ଆଜିଠାରୁ ଏକକ ପିଜି ପ୍ରବେଶିକା ପାଇଁ ଫର୍ମପୂରଣ

ଭୁବନେଶ୍ବର : ୨୦୨୦-୨୧ ଶିକ୍ଷାବର୍ଷରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ସ୍ନାତକୋତ୍ତର(ପିଜି) ନ‌ାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏକକ ପ୍ରବେଶିକା ପରୀକ୍ଷାର ମେଧା ତାଲିକା ମୁତାବକ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ। ନାମ ଲେଖା ସମ୍ବନ୍ଧୀୟ ନିୟମାବଳୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଛି।
ବିଭାଗ ପକ୍ଷରୁ ଜାରି ନିୟମାବଳୀ ଅନୁଯାୟୀ ପ୍ରବେଶିକା ପରୀକ୍ଷା ପାଇଁ ବିଦ୍ୟାର୍ଥୀ କେବଳ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅଫ୍‌ଲାଇନ୍‌ରେ କୌଣସି ବିଦ୍ୟାର୍ଥୀ ଆବେଦନ କରିବେ ନାହିଁ। ଜଣେ ବିଦ୍ୟାର୍ଥୀ ସର୍ବାଧିକ ୫ଟି ବିଷୟ ଓ ୧୦ ଶିକ୍ଷାନୁଷ୍ଠାନ ପାଇଁ ଆବେଦନ କରିପାରିବେ। ସାଧାରଣ ବର୍ଗର ଛାତ୍ରଛାତ୍ରୀ ୫୦୦ ଟଙ୍କା ଓ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କ ପାଇଁ ୩୦୦ ଟଙ୍କା ଦେୟ ଦାଖଲ କରିବାକୁ ପଡ଼ିବ। ବିଦ୍ୟାର୍ଥୀ କେବଳ ଅନ୍‌ଲାଇନ୍‌ରେ ଫି ଦାଖଲ କରିପାରିବେ। ଫି’ ଦାଖଲ କରିବା ପରେ ଫେରସ୍ତ କରାଯିବ ନାହିଁ। ତେବେ ଗୋଟିଏ ବିଷୟରୁ ଅଧିକ ବିଷୟ ପାଇଁ ଆବେଦନ କଲେ ପ୍ରତି ବିଷୟ ପିଛି ୨ ଶହ ଟଙ୍କା ଅତିରିକ୍ତ ଦେୟ ଦେବାକୁ ପଡ଼ିବ। ଭିନ୍ନକ୍ଷମ ଓ କିନ୍ନର ବର୍ଗର ଆବେଦନକାରୀଙ୍କ ପାଇଁ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ।
ପାଠ୍ୟକ୍ରମର ୧୬.୨୫% ସିଟ୍‌ ଏସ୍‌ସି , ୨୨.୫% ଏସ୍‌ଟି, ଦିବ୍ୟାଙ୍ଗଙ୍କ ପାଇଁ ୫% ସଂରକ୍ଷଣ ବ୍ୟବସ୍ଥା ରହିଛି। ସେହିପରି ଅବସରପ୍ରାପ୍ତ କର୍ମଚାରୀ, ଯବାନ ଓ ସହିଦ୍‌ ଯବାନଙ୍କ ପିଲାଙ୍କ ପାଇଁ ଲାଗି ଗୋଟିଏ ପ୍ରତିଶତ ସିଟ୍‌ ସଂରକ୍ଷଣ ରହିବ। ଏନ୍‌ସିସି, ଏନ୍‌ଏସ୍‌ଏସ୍‌, ରୋଭର ଆଣ୍ଡ୍‌ ରେଞ୍ଜର, କ୍ରୀଡ଼ାରେ ଜାତୀୟସ୍ତରରେ ଓଡ଼ିଶାରୁ ପ୍ରତିନିଧିତ୍ବ କରିଥିବା ଛାତ୍ରଛାତ୍ରୀଙ୍କୁ ନାମଲେଖା କ୍ଷେତ୍ରରେ ସ୍ବତନ୍ତ୍ର ସୁବିଧା ମିଳିବ। ସବୁ ବିଷୟର ପୃଥକ ଭାବେ ‌େମଧା ତାଲିକା ପ୍ରକାଶ ପାଇବ। ୩୦ ପ୍ରତିଶତ କ୍ୟାରିୟର ଓ ୭୦ ପ୍ରତିଶତ ପ୍ରବେଶିକା ମାର୍କ ଅଧାରରେ ମେଧା ତାଲିକା ପ୍ରକାଶ କରାଯିବ। ପିଜି ନାମଲେଖା ‘ୱାନ କୋର୍ସ ୱାନ୍‌ ଫି’ ବ୍ୟବସ୍ଥା ପ୍ରଚଳିତ ହେବ। ଅର୍ଥାତ୍‌ ସବୁ ଶିକ୍ଷାନୁଷ୍ଠାନରେ ସମାନ ଫି ବ୍ୟବସ୍ଥା ଲାଗୁ ହେବ। କଳା ବିଭାଗର ୨୪ଟି ବିଷୟର ପରୀକ୍ଷା ପରିଚାଳନା ଉତ୍କଳ ବିଶ୍ବବିଦ୍ୟାଳୟ କରିବାକୁ ଥିବା ବେଳେ ବିଜ୍ଞାନ ବିଭାଗର ୨୦ଟି ବିଷୟର ପରୀକ୍ଷା ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ବାଣିଜ୍ୟ ବିଭାଗର ୮ଟି ବିଷୟର ପରୀକ୍ଷା ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କରିବ।
ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳରେ ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ ଓରିଜିନାଲ ସାର୍ଟିଫିକେଟ୍‌, ମାର୍କସିଟ୍‌ ସହ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରାଯିବ। ଯଦି ସାର୍ଟିଫିକେଟ୍‌/ମାର୍କସିଟ୍‌ ଓ ଅନ୍ୟାନ୍ୟ କାଗଜପତ୍ର ଭୁଲ୍‌ ଥିବା ପ୍ରମାଣିତ ହୁଏ ତେବେ ସମ୍ପୃକ୍ତ ଆବେଦନକାରୀଙ୍କ ନାମଲେଖାଇପାରିବେ ନାହିଁ।
କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଛ‌ାତ୍ରଛାତ୍ରୀ ନିୟମିତ ଭାବେ ‘www.dheodisha.gov.in’ ଓ ‘www.samsodisha.gov.in’ ଲଗ୍‌ଇନ୍‌ କରି ସବିଶେଷ ତଥ୍ୟ ପାଇପାରିବେ। ବିଶ୍ବବିଦ୍ୟାଳୟ ଓ କଲେଜର ୱେବସାଇଟ୍‌କୁ ଯାଇ ହଷ୍ଟେଲ ସିଟ୍‌ ଓ ଅନ୍ୟାନ୍ୟ ଫି’ ବାବଦରେ ଜାଣିପାରିବେ।
ସୂଚନାଯୋଗ୍ୟ, ଆସନ୍ତା ୧୨ରୁ୩୧ ତାରିଖ ଯାଏଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ ବିଦ୍ୟାର୍ଥୀ। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ୨୦ ନଭେମ୍ବର ସୁଦ୍ଧା ନାମଲେଖା ପ୍ରକ୍ରିୟା ଶେଷ ହେବା ସହ ଡିସେମ୍ବର ପହିଲାରୁ ପାଠପଢ଼ା ଆରମ୍ଭ ହେବ।

Comments are closed.