ଆଶା ଓ ଆଶଙ୍କା ମଧ୍ୟରେ ନୂଆବର୍ଷକୁ ସ୍ୱାଗତ କଲା ସାରା ବିଶ୍ୱ

ନୂଆଦିଲ୍ଲୀ: କୋଭିଡ-୧୯ର ଓମିକ୍ରନ ଜନିତ ସଂକ୍ରମଣକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ଥିବାବେଳେ ନୂଆ ବର୍ଷ ୨୦୨୨କୁ ନାନା ଆଶଙ୍କା ଓ ଆଶା ମଧ୍ୟରେ ସ୍ୱାଗତ କରିଛି । ଅଧିକାଂଶ ସ୍ଥାନରେ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ନୂଆବର୍ଷ ପାଳନକୁ ସଙ୍କୁଚିତ ଅଥବା ବାତିଲ କରିଦିଆଯାଇଥିଲା । ତେବେ କେତେକ ସ୍ଥାନରେ ଆତସବାଜିର ରଙ୍ଗୀନ ଆଲୋକ ମଧ୍ୟରେ ଲୋକେ ସ୍ୱାଗତ କରିଛନ୍ତି ନୂଆ ବର୍ଷକୁ । ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡ ବିଶ୍ୱର ପ୍ରଥମ ବୃହତ ସହର ଭାବରେ ନୂଆ ବର୍ଷକୁ ପାରମ୍ପରିକ ଭାବରେ ରଙ୍ଗିର ଆତସବାଜି ପ୍ରଦର୍ଶନ ମଧ୍ୟରେ ସ୍ୱାଗତ କରିଥିଲା । ନୂଆବର୍ଷର ଘଣ୍ଟା ବାଜିବା ପୂର୍ବରୁ ଅକଲ୍ୟାଣ୍ଡର ଆକାଶ ଆତସବାଜିର ଆଲୋକରେ ଉଦ୍‍ଭାସିତ ହୋଇଉଠିଥିଲା । ଏହାପରେ ଅଷ୍ଟ୍ରେଲିଆର ସିଡନି ଅପେରା ହାଉସ ଏବଂ ହାର୍ବର ବ୍ରିଜ ଉପରେ ମଧ୍ୟ ଚମତ୍କାର ଆତସବାଜିର ପ୍ରଦର୍ଶନ ଦେଖିବାକୁ ମିଳିଥିଲା ।
ଓମିକ୍ରନକୁ ନେଇ ବିଶ୍ୱରେ ନୂଆବର୍ଷ ପାଳନକୁ ଅଧିକାଂଶ ସ୍ଥାନରେ ବାତିଲ କରିଦିଆଯାଇଥିବା ଅଥବା ସୀମିତ ରଖାଯାଇଥିଲା । ସରକାର ଏବଂ ସ୍ଥାନୀୟ ପ୍ରଶାସନଗୁଡିକ ପକ୍ଷରୁ ଜାରି କଟକଣା ଜନସାଧାରଣଙ୍କୁ ଘରେ ରହିବାକୁ ବାଧ୍ୟ କରିଥିଲା । ତେବେ ନ୍ୟୁଜିଲାଣ୍ଡରେ ଏଥିପାଇଁ ନିୟମରେ କିଛିଟା କୋହଳ କରାଯାଇଥିଲା । ବ୍ରିଟେନ, ଆମେରିକା ଭଳି ଅନେକ ୟୁରୋପୀୟ ରାଷ୍ଟ୍ରରେ ଇତିମଧ୍ୟରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ସେହି ସମୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଭାରତରେ ତୃତୀୟ ଲହର ଆରମ୍ଭ ହେବାକୁ ଯାଉଛି । ଭାରତରେ ମଧ୍ୟ ଜନସାଧାରଣ ନୂଆବର୍ଷକୁ କଡା କଟକଣା ମଧ୍ୟରେ ପାଳନ କରିଛନ୍ତି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ପକ୍ଷରୁ ନୂଆବର୍ଷ ପାଳନ, ଜନ ସମାଗମ, ଭୋଜିଭାତ ଆଦି ଉପରେ କଟକଣା ଲଗାଯାଇଥିବାବେଳେ ଲୋକେ ଛୋଟ ଛୋଟ ଗୋଷ୍ଠୀରେ ନୂଆବର୍ଷର ଆଗମନକୁ ପାଳନ କରିଛନ୍ତି । ମନ୍ଦିର ଓ ବିଭିନ୍ନ ଧର୍ମସ୍ଥଳ, ପାର୍କ ଆଦି ସାମୟିକ ଭାବରେ ବନ୍ଦ ରଖାଯାଇଥିବାରୁ ଲୋକେ ନିଜ ନିଜ ଘରେ ଭୋଜି ଆଦି ଆୟୋଜନ କରି ନୂଆବର୍ଷ ପାଳନ କରିଥିବା ଜଣାଯାଇଛି ।

Comments are closed.