୪ର୍ଥ ଦିନିକିଆରେ ବାବରଙ୍କ ଶତକ ସତ୍ତ୍ବେ ପାକିସ୍ତାନ ପରାସ୍ତ; ଇଂଲଣ୍ଡ ୩-୦ରେ ସିରିଜ ଜିତିଲା

ନଟିଙ୍ଗ୍‌ହାମ୍‌: ଓପନର ଜାସନ ରୟଙ୍କ ଶତକ ଓ ବେନ୍‌ ଷ୍ଟୋକ୍‌ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଘରୋଇ ଇଂଲଣ୍ଡ ଏଠାରେ ଶୁକ୍ରବାର ଖେଳାଯାଇଥିବା ଚତୁର୍ଥ ଦିନିକିଆ କ୍ରିକେଟ ମ୍ୟାଚରେ ପାକିସ୍ତାନକୁ ୩ ୱିକେଟରେ ପରାସ୍ତ କରିଛି। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ପାକିସ୍ତାନ ବାବର ଆଜମଙ୍କ ଶତକ ବଳରେ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ ବିନିମୟରେ ୩୪୦ ରନ କରିଥିଲା। ଜବାବରେ ଇଂଲଣ୍ଡ ୪୯.୩ ଓଭରରେ ୭ ୱିକେଟରେ ୩୪୧ ରନ କରି ବିଜୟୀ ହୋଇଥିଲା। ଏହି ବିଜୟ ଫଳରେ ଇଂଲଣ୍ଡ ପାଞ୍ଚଟିକିଆ ସିରିଜକୁ ୩-୦ରେ ହାତେଇ ନେଇଛି। ଆସନ୍ତା ୧୯ରେ ସିରିଜର ପଞ୍ଚମ ତଥା ଅନ୍ତିମ ଦିନିକିଆ ଲିଡ୍‌ସରେ ଖେଳାଯିବ। ସୂଚନାଯୋଗ୍ୟ ସିରିଜର ପ୍ରଥମ ଦିନିକିଆ ବର୍ଷା ଯୋଗୁଁ ବାତିଲ ହୋଇଥିବାବେଳେ ଇଂଲଣ୍ଡ ପରବର୍ତ୍ତୀ ତିନିଟି ମ୍ୟାଚରେ ବିଜୟୀ ହୋଇ ସିରିଜ୍‌ କବ୍‌ଜା କରିଛି।
ଇଓନ ମୋର୍ଗାନଙ୍କ ଅନୁପସ୍ଥିତିରେ ଇଂଲଣ୍ଡର କାମଚଳା ଅଧିନାୟକ ଜୋସ୍‌ ବଟ୍‌ଲର ଟସ ଜିତି ପ୍ରଥମେ ବ୍ୟାଟିଂ ପାଇଁ ପାକିସ୍ତାନକୁ ଆମନ୍ତ୍ରଣ କରିଥିଲେ। କହୁଣିରେ ବଲ ବାଜି ଓପନର ଇମାମ ଉଲ୍‌ ହକ୍‌ ଡାକ୍ତରଖାନା ଯିବାପରେ ଫକର ଜମାନ ଓ ବାବର ଆଜମ ପ୍ରଥମ ୱିକେଟ ପାଇଁ ୧୧୬ ରନ ସଂଗ୍ରହ କରିଥିଲେ। ଜମାନ ୫୭ ରନ କରି ଆଉଟ ହେବାପରେ ବାବର ଓ ମହମ୍ମଦ ହଫିଜ୍‌ (୫୯) ୨ୟ ୱିକେଟ ପାଇଁ ୧୦୪ ରନ ଯୋଗକରିଥିଲେ। ବାବର ସର୍ବାଧିକ ୧୧୫ ରନ କରି ତୃତୀୟ ଖେଳାଳିଭାବେ ଆଉଟ ହୋଇଥିଲେ। ମଧ୍ୟକ୍ରମରେ ସୋଏବ ମାଲିକଙ୍କ ୪୧ ଓ ସର୍ଫରାଜ ଅହମ୍ମଦଙ୍କ ଅପରାଜିତ ୨୧ ରନ ବଳରେ ପାକିସ୍ତାନ ୫୦ ଓଭରରେ ୭ ୱିକେଟ ହରାଇ ୩୪୦ ରନ କରିଥିଲା। ଇଂଲଣ୍ଡ ପକ୍ଷରୁ ଟମ୍‌ କରନ ସର୍ବାଧିକ ୪ଟି ଓ ମାର୍କ ଉଡ୍‌ ୨ଟି ୱିକେଟ ଅକ୍ତିଆର କରିଥିଲେ।
୩୪୧ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଇଂଲଣ୍ଡର ଦୁଇ ଓପନର ଜାସନ ରୟ ଓ ଜେମ୍‌ସ ଭିନ୍‌ସ ପ୍ରଥମ ୱିକେଟ ପାଇଁ ୧୩.୩ ଓଭରରେ ୯୪ ରନ ସଂଗ୍ରହ କରିଥିଲେ। ଭିନ୍‌ସ ୪୩ ରନ କରି ଆଉଟ ହେବାପରେ ଜାସନ ଓ ଜୋ ରୁଟ୍‌ (୩୬) ୨ୟ ୱିକେଟ ପାଇଁ ୧୦୭ ରନ ଯୋଗକରିଥିଲେ। ପ୍ଲେୟାର ଅଫ୍‌ ଦି ମ୍ୟାଚ ଜାସନ ୧୧୪ ଓ ବେନ୍‌ ଷ୍ଟୋକ୍‌ସ ଅପରାଜିତ ୭୧ ରନ କରିବା ଫଳରେ ଇଂଲଣ୍ଡ ୪୯.୩ ଓଭରରେ ୭ ୱିକେଟ ୩୪୧ ରନ କରି ବିଜୟୀ ହୋଇଥିଲା। ପାକିସ୍ତାନ ପକ୍ଷରୁ ଇମାଦ ୱାସିମ ଓ ମହମ୍ମଦ ହସନୈନ୍‌ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

Comments are closed.