ପ୍ରଥମ ଶ୍ରେଣୀରୁ କଥିତ ଇଂରାଜୀ ଶିକ୍ଷା

ଓଡ଼ିଶା ସରକାର କୋମଳମତି ଛାତ୍ରଛାତ୍ରୀଙ୍କୁ ପ୍ରଥମ ଶ୍ରେଣୀରୁ କଥିତ ଇଂରାଜୀ ଶିକ୍ଷା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଭାଷା ଶିକ୍ଷା ଦ୍ବାରା ଚାରିଟି କୌଶଳ ମୁଖ୍ୟତଃ ଶିକ୍ଷା ଦିଆଯାଇଥାଏ। ଯଥା:- କହିବା, ବୁଝିବା, ଲେଖିବା ଓ ପଢ଼ିବା। ଯଦି ଆମ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଶ୍ରେଣୀରୁ ଇଂରାଜୀ ଭାଷା ଶିକ୍ଷା ଦିଆଯାଏ ତେବେ ଏହି ଚାରିଗୋଟି କୌଶଳ ଛାତ୍ରଛାତ୍ରୀଙ୍କୁ ପଢ଼ାଇବ କିଏ? ଆମ ରାଜ୍ୟରେ ଥିବା ଶହଶହ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପ୍ରଥମ ଶ୍ରେଣୀରୁ ଇଂରାଜୀ ଭାଷା ଶିକ୍ଷା ଦେବାକୁ ତାଲିମ୍‌ ପ୍ରାପ୍ତ ଶିକ୍ଷକ ଅଛନ୍ତି ତ? ଏହି ଶିକ୍ଷା ପାଇଁ ପାଠ୍ୟକ୍ରମ ସ୍ଥିର ହୋଇଛି କି? ମଣିଷ ଜୀବନରେ ଭାଷା ଶିକ୍ଷାର ଏକ ସମୟ ଅଛି। ବାକ୍‌ଯନ୍ତ୍ର ପାକଳ ହୋଇଗଲେ ଓ ମସ୍ତିଷ୍କକୁ ଗୋଟିଏ ଭାଷା ଦଖଲ କରିନେଲେ, ଅନ୍ୟ ଗୋଟିଏ ଭାଷା ଶିଖିବା କାଠିକର ପାଠହୋଇଥାଏ। ଭାଷା ଶିକ୍ଷା ପାଇଁ ପ୍ରକୃତ ବୟସ ହେଉଛି ଶିଶୁବୟସ। ଶୈଶବରେ ଯେତେଯେତେ ମୂଳକୁ ଆମେ ଯିବା- ଭାଷା ଶିକ୍ଷା ସେତିକି ସହଜ ଓ ସ୍ବାଭାବିକ ହେବ। ସେଥିପାଇଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଇଂରାଜୀ ଶିକ୍ଷା ଭଲ ଓ ଓଡ଼ିଆ ବିଦ୍ୟାଳୟର ଇଂରାଜୀ ଶିକ୍ଷା ଅଭାବନୀୟ। ଏହି ଦୃଷ୍ଟିକୋଣରୁ ଓଡ଼ିଶାରେ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଇଂରାଜୀ ଭାଷା ଶିକ୍ଷା ଦେବା ପୂର୍ବରୁ ଶିକ୍ଷାନୀତିର ଆମୂଳଚୂଳ ପରିବର୍ତ୍ତନ କରାଯିବା ଉଚିତ। ଏହି ଦିଗଗୁଡ଼ିକ ପ୍ରତି ମୂଳକୁ ଧ୍ୟାନ ନଦେଲେ, ଇଂରାଜୀ ଶିକ୍ଷା ସଂପୂର୍ଣ୍ଣ ଭାବେ ଦିଗ୍‌ଭ୍ରଷ୍ଟ ହେବ।
