।
ଏହି ଦିବସରେ ବିଶ୍ଵରେ ସବୁଠାରୁ ଅଧିକ ଚାରାରୋପଣ କରାଯାଇଥାଏ। ଏହାର କାରଣ ହେଉଛି ଅନ୍ୟ ଦିନଗୁଡ଼ିକରେ ଲୋକମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି। କିନ୍ତୁ ଏହି ଦିନରେ ବିଭିନ୍ନ ସଂସ୍ଥା, ସ୍କୁଲ ପକ୍ଷରୁ ଚାରାରୋପଣ କାର୍ଯ୍ୟ ଆୟୋଜନ କରାଯାଇଥାଏ। ଏଥିରେ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥାନ୍ତି।
ବର୍ତ୍ତମାନ ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ, ଔଦ୍ୟୋଗିକ ପ୍ରଦୂଷଣ, ବିକିରଣ, ଜଳବାୟୁ ପରିବର୍ତ୍ତନ ଏବଂ ଗ୍ଲୋବାଲ ୱାର୍ମିଂର ବିପଦ ବଢ଼ିବାରେ ଲାଗିଛି। ୧୯୮୬ରେ ପରିବେଶ ସମ୍ବନ୍ଧୀୟ ଅଧିନିୟମ ଲାଗୁ କରାଯାଇଥିଲା। ଏଥିରେ ଜଳ, ଭୂମି ଏବଂ ବାୟୁ ଏହି ୩ଟି ସହ ସମ୍ବନ୍ଧିତ କାରକ ଯେପରି ମଣିଷ, ବୃକ୍ଷ, ଛୋଟ ଜୀବ, ଅନ୍ୟ ଜୀବିତ ପଦାର୍ଥ ଆଦି ପରିବେଶ ଅଧୀନରେ ଆସୁଛି। ଏହି ଦିବସର ଏକ ବିଶେଷତ୍ଵ ହେଉଛି ପ୍ରତିବର୍ଷ ଏଥିରେ ଏକ ନୂଆ ଥିମ କରାଯାଇଥାଏ। ଚଳିତବର୍ଷ ଥିମ ରହିଛି ‘ବାୟୁ ପ୍ରଦୂଷଣ’।
ସମୁଦ୍ର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ଲାଷ୍ଟିକ ସାମଗ୍ରୀ ଓ ପ୍ଲାଷ୍ଟିକ ବ୍ୟାଗ୍ ଆଦି ଫିଙ୍ଗାଯାଉଥିବାରୁ ପ୍ରତିବର୍ଷ ୧୦ ଲକ୍ଷ ଜଳଜୀବଙ୍କ ମୃତ୍ୟୁ ହେଉଛି। ସେହିପରି ଏକ ସର୍ଭେ ଅନୁସାରେ ବିଶ୍ଵରେ ଟୟଲେଟ ପେପରର ଚାହିଦା ମେଣ୍ଟାଇବା ଲାଗି ପ୍ରତିଦିନ ୨୭ ହଜାର ଗଛ କଟାଯାଉଛି। ଏଭଳି ଅମାନବୀୟ କାର୍ଯ୍ୟ ପରିବେଶକୁ ନଷ୍ଟ କରିବା ସହିତ ବିଶ୍ଵକୁ ଧ୍ଵଂସାଭିମୂଖୀ କରୁଛି। ଏଥିରୁ ବର୍ତ୍ତିବା ଲାଗି ପରିବେଶର ସୁରକ୍ଷା ଏକମାତ୍ର ବିକଳ୍ପ ବୋଲି ପରିବେଶବିତ୍ମାନେ ମତ ଦେଇଛନ୍ତି। ପରିବେଶବିତ୍ଙ୍କ ମତରେ ପରିବେଶ ଦିବସରେ ଲୋକମାନେ ପରିବେଶ ବିଷୟରେ ଅଧିକ ଚିନ୍ତା କରନ୍ତି। ଏହି ଦିନ ଆମକୁ ଏକ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ନୂଆ ସକାଳର ଆଶା ଦେଇଥାଏ। ତେଣୁ ପ୍ଲାଷ୍ଟିକର ବ୍ୟବହାର କମ୍ କରିବା ଏବଂ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ଉଚିତ। ଫଳରେ ଏହି ଦିବସର ପ୍ରକୃତ ଉଦ୍ଦେଶ୍ୟ ସଫଳ ହୋଇପାରିବ।
Comments are closed.