ଭାରତର ସ୍ଥିତିକୁ ନେଇ ଥନବର୍ଗଙ୍କ ଚିନ୍ତା, ସହାୟତା ପାଇଁ ବିଶ୍ବ ସମୁଦାୟକୁ କଲେ ନିବେଦନ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ସ୍ଥିତି ଅତ୍ୟନ୍ତ ଭୟଙ୍କର ରୂପ ନେବାରେ ଲାଗିଛି। ଦିନକୁ ଦିନ ସ୍ଥିତି ଭୟାବହ ହେଉଛି। ଦିଲ୍ଲୀ ସମେତ ଦେଶବ୍ୟାପୀ ଅନେକ ରାଜ୍ୟର ହସ୍ପିଟାଲଗୁଡ଼ିକରେ ବେଡ୍‌, ଔଷଧ ଏବଂ ଅକ୍ସିଜେନ ଅଭାବ ପରିଲକ୍ଷିତ ହୋଇଛି। ଦୈନିକ  ସଂକ୍ରମଣ ସାଢ଼େ ୫ ଲକ୍ଷ ଏବଂ ମୃତ୍ୟୁ ସଂଖ୍ୟା ୨ ହଜାର ଅତିକ୍ରମ କରିଛି। ଦେଶର ଏଭଳି ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ବିଡେନର ପରିବେଶକର୍ମୀ ଗ୍ରେଟା ଥନବର୍ଗ। ବିଶ୍ବ ସମୁଦାୟ ଭାରତକୁ ସହାୟତା କରିବାକୁ ଆଗେଇ ଆସିବା ଲାଗି ସେ ଅନୁରୋଧ କରିଛନ୍ତି।

ଥନବର୍ଗ ଏକ ଟ୍ବିଟ୍‌ କରି କହିଛନ୍ତି, ଭାରତରେ ଯେଉଁଭଳି ପରିସ୍ଥିତି ଉପୁଜିଛି, ତାହା ହୃଦୟବିଦାରକ। ସାରା ବିଶ୍ବ ଏକଜୁଟ ହୋଇ ଭାରତର ସହାୟତା କରିବା ଦରକାର। ସୂଚନାଯୋଗ୍ୟ, ପୂର୍ବରୁ ଥନବର୍ଗ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରିଥିଲେ। କୃଷକଙ୍କ ସମର୍ଥନରେ ସେ କରିଥିବା ଟ୍ବିଟ୍‌ ଏବଂ ଟ୍ବିଟରରେ ଶେୟାର କରିଥିବା ଟୁଲ୍‌କିଟ୍‌କୁ ନେଇ ବିବାଦ  ସୃଷ୍ଟି ହୋଇଥିଲା।

Comments are closed.