ଗୁରୁତ୍ବପୂର୍ଣ୍ଣ ହେଉଛି, ଆମ ପିଲାମାନେ ଓଡ଼ିଶାର ପାରିବାରିକ ଓ ସାମାଜିକ ପରିବେଶରୁ ଇଂରାଜୀ ଶିକ୍ଷା କରିପାରିବେ ନାହିଁ। ସେମାନେ ବିଦ୍ୟାଳୟରେ ଇଂରାଜୀ ଭାଷାଶିକ୍ଷା କରିବେ ଏବଂ ପରିବାରରେ ମାଆ, ବାପା ଓ ଅନ୍ୟାନ୍ୟ ଜ୍ଞାତି ପରିଜନଙ୍କ ସହିତ ମାତୃଭାଷା ଅର୍ଥାତ୍‌ ଓଡ଼ିଆରେ କଥାବାର୍ତ୍ତା ହେବେ। ଏଥିରେ ତା’ର ମାନସିକ ଭାରସାମ୍ୟ ବିପନ୍ନ ହେବାର ସମ୍ଭାବନା ରହିଛି। ସେ ଭାବିବ, ତା ମାତୃଭାଷା ବୋଧହୁଏ ଶିକ୍ଷାଗ୍ରହଣ ନିମିତ୍ତ ଅଯୋଗ୍ୟ ଭାଷା। ସେହି ଭାଷା କେବଳ ଘରେ, ସାହିପଡ଼ିଶାରେ ଚଳେ, ବିଦ୍ୟାଳୟରେ ତାହାର କୌଣସି ମୂଲ୍ୟ ନାହଁି। ଏହା ଦ୍ବାରା ମାତୃଭାଷା ପ୍ରତି ପିଲାଙ୍କର ହୀନମନ୍ୟତା ସୃଷ୍ଟି ହେବ। ଫଳରେ ଭବିଷ୍ୟତ ଓଡ଼ିଆ ଜାତିଠାରୁ ମାତୃଭାଷାର ବନ୍ଧନ ତୁଟିଯିବ। ଏହା ଓଡ଼ିଆ ଭାଷା ପାଇଁ ମୃତ୍ୟୁର ପଥକୁ ପରିଷ୍କାର କରିଦେବ। ସରକାର ଏ ବିଷୟରେ ଚିନ୍ତା କରିଛନ୍ତି କି? ଆଧୁନିକ ପୃଥିବୀରେ ଇଂରାଜୀ ଭାଷାର ଗୁରୁତ୍ବ ଉପରେ ଦ୍ବିମତ ହେବାର କୌଣସି ଆବଶ୍ୟକତା ନାହିଁ। ସାମୂହିକଭାବେ ଇଂରାଜୀ ଭାଷାରେ ଦକ୍ଷତା ବର୍ତ୍ତମାନ ଉଚ୍ଚଶିକ୍ଷା ଓ ଚାକିରିକ୍ଷେତ୍ରରେ ତଥା ବୈଷୟିକ ଓ ବିଜ୍ଞାନ କ୍ଷେତ୍ରରେ ବହୁଳ ଭାବରେ ଉପଲବ୍ଧ ହେଉଥିବାରୁ ଆମ ଓଡ଼ିଆ ପିଲାଏ ଇଂରାଜୀ ଶିଖିବା ଭଲ କଥା, କିନ୍ତୁ ପିଲାଙ୍କୁ ଓଡ଼ିଆ ସହିତ ଇଂରାଜୀ ଶିକ୍ଷା ଦେବା ଏବଂ ଏହା ପ୍ରାଥମିକ ଶ୍ରେଣୀରୁ ଆରମ୍ଭ କରାଗଲେ ଏହାର ସୁଫଳ ଅବଶ୍ୟ ଆମ ପିଲାଏ ପାଇବେ। ପର ବୟସରେ, ପିଲାଙ୍କ ପାରଗତା ଓ ଆଗ୍ରହକୁ ଦେଖି ସଂସ୍କୃତ, ହିନ୍ଦୀ ବା ଅନ୍ୟ ଭାରତୀୟ ଭାଷା ଶିକ୍ଷା ଦିଆଯାଇପାରେ। ତା’ଦ୍ବାରା ସେପରି କିଛି ବିଶେଷ କ୍ଷତି ହେବନାହିଁ ବା ଆମ ପିଲାଙ୍କର ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ହେବନାହିଁ। ପୂର୍ବେ, ପ୍ରାଥମିକ ସ୍ତରରେ କେବଳ ମାତୃଭାଷାରେ ହିଁ ଶିକ୍ଷା ଦିଆଯାଉଥିଲା, ଚତୁର୍ଥ ଶ୍ରେଣୀରୁ ଆରମ୍ଭ ହେଉଥିଲା ଇଂରାଜୀ ଶିକ୍ଷା। ମାତୃଭାଷା ଦୃଷ୍ଟିରୁ ଏହା ଏକ ସୁସ୍ଥ ପରମ୍ପରା ଥିଲା। ମାଧ୍ୟମିକ ଶ୍ରେଣୀରେ ସେ ଯେତେବେଳେ ଅନ୍ୟ ଭାଷା ସହିତ ପରିଚିତ ହେଉଥିଲା, ସେତେବେଳକୁ ମାତୃଭାଷାର ମୂଳଦୁଆ ପଡ଼ିସାରିଥିଲା। ପରବର୍ତ୍ତୀ ବୟସରେ ଅନ୍ୟ ଭାଷା ତା’ର ମୂଳଦୁଆକୁ ହଲାଇ ପାରୁନଥିଲା। ତା’ ନିକଟରେ ଅନ୍ୟ ଭାଷା ସବୁ ଦ୍ବିତୀୟ ଭାଷା ହୋଇ ରହିଯାଉଥିଲା।
ଆମେ କଥିତ ଇଂରାଜୀ ଶିକ୍ଷାର ବିପକ୍ଷ ନୋହୁଁ। ଇଣ୍ଟରଭ୍ୟୁ, ସେମିନାର, ଡିସକସନ୍‌ଠାରୁ ଆରମ୍ଭକରି ବୋର୍ଡ ମିଟିଙ୍ଗ ପର୍ଯ୍ୟନ୍ତ ସବୁଠି କଥିତ ଇଂରାଜୀର ଚାହିଦା। ତେଣୁ ଗତାନୁଗତିକ ଭାବେ ଇଂରାଜୀ ଶିକ୍ଷା ଦିଆନଯାଇ, ପ୍ରଥମେ ବଜାରର ଚାହିଦାକୁ ଆଖି ଆଗରେ ରଖିବା ଉଚିତ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ଉଚିତ ଶିକ୍ଷକ ସୃଷ୍ଟି କରିବା। ପ୍ରଥମେ ଏହି ଶିକ୍ଷକମାନଙ୍କୁ ଭାଷା ଶିକ୍ଷଣର ତାଲିମ ଦେବାକୁ ପଡ଼ିବ। ପିଲାମାନେ ଯେହେତୁ ପରିବାର ଓ ସମାଜରୁ ଇଂରାଜୀ ଶିକ୍ଷା କରିପାରିବେ ନାହିଁ, ସେମାନଙ୍କ ପାଇଁ ବିଦ୍ୟାଳୟ ହିଁ ଏକମାତ୍ର ଉପାୟ। ତେଣୁ ଏ କ୍ଷେତ୍ରରେ ବିଦ୍ୟାଳୟ, ଶିକ୍ଷକ ଓ ବହିର ଭୂମିକାର ଅନ୍ୟ କୌଣସି ବିକଳ୍ପ ନାହିଁ। ତଦନୁଯାୟୀ ଆମକୁ ବିଦ୍ୟାଳୟ ଶିକ୍ଷକ ଓ ବହିକୁ ଉପଯୁକ୍ତ କରିବାକୁ ପଡ଼ିବ। ଓଡ଼ିଆମାନଙ୍କ ଇଂରାଜୀ ଉଚ୍ଚାରଣ, ବ୍ୟାକରଣ, ହସ୍ତାକ୍ଷର ଓ ଭାଷା ବ୍ୟବହାର ଇତ୍ୟାଦି ସେମାନଙ୍କ ନିଜ ମାତୃଭାଷା ଓଡ଼ିଆ ଦ୍ବାରା ଏତେ ପରିମାଣରେ ପ୍ରଭାବିତ ଯେ, ଆମେ ଏହି କୃତ୍ରିମ ଇଂରାଜୀ ଲେଖିବାରେ ସଫଳ ହୋଇପାରିଥାନ୍ତି, କିନ୍ତୁ କ୍ବଚିତ ଓଡ଼ିଆଙ୍କ କଥିତ ଭାଷା ସ୍ପଷ୍ଟ, ଗମ୍ଭୀର ଓ ଗ୍ରାହ୍ୟ। ଓଡ଼ିଶାରେ ଇଂରାଜୀ ଶିକ୍ଷା ଓ ଶିକ୍ଷାର ପରମ୍ପରାରେ ଯଥେଷ୍ଟ ତ୍ରୁଟି ରହିଯାଇଛି। ତେଣୁ ଆମକୁ ସଜାଗ ହୋଇ ପାଠ୍ୟକ୍ରମ, ପାଠ୍ୟଧାରା ଓ ଶିକ୍ଷା ପ୍ରଣାଳୀ ପ୍ରସ୍ତୁତ କରିବାକୁ ପଡ଼ିବ।
ମନେ ରଖିବାକୁ ହେବ ଯେ, ‘ମାତୃଭାଷା ହିଁ ଆତ୍ମପ୍ରକାଶର ପ୍ରଥମଭାଷା।’ ଏହି ଦୃଷ୍ଟିକୋଣରୁ ପିଲାମାନଙ୍କୁ ପ୍ରଥମ ଶ୍ରେଣୀରୁ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ପାରଙ୍ଗମ କରିବାକୁ ପଡ଼ିବ। ଏଥି ନିମିତ୍ତ ଆମକୁ ଉପାୟ ଖୋଜିବାକୁ ପଡ଼ିବ। ଅନେକଙ୍କର ଯୁକ୍ତି ହେଲା, ପ୍ରାଥମିକ ସ୍ତରରୁ ଇଂରାଜୀ ଭାଷା ଶିକ୍ଷା ଦେଲେ ଏହା ମାତୃଭାଷା ଶିକ୍ଷାର ନାନା କ୍ଷତି କରିବ। କେତେକଙ୍କର ମତ, ଶିଶୁ ବୟସରେ ଛାତ୍ରମାନେ ଦୁଇଟି ଭାଷାରେ ସମାନ ଭାବେ ଦକ୍ଷତା ହାସଲ କରିବା ଅସମ୍ଭବ, କିନ୍ତୁ ଭାରତରେ ଓ ଓଡ଼ିଶାରେ ବହୁ ପ୍ରାଚୀନ କାଳରୁ ଛାତ୍ରମାନେ ସ୍ବଚ୍ଛନ୍ଦରେ ଦୁଇଟି, ଏପରିକି ତିନିଟି ଭାଷା ଶିଖି ଆସୁଛନ୍ତି। ବର୍ତ୍ତମାନ ଶିକ୍ଷାନୀତି ଦୃଷ୍ଟିରୁ ଛାତ୍ରମାନେ କୌଣସି ଗୋଟିଏ ହେଲେ ଭାଷାରେ ବି ପୂର୍ଣ୍ଣଦକ୍ଷତା ହାସଲ କରିପାରୁ ନାହାନ୍ତି। ସୂଚନାଯୋଗ୍ୟ ଯେ ଏହି ପ୍ରସଙ୍ଗକୁ ଆଧାର କରି ପଶ୍ଚିମବଙ୍ଗରେ ବାମପନ୍ଥୀ ସରକାର ୧୯୯୨ରେ ଅଶୋକ ମିତ୍ର କମିଶନ ବସାଇଥିଲେ। କମିଶନଙ୍କ ନିଷ୍ପତ୍ତି ଅନୁଯାୟୀ ଚତୁର୍ଥ ଶ୍ରେଣୀରୁ ପିଲାମାନଙ୍କୁ ଇଂରାଜୀ ଶିକ୍ଷା ଦିଆଗଲା, ଯାହା ଆମ ଓଡ଼ିଶାରେ ବି ଚାଲିଥିଲା। ପଶ୍ଚିମବଙ୍ଗବାସୀ ଏଥିରେ ସନ୍ତୁଷ୍ଟ ନହୋଇ ଜ୍ୟୋତିବସୁ ସରକାରଙ୍କ ଭୁଲ ଶିକ୍ଷାନୀତିକୁ ଦାୟୀ କଲେ ଏବଂ ଭାଷା ଶିକ୍ଷାନୀତିକୁ ପରିବର୍ତ୍ତନ କରିବାକୁ ଦାବି କଲେ। ଆମ ଓଡ଼ିଶାରେ ଭାଷା ଶିକ୍ଷାନୀତି ସମ୍ପର୍କରେ କେବେ ସାର୍ବଜନୀନ ପ୍ରତିବାଦର ସ୍ବର ଉତ୍ତୋଳିତ ହୋଇନଥିଲେ ହେଁ ଆମ ଶିକ୍ଷାନୀତି ଭାଷା ଶିକ୍ଷାର ଅନୁକୂଳ ନୁହେଁ ବୋଲି ସଭିଏଁ ଅନୁଭବ କଲେଣି। ବର୍ତ୍ତମାନ ଭାରତର ଅର୍ଥନୈତିକ ଜଗତୀକରଣ ଓ ଉଦାରୀକରଣର ଯେଉଁ ହାୱା ବହୁଛି, ତା’ରି ପରିପ୍ରେକ୍ଷୀରେ ଇଂରାଜୀ ଶିକ୍ଷାର ଆବଶ୍ୟକତା ଅନୁଭୂତ ହେଲାଣି। ଅଭିଭାବକମାନେ ବୋଧ କରୁଛନ୍ତି ଯେ ଛାତ୍ରଛାତ୍ରୀମାନଙ୍କର ଇଂରାଜୀ ଭାଷାରେ ଅପାରଗତା, ବିଶେଷକରି କଥିତ ଇଂରାଜୀରେ, ସେମାନଙ୍କୁ ଚାକିରି କ୍ଷେତ୍ରରେ ପଛରେ ପକାଇ ଦେଇଛି। ସଂପ୍ରତି ବହୁଦେଶୀୟ କମ୍ପାନୀମାନେ ଚାକିରି କ୍ଷେତ୍ରରେ ଯେଉଁସବୁ ସୁବିଧାସୁଯୋଗ ସୃଷ୍ଟି କରିଛନ୍ତି, ସେ ସୁଯୋଗରୁ ଫାଇଦା ଉଠାଇବା ପାଇଁ ଇଂରାଜୀ ଭାଷାଜ୍ଞାନ ଅପରିହାର୍ଯ୍ୟ। ଚାକିରି ତ ପରର କଥା, ପିଲାଏ ଇଂରାଜୀ ଭାଷାଜ୍ଞାନରେ ଦୁର୍ବଳତା ଯୋଗୁଁ ରାଜ୍ୟ, ରାଜ୍ୟ ବାହାର ଓ ବିଦେଶର ନାମଜାଦା ଶିକ୍ଷାନୁଷ୍ଠାନରେ ପ୍ରବେଶ ବି କରିପାରୁ ନାହାନ୍ତି। ଏହା ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଭିତରେ ଘୋର ଅସନ୍ତୋଷ ସୃଷ୍ଟି କରିଛି ଏବଂ ଏହି କାରଣରୁ ସରକାର ପ୍ରଥମଶ୍ରେଣୀରୁ କଥିତ ଇଂରାଜୀ ଶିକ୍ଷା ପ୍ରଦାନ ନିମିତ୍ତ ନିଷ୍ପତ୍ତି ନେଇଛନ୍ତି।
ବର୍ତ୍ତମାନର ପୃଥିବୀରେ ଇଂରାଜୀ ଭାଷାର ଯେଉଁ ଭୂମିକା ତିଆରି ହୋଇଛି, ଶହେ ବର୍ଷ ତଳେ ତାହା ନଥିଲା। ତେଣୁ ପ୍ରଥମ ଶ୍ରେଣୀରୁ ଇଂରାଜୀ ଶିକ୍ଷା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଗୁରୁତ୍ବପୂର୍ଣ୍ଣ ହେଉଛି ଆମ ଭାଷା ଶିକ୍ଷାନୀତିକୁ ଏପରି ଭାବରେ ଏପରି ଢଙ୍ଗରେ ପରିଚାଳିତ କରିବା ଉଚିତ ହେବ ଯେପରି ଆମ ପିଲାମାନେ ଓଡ଼ିଆ ଓ ଇଂରାଜୀ ଉଭୟ ଭାଷା ପ୍ରଥମ ଶ୍ରେଣୀରୁ ପଢ଼ିବେ ତଥା ଉଭୟ ଭାଷାରେ ଦକ୍ଷ ହେବେ। ଏହା ହୋଇପାରିଲେ ପିଲାମାନଙ୍କର ମାନସିିକ ଭାରସାମ୍ୟ ବିପନ୍ନ ହେବନାହିଁ ଏବଂ ଭବିଷ୍ୟତରେ ପିଲାମାନେ ବହୁଭାଷୀ ପଣ୍ଡିତ ଭାବରେ ଉଭା ହୋଇପାରିବେ। କାରଣ ବହୁଭାଷା ଜାଣିଥିବା ବିଦ୍ବାନମାନଙ୍କୁ ହିଁ ଯଥାର୍ଥ ପଣ୍ଡିତ କୁହାଯାଏ। ମହନୀୟତା ହେଉଛି, ଇଂରାଜୀ ଭାଷାର ସମତାଳରେ ପିଲାଙ୍କୁ ଓଡ଼ିଆ ଭାଷା ଶିକ୍ଷା ଦିଆଗଲେ ଓଡ଼ିଆ ଭାଷାର ଦୈନ୍ୟତା ଅନୁଭୂତ ହେବନାହିଁ। ଏଥିନିମିତ୍ତ ଏକ ସୁଚିନ୍ତିତ ଓ ସୁପରିକଳ୍ପିତ ଯୋଜନାର ପ୍ରୟୋଜନୀୟତା ରହିଛି।

ଅନ୍ତର୍ଯ୍ୟାମୀ ମିଶ୍ର

ଆନନ୍ଦନଗର କାଠଗଡ଼ା,​ଢେଙ୍କାନାଳ

Comments are closed